୬ରୁ ହବିଷିଆଳି ବ୍ରତ ପାଇଁ ଅନ୍ଲାଇନ ପଞ୍ଜୀକରଣ
ପୁରୀ,୩ା୧୦(ଅଜିତ୍ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍ଲାଇନ ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯିବ। ଏହି ଆବେଦନ ପାଇଁ ପଞ୍ଜୀକରଣ ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୦ଟାରୁ ଅନ୍ଲାଇନ https://edistrict.odisha.gov.in ମାଧ୍ୟମରେ ଆରମ୍ଭ ହେବ। ଏହି ପଞ୍ଜୀକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଚଳିତ ବର୍ଷର ହବିଷିଆଳି ବ୍ରତ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଅତିରିକ୍ତ ଜିଲାପାଳ ବେହେରା କହିଛନ୍ତି, ଅକ୍ଟୋବର ୨୬ରୁ ହବିଷିଆଳି ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ନିବାସ, ମୋଚିସାହି କଲ୍ୟାଣମଣ୍ଡପ ଓ ରେଲ୍ଓ୍ବେ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷିଆଳି ମା’ମାନେ ରହିବେ। ସେମାନଙ୍କ ରହଣି ସହ ପ୍ରାତଃରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବେ। ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଓ ୫୦ରୁ ୭୦ ବର୍ଷ
ବୟସର ବିବାହିତ ମହିଳା କେବଳ ଆବେଦନ କରିପାରିବେ। ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଅନ୍ଲାଇନରେ ପଞ୍ଜୀକରଣ କରି ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହବିଷିଆଳି ମା’ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ, ସେ ସମ୍ପର୍କରେ ପଞ୍ଜୀକୃତ ମୋବାଇଲ ନମ୍ବର ମାଧ୍ୟମରେ ସୂଚନା ଦିଆଯିବ। ଏହି ସୂଚନା ଥିବା ରସିଦ୍ର କପି ସହ ସଂପୃକ୍ତ ଯୋଗ୍ୟ ହବିଷିଆଳି ମା’ ଧାର୍ଯ୍ୟ ହବିଷିଆଳି କେନ୍ଦ୍ରରେ ପହଞ୍ଚିଲେ ରହଣି ବ୍ୟବସ୍ଥା କରାଯିବ।
ବିନା ପଞ୍ଜୀକରଣରେ ଅପ୍ରତ୍ୟାଶିତ ଭାବେ ହବିଷିଆଳି ଶିବିରକୁ ଆସୁଥିବା ବ୍ୟକ୍ତିଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ। ଶିବିରରେ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପଜିଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।