୭ ହଜାର ଟଙ୍କାର ପେଟ୍ରୋଲରୁ ବୁଝିଲେ ଟଙ୍କାର ମୂଲ୍ୟ! ପୁଅମାନଙ୍କୁ ନେଇ ଏମିତି କଥା କହିଲେ ସେହ୍ବାଗ
ନୂଆଦିଲ୍ଲୀ, ୨୧।୧୦: ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ମଧ୍ୟ ବାପାଙ୍କ ପରି ଜଣେ ବଡ଼ କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଆର୍ଯ୍ୟବୀର ବର୍ତ୍ତମାନ ଅଣ୍ଡର-୧୯ କ୍ରିକେଟ୍ ଖେଳୁଥିବା ବେଳେ ତାଙ୍କ ସାନ ଭାଇ ଅଣ୍ଡର-୧୬ ସ୍ତରରେ ଖେଳୁଛନ୍ତି । ମଙ୍ଗଳବାର ଆର୍ଯ୍ୟବୀରଙ୍କ ଜନ୍ମଦିନ ଅବସରରେ ସେହ୍ବାଗ ଏକ ଭାବପ୍ରବଣ ପୋଷ୍ଟ କରି ପୁଅକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଏକ ସାକ୍ଷାତକାରରେ ସେ କିପରି ତାଙ୍କ ପୁଅମାନେ ଟଙ୍କାର ମୂଲ୍ୟ ବୁଝିବାକୁ ଲାଗିଲେ, ସେ ସମ୍ପର୍କରେ ମଧ୍ୟ କହିଛନ୍ତି।
ବୀରେନ୍ଦ୍ର ସେହୱାଗ କହିଛନ୍ତି ଯେ ତାଙ୍କ ଦୁଇ ପୁଅ ଏବେ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି। ଜଣେ ଅଣ୍ଡର-୧୯ ଓ ଅନ୍ୟ ଜଣେ ଅଣ୍ଡର-୧୬ ସ୍ତରରେ ଖେଳୁଛନ୍ତି। ସେମାନେ ମଧ୍ୟ କିଛି ଟଙ୍କା ରୋଜଗାର କରୁଛନ୍ତି । ସେହ୍ବାଗଙ୍କ କହିବା ଅନୁସାରେ, ତାଙ୍କ ପୁଅମାନେ ଯେତେବେଳେ ନିଜ ରୋଜଗାରରୁ ପ୍ରାୟ ୭ ହଜାର ଟଙ୍କାର ପେଟ୍ରୋଲ ଭରିଲେ ଏବଂ ସେହି ଟଙ୍କା ସେମାନଙ୍କ ଆୟରୁ କଟିଲା, ସେତେବେଳେ ସେମାନଙ୍କୁ ଟଙ୍କାର ପ୍ରକୃତ ମୂଲ୍ୟ ବୁଝାପଡ଼ିଲା। ସେ ମଜାଳିଆ ଢଙ୍ଗରେ କହିଥିଲେ, ବାପାଙ୍କ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପିଲାମାନଙ୍କୁ କିଛି ଫରକ ପଡ଼ୁନଥିଲା। କିନ୍ତୁ ନିଜ ଟଙ୍କା ଖର୍ଚ୍ଚ ହେବା ପରେ ସେମାନେ ଏହାର ମୂଲ୍ୟ ବୁଝିବାକୁ ଲାଗିଲେ।
ସେହ୍ବାଗ କହିଛନ୍ତି ଯେ ପିଲାମାନଙ୍କର ବିଏମଡବ୍ଲ୍ୟୁ ଓ ରେଞ୍ଜ ରୋଭର ଭଳି ଦାମୀ ଗାଡ଼ିରେ ବୁଲିବା ଏବଂ ଦାମୀ ଘଣ୍ଟା ପିନ୍ଧିବାର ସଉକ ରହିଥାଏ । କିନ୍ତୁ ଏହା ଜୀବନର ପ୍ରକୃତ ସଫଳତା ନୁହେଁ। ଜୀବନରେ ଏକ ସ୍ତରକୁ ପହଞ୍ଚିବା ପରେ ସେମାନେ ବୁଝିପାରିବେ ଯେ କେବଳ ଦେଖାଣିଆ ଜୀବନ ବଞ୍ଚିବାର କୌଣସି ଅର୍ଥ ନାହିଁ। ସେ ପୁଅମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏପରି କିଛି କର, ଯାହା ଦେଖି ଲୋକେ ତୁମ କାମ ଓ ସଫଳତା ପାଇଁ ତୁମକୁ ମନେ ରଖିବେ। ଦାମୀ ଜିନିଷ ଦେଖାଇବା ପରିବର୍ତ୍ତେ ନିଜ ପରିଚୟ ନିଜେ ତିଆରି କରିବା ଉପରେ ଗୁରୁତ୍ୱ ଦେବା ଉଚିତ।
ପୁଅ ଆର୍ଯ୍ୟବୀରଙ୍କ ଜନ୍ମଦିନରେ ସେହୱାଗ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଥିଲେ। ସେ କହିଥିଲେ ଯେ ଦିନେ ଯେଉଁ ପୁଅର ହାତ ଧରି ଚାଲିବା ଶିଖାଉଥିଲେ, ଆଜି ତାକୁ ନିଜ ସ୍ୱପ୍ନ ଦିଗରେ ଆଗେଇ ଯାଉଥିବା ଦେଖି ଜଣେ ବାପା ଭାବେ ତାଙ୍କୁ ଖୁସି ଲାଗୁଛି। ପୁଅ ଜଣେ ସ୍ୱାଧୀନ ବ୍ୟକ୍ତି ଭାବେ ଆଗକୁ ବଢ଼ୁଥିବା, ନିଜ ସ୍ୱପ୍ନ ପଛରେ ଦୌଡ଼ୁଥିବା ଏବଂ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରୁଥିବା ଦେଖି ସେ ଗର୍ବିତ ବୋଲି ଲେଖିଛନ୍ତି। ପୁଅକୁ ଉଦ୍ଦେଶ୍ୟ କରି ସେ ଆହୁରି ଲେଖିଛନ୍ତି, ବଡ଼ ସ୍ୱପ୍ନ ଦେଖିବାର ସାହସ ରଖ, କଠିନ ପରିଶ୍ରମ କର ଏବଂ ସବୁବେଳେ ନୂଆ କଥା ଶିଖିବାକୁ ନମ୍ର ରୁହ। ନିଜ ପରିଚୟ ନିଜେ ତିଆରି କର, ନିଜ ସ୍ୱପ୍ନ ପାଇଁ ଲଢ଼ ଏବଂ ଜୀବନକୁ ଖୋଲା ମନରେ ବଞ୍ଚ ବୋଲି କହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।