୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

Sep 26, 2026 - 23:27
୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆସନ୍ତା ୩୦ରେ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ବୈଠକ ବସିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

ଏସ୍‌ଆଇଆର୍‌ ପରିଚାଳନାକୁ ନେଇ ନିର୍ବାଚନ କମିଶନରେ ମତଭେଦ ସମ୍ପର୍କିିତ ରିପୋର୍ଟ ଆସିବା ପରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ଇସ୍ତଫା ଓ ବହିଷ୍କାର ଦାବି ଜୋର୍‌ ଧରିଛି। ଏନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ସମନ୍ବୟ ବଢ଼ିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପରସ୍ପର ସହ ଯୋଗାଯୋଗରେ ରହିଥିବାବେଳେ ଏକ ମିଳିତ ପଦକ୍ଷେପ ପାଇଁ ଆଲୋଚନା ଚଳାଇଛନ୍ତି। ସିପିଆଇ(ଏମ୍‌), ସିପିଆଇ ଏବଂ ସିପିଆଇ(ଏମ୍‌ଏଲ୍‌) ଲିବରେଶନ ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି କରିବା ସହ ଏସ୍‌ଆଇଆର୍‌କୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି। କଂଗ୍ରେସ ମଧ୍ୟ ଜ୍ଞାନେଶଙ୍କ ବହିଷ୍କାର ଦାବି କରିଛି। ଏହା ଉପରେ ଏକ ରଣନୀତି ପ୍ରସ୍ତୁତ ଲାଗି ଆସନ୍ତା ୨୯ରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ବସିବାକୁ ଯାଉଛି।

ପଶ୍ଚିମବଙ୍ଗରେ ୨ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ମମତା ବାନାର୍ଜୀଙ୍କ ଟିଏମ୍‌ସି ଏବଂ ସିପିଆଇ(ଏମ୍‌) ନିର୍ବାଚନ କମିଶନ ପ୍ରସଙ୍ଗରେ ଏକାଠି ହୋଇଛନ୍ତି। ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ଏମ୍‌.ଏ. ବେବି ଇଣ୍ଡିଆ ବ୍ଲକ୍‌କୁ ପତ୍ର ଲେଖି ବୈଠକ ଡାକିବା ପାଇଁ କହିଥିବା ବେଳେ ମମତାଙ୍କ ସହ ଆଲୋଚନା କରିଛନ୍ତି। ମମତା ମଧ୍ୟ ସମନ୍ବିତ ପଦକ୍ଷେପ ପାଇଁ ସହମତ ହୋଇଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।