୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି ବଖାଣିଛନ୍ତି। ଗର୍ଭଧାରଣର ଶେଷ ପର୍ଯ୍ୟାୟରେ ତାଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିବା ଜଣାପଡ଼ିଥିଲା। ଏହା ଯୋଗୁ ତାଙ୍କୁ ପ୍ରତି ସପ୍ତାହରେ ଯନ୍ତ୍ରଣା ସହିବାକୁ ପଡ଼ୁଥିଲା। ଅସୁସ୍ଥତା ଓ ଅସ୍ତ୍ରୋପଚାର ପରେ ମାତ୍ର ୪୦ ଦିନରେ ତାଙ୍କର ପ୍ରାୟ ୧୫ କିଲୋଗ୍ରାମ ଓଜନ କମିଯାଇଥିଲା ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି।
ଇଶିତା ଓ ତାଙ୍କ ସ୍ବାମୀ ବତ୍ସଲ ସେଠ ୨୦୨୫ରେ ଦ୍ୱିତୀୟ ଥର ପାଇଁ ମାତାପିତା ହୋଇଥିଲେ। ଏହା ପୂର୍ବରୁ ୨୦୨୩ରେ ସେମାନଙ୍କ ପୁଅ ବାୟୁଙ୍କ ଜନ୍ମ ହୋଇଥିଲା। ତେବେ ଦ୍ୱିତୀୟ ଗର୍ଭଧାରଣର ଶେଷ ଦିନଗୁଡ଼ିକରେ ଇଶିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଶୀଘ୍ର ପ୍ରସବ ହେବାର ଆଶଙ୍କା ଥିବାରୁ ତାଙ୍କୁ ବେଡ ରେଷ୍ଟରେ ରହିବାକୁ ପଡ଼ିଥିଲା।
ଏହି କଷ୍ଟଦାୟକ ସମୟକୁ ମନେ ପକାଇ ଅଭିନେତ୍ରୀ କହିଛନ୍ତି, ମାତ୍ର ୪୦ ଦିନରେ ତାଙ୍କର ୧୫ କିଲୋଗ୍ରାମ ଓଜନ କମିଯାଇଥିଲା। ଲୋକେ ତାଙ୍କ ଓଜନ କମିବାର ପରିଣାମ ଦେଖୁଛନ୍ତି, କିନ୍ତୁ ଏହା ପଛରେ ଥିବା ଯନ୍ତ୍ରଣାଦାୟକ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା। ଏପରି ଅନୁଭୂତି ଆଉ କାହାକୁ ନ ମିଳୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଇଶିତାଙ୍କ କହିବା ଅନୁଯାୟୀ, ଝିଅ ଜନ୍ମ ହେବାର ପ୍ରାୟ ଏକ ମାସ ପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହି ସମଗ୍ର ପ୍ରକ୍ରିୟା ତାଙ୍କ ଶରୀର ଉପରେ ଗଭୀର ପ୍ରଭାବ ପକାଇଥିଲା ଏବଂ ସେ ବହୁତ ଦୁର୍ବଳ ହୋଇପଡ଼ିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ପ୍ରାୟ ୬ ମାସ ସମୟ ଲାଗିଥିଲା। ଏହି ସମୟ ମଧ୍ୟରେ ସେ ‘ଦୃଶ୍ୟମ ୩’ର ଶୁଟିଂ ମଧ୍ୟ ଆରମ୍ଭ କରିଦେଇଥିଲେ। ତାଙ୍କ ଓଜନ ହ୍ରାସ କୌଣସି ଯୋଜନାବଦ୍ଧ ପ୍ରକ୍ରିୟା ନ ଥିଲା; ବରଂ ଅସୁସ୍ଥତା ଯୋଗୁ ଏପରି ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ, ଇଶିତା ଦତ୍ତା ଏବେ ନିଜର ନୂଆ ଫିଲ୍ମ ‘ଦୃଶ୍ୟମ ୩’ର ସଫଳତାକୁ ନେଇ ବେଶ୍ ଖୁସି। ଫିଲ୍ମରେ ସେ ପୁଣିଥରେ ଅଞ୍ଜୁ ସାଲଗାଓଁକର ଭୂମିକାରେ ନଜର ଆସିଛନ୍ତି। ଏଥିରେ ଅଜୟ ଦେବଗନ, ଜୟଦୀପ ଅହଲାୱତ, ଶ୍ରିୟା ସରନ, ତବ୍ବୁ ଓ ରଜତ କପୁର ପ୍ରମୁଖ ଅଭିନୟ କରିଛନ୍ତି। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରୁଥିବା ଖବର ରହିଛି। ଫିଲ୍ମଟି ଭାରତରେ ୩୦୦ କୋଟି ଟଙ୍କାର ବ୍ୟବସାୟିକ ମାଇଲଖୁଣ୍ଟ ଛୁଇଁବା ଆଡ଼କୁ ଅଗ୍ରସର ହେଉଛି। ସେହିପରି ବିଶ୍ୱବ୍ୟାପୀ ଏହାର ମୋଟ ଆୟ ୪୪୬.୮ କୋଟି ଟଙ୍କା ହୋଇଥିବା ଉଲ୍ଲେଖ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।