୪ର୍ଥ ଟି-୨୦ରେ ଭାରତର ଶୋଚନୀୟ ପରାଜୟ: ଏହି ୬ ଖେଳାଳିଙ୍କ ଉପରେ ଦୋଷ ଲଦିଲେ ଶ୍ରେୟସ ଆୟର! କହିଲେ ଏମାନଙ୍କ ପାଇଁ…
ନୂଆଦିଲ୍ଲୀ, ୧୫।୧୦: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ୨୪ ରନରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ। ଏହି ପରାଜୟ ପାଇଁ ବୋଲରମାନଙ୍କୁ ଦାୟୀ କରିଛନ୍ତି ଭାରତୀୟ ଅଧିନାୟକ ଶ୍ରେୟସ ଆୟର। ହାଇଦ୍ରାବାଦରେ ୨୪୮ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ୨୨୩ ରନରେ ଅଲଆଉଟ ହୋଇଯାଇଥିଲା। ଏହା ସହିତ ଟି-୨୦ ସିରିଜ ୨-୨ରେ ବରାବର ହୋଇଛି। ଏବେ ସିରିଜର ବିଜେତା କିଏ ହେବ, ତାହା ଅକ୍ଟୋବର ୧୭ ତାରିଖରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଶେଷ ମ୍ୟାଚରେ ସ୍ପଷ୍ଟ ହେବ।
ଶ୍ରେୟସ ଆୟର କହିଛନ୍ତି , ଭାରତୀୟ ବୋଲରମାନେ ସଠିକ ଲାଇନ ଓ ଲେନ୍ଥ ବଜାୟ ରଖିପାରି ନଥିଲେ। ଯେତେବେଳେ ସାମ୍ନାରେ ୨୫୦ ରନର ଲକ୍ଷ୍ୟ ଥାଏ, ସେତେବେଳେ ଦଳକୁ ଏକ ନିର୍ଦ୍ଦିଷ୍ଟ ରଣନୀତି ଅନୁସାରେ ଖେଳିବାକୁ ପଡ଼ିଥାଏ। ସଞ୍ଜୁ ସାମସନ, ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀ ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତ ନିୟମିତ ବ୍ୟବଧାନରେ ଉଇକେଟ୍ ହରାଇଥିଲା।
ମ୍ୟାଚ ପରେ ପୁରସ୍କାର ବିତରଣୀ ସମୟରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର କହିଥିଲେ, ଆମର ବୋଲିଂ ହିଁ ପରାଜୟର ମୂଳ କାରଣ ଥିଲା। ମୋ ମତରେ, ଆମେ ଲାଇନ ଓ ଲେନ୍ଥର ସଠିକ ଉପଯୋଗ କରିପାରିଲୁ ନାହିଁ। ଯେତେବେଳେ ସାମ୍ନାରେ ୨୫୦ ରନ୍ର ଲକ୍ଷ୍ୟ ଥାଏ, ସେତେବେଳେ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଖେଳିବାକୁ ପଡ଼ିଥାଏ। ରନ ପିଛା କରିବା ସମୟରେ ଆମର ଆଭିମୁଖ୍ୟ ମୋତେ ପସନ୍ଦ ଆସିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ବୋଲିଂ ସମୟରେ ଆମେ ଯୋଜନା ଅନୁସାରେ ପ୍ରଦର୍ଶନ କରିପାରିଲୁ ନାହିଁ।
ହାଇଦ୍ରାବାଦରେ ଭାରତୀୟ ବୋଲରମାନେ ୱେଷ୍ଟଇଣ୍ଡିଜ ବ୍ୟାଟର୍ସଙ୍କ ଆକ୍ରମଣର ଶିକାର ହୋଇଥିଲେ। ଯେଉଁ ବୋଲର ବୋଲିଂ କରିବାକୁ ଆସିଥିଲେ, ସେ ଲଗାତାର ଚୌକା ଓ ଛକା ଖାଇଥିଲେ। ମୟଙ୍କ ଯାଦବ ଓ ଅର୍ଶଦୀପ ସିଂହ ମିଳିତ ଭାବେ ୮ ଓଭରରେ ୧୦୪ ରନ ବ୍ୟୟ କରିଥିଲେ। ନମନ ଧୀର ମାତ୍ର ଗୋଟିଏ ଓଭର ବୋଲିଂ କରି ୧୯ ରନ ଦେଇଥିଲେ। ସେହିପରି ପ୍ରିନ୍ସ ଯାଦବ, ଅକ୍ଷର ପଟେଲ ଓ ନୀତୀଶ କୁମାର ରେଡ୍ଡୀ ମଧ୍ୟ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଏହି ୬ ଜଣ ବୋଲରଙ୍କ ଖରାପ ପ୍ରଦର୍ଶନ ଭାରତର ପରାଜୟର ଅନ୍ୟତମ ପ୍ରମୁଖ କାରଣ ହୋଇଥିଲା।
ଭାରତୀୟ ଦଳ ନବମ ଓଭରରେ ୧୦୦ ରନ ପୂରଣ କରିଥିଲା। ୧୭ ଓଭର ଶେଷ ସୁଦ୍ଧା ଦଳର ସ୍କୋର ୨୦୦ ରନରେ ପହଞ୍ଚିଥିଲା। ତିଳକ ବର୍ମା ଓ ନୀତୀଶ କୁମାର ରେଡ୍ଡୀଙ୍କ ଭଳି ଦୁଇ ଜଣ ସେଟ ବ୍ୟାଟର୍ କ୍ରିଜ୍ରେ ଥିଲେ। ଶେଷ ୧୮ଟି ବଲରୁ ଭାରତକୁ ୪୮ ରନ ଆବଶ୍ୟକ ଥିଲା। କିନ୍ତୁ ଶମାର ସ୍ପ୍ରିଙ୍ଗରଙ୍କ ୧୮ତମ ଓଭର ମ୍ୟାଚର ଗତି ବଦଳାଇ ଦେଇଥିଲା। ଏହି ଓଭରରେ ମାତ୍ର ୫ ରନ ମିଳିଥିଲା। ଫଳରେ ଭାରତ ଉପରେ ଚାପ ବଢ଼ିଯାଇଥିଲା।
ଏହାପରେ ୧୯ତମ ଓଭରରେ ନୀତୀଶ ରେଡ୍ଡୀ, ଅକ୍ଷର ପଟେଲ ଓ ପ୍ରିନ୍ସ ଯାଦବଙ୍କ ରୂପରେ ଭାରତ ତିନୋଟି ଉଇକେଟ୍ ହରାଇଥିଲା। ଏହି ଦୁଇ ଓଭରରେ ହିଁ ମ୍ୟାଚର ଚିତ୍ର ବଦଳିଯାଇଥିଲା ଏବଂ ଭାରତୀୟ ବ୍ୟାଟିଂ ଲାଇନଅପ ସମ୍ପୂର୍ଣ୍ଣ ଭାବେ ଚାପରେ ଭାଙ୍ଗି ପଡ଼ିଥିଲା।
ଚାରିଟି ମ୍ୟାଚ ପରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ ୨-୨ରେ ବରାବର ରହିଛି। ଏହା ପୂର୍ବରୁ ଲକ୍ଷ୍ନୌ ଓ ଇନ୍ଦୋରରେ ଭାରତ ବିଜୟୀ ହୋଇଥିବା ବେଳେ ରାଞ୍ଚି ଓ ହାଇଦ୍ରାବାଦରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ୱେଷ୍ଟଇଣ୍ଡିଜ।
ଏବେ ସିରିଜର ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ ଅକ୍ଟୋବର ୧୭ ତାରିଖରେ ବେଙ୍ଗାଲୁରୁର ଏମ. ଚିନ୍ନାସୱାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତି ଉଭୟ ଦଳ ସିରିଜ ହାତେଇବାକୁ ଚେଷ୍ଟା କରିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।