୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

Oct 13, 2026 - 12:50
୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ନିଜର ଉନ୍ନତ ପ୍ରଦର୍ଶନ ଜରିଆରେ ବିରାଟ ଓ ରୋହିତ ପ୍ରମାଣ କରିଛନ୍ତି ଯେ ସେମାନେ ଆଗାମୀ ବଡ଼ ଟୁର୍ନାମେଣ୍ଟ ପାଇଁ ଗମ୍ଭୀର ଅଛନ୍ତି। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ରୋହିତ ଓ ବିରାଟଙ୍କ ଭବିଷ୍ୟତକୁ ନେଇ BCCIର ଯୋଜନା କ’ଣ? ଏହାରି ମଧ୍ୟରେ BCCI ଅଧ୍ୟକ୍ଷ ମିଥୁନ ମନହାସ ୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଖେଳିବାକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି।
BCCI ଅଧ୍ୟକ୍ଷ ମିଥୁନ ମନହାସ ‘ସ୍ପୋର୍ଟଷ୍ଟାର୍‌’ ସହ ଆଲୋଚନା କରିଛନ୍ତି। ତାଙ୍କ ମତରେ, ଖେଳାଳିଙ୍କ ଚୟନ ବୟସ ନୁହେଁ, ବରଂ ପ୍ରଦର୍ଶନ ଓ ଫିଟନେସ ଆଧାରରେ ହେବା ଉଚିତ। ବିରାଟ ଓ ରୋହିତ ଭଲ ପ୍ରଦର୍ଶନ କରୁଥିବା ସହ ଶାରୀରିକ ଭାବେ ମଧ୍ୟ ବେଶ ଫିଟ ଅଛନ୍ତି। ମିଥୁନଙ୍କ ମତରୁ ସ୍ପଷ୍ଟ ହେଉଛି ଯେ ସେ ଉଭୟଙ୍କୁ ଦିନିକିଆ ବିଶ୍ୱକପରେ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି।
ସେ କହିଛନ୍ତି, BCCIର କଥା କହିବାକୁ ଗଲେ, ମୁଁ ଏହି ବିଷୟରେ କୌଣସି ମନ୍ତବ୍ୟ ଦେବା ସ୍ଥିତିରେ ନାହିଁ। କାରଣ ସବୁକିଛି ଚୟନକର୍ତ୍ତା ଓ କୋଚ୍‌ଙ୍କ ଉପରେ ନିର୍ଭର କରେ। ମୋ ମତରେ, ଖେଳାଳିଙ୍କ ଚୟନ ଫିଟନେସ ଓ ପ୍ରଦର୍ଶନ ଆଧାରରେ ହେବା ଉଚିତ, ବୟସ ଆଧାରରେ ନୁହେଁ। ଯଦି କୌଣସି ଖେଳାଳି ଖେଳିବା ପାଇଁ ଫିଟ ଅଛନ୍ତି ଏବଂ ଦେଶ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି, ତେବେ ତାଙ୍କୁ ଦଳରେ ରଖିବାରେ କୌଣସି ସମସ୍ୟା ରହିବା ଉଚିତ ନୁହେଁ।

ମିଥୁନ ମନହାସଙ୍କ ମତରେ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ରହିଲେ ଅଧିନାୟକ ଶୁଭମନ ଗିଲ୍‌ଙ୍କୁ ବହୁତ ଫାଇଦା ମିଳିବ। ଏହା ସହିତ ସେ ଯଶପ୍ରୀତ ବୁମ୍ରାଙ୍କ ଗୁରୁତ୍ୱ ଉପରେ ମଧ୍ୟ ଜୋର୍‌ ଦେଇଛନ୍ତି।
ମିଥୁନ କହିଛନ୍ତି, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ରହିବା ଶୁଭମନ ଗିଲଙ୍କ ପାଇଁ ଲାଭଦାୟକ ହେବ। ଏହା ସହିତ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି ଅଛନ୍ତି, ଯିଏ ବୋଲିଂ ବିଭାଗର ନେତୃତ୍ୱ ନେଇପାରିବେ। ଏହାଦ୍ୱାରା ଖେଳାଳିଙ୍କ ଉପରେ କାର୍ଯ୍ୟଭାର ବାଣ୍ଟି ହେବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।