Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

Sep 27, 2026 - 12:37
Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart) ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ତିନୋଟି ଇ-କମର୍ସ ପ୍ଲାଟଫର୍ମ ଉପରେ ପଞ୍ଜୀକୃତ ହୋଇନଥିବା କୃଷି-ରାସାୟନିକ (agrochemical) ଉତ୍ପାଦ ବିକ୍ରି ଏବଂ ବିଜ୍ଞାପନ କରିବାର ଅଭିଯୋଗ ରହିଛି।
ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି CCPA ଆମାଜନ ଏବଂ ଫ୍ଲିପକାର୍ଟ ଉପରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ଜିଓମାର୍ଟ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରିଛି। ଏହି ମାମଲାଟି ‘ସାଇକ୍ଲୋସିନୋନ ହର୍ବିସାଇଡ’ (Cyclosinone Herbicide) ନାମକ ଏକ ଉତ୍ପାଦର ବିକ୍ରି ଏବଂ ବିଜ୍ଞାପନ ସହିତ ଜଡିତ।
CCPA ଅନୁଯାୟୀ, ‘ସାଇକ୍ଲୋସିନୋନ’ (Cyclosinone) ନାମକ ତୃଣନାଶକ (herbicide) ତିନୋଟିଯାକ ପ୍ଲାଟଫର୍ମରେ ବିକ୍ରି ହେଉଥିଲା, କିନ୍ତୁ ଏଥିରେ ଥିବା ସକ୍ରିୟ ରାସାୟନିକ ଉପାଦାନର ନାମ ଏବଂ ଅନ୍ୟାନ୍ୟ ଉପାଦାନ ସମ୍ବନ୍ଧୀୟ ବିବରଣୀ ପ୍ରକାଶ କରାଯାଇନଥିଲା।
ତଦନ୍ତ ସମୟରେ, କୃଷି ମନ୍ତ୍ରଣାଳୟ CCPA କୁ ଜଣାଇଥିଲା ଯେ ‘ଇନସେକ୍ଟିସାଇଡ୍ସ ଆକ୍ଟ, ୧୯୬୮’ (କୀଟନାଶକ ଆଇନ) ର ତାଲିକାରେ ‘ସାଇକ୍ଲୋସିନୋନ’ ନାମକ କୌଣସି ରାସାୟନିକ ପଦାର୍ଥ ଅନ୍ତର୍ଭୁକ୍ତ ନାହିଁ। ଫଳରେ, ସାଇକ୍ଲୋସିନୋନ ତୃଣନାଶକର ବିକ୍ରି ଏବଂ ବିପଣନ ପାଇଁ ଥିବା ଯାଞ୍ଚ ଓ ଅନୁମୋଦନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି।
Amazon 10 ଲକ୍ଷ
Flipkart 10 ଲକ୍ଷ
JioMart 5 ଲକ୍ଷ
CCPA ର ଆଦେଶ ରେକର୍ଡ ଅନୁଯାୟୀ, Amazon ବିରୁଦ୍ଧରେ ଆଦେଶ 16 ସେପ୍ଟେମ୍ବର 2026 ରେ ଜାରି କରାଯାଇଥିଲା, ଯେତେବେଳେ କି Flipkart ଏବଂ JioMart ବିରୁଦ୍ଧରେ ଆଦେଶଗୁଡ଼ିକ 22 ସେପ୍ଟେମ୍ବର 2026 ରେ ଜାରି କରାଯାଇଥିଲା।
ଏହି ମାମଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଏକ ଅଭିଯୋଗରୁ ଆରମ୍ଭ ହୋଇଥିଲା। ବାସ୍ତବରେ, ଏହି ଅଭିଯୋଗ ‘କ୍ରପ କେୟାର ଫେଡେରେସନ ଅଫ ଇଣ୍ଡିଆ’ (Crop Care Federation of India) ଦ୍ୱାରା ଆରମ୍ଭ କରାଯାଇଥିଲା।
ତଦନ୍ତରୁ ଜଣାପଡିଛି ଯେ କୀଟନାଶକ ଏବଂ ଅନାବନା ଗଛ ନାଶକ (ହର୍ବିସାଇଡ) ଭଳି କୃଷି-ରାସାୟନିକ ପଦାର୍ଥର ବିକ୍ରି ଏବଂ ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ଆଇନଗତ ନିୟମାବଳୀ ପାଳନ କରିବା ବାଧ୍ୟତାମୂଳକ ଅଟେ। CCPA ଲକ୍ଷ୍ୟ କରିଛି ଯେ ‘ସାଇକ୍ଲୋଜିନୋନ’ (Cyclozinone) ହର୍ବିସାଇଡ ପାଇଁ ଅନଲାଇନ ତାଲିକାରେ ଆବଶ୍ୟକୀୟ ସୂଚନାର ଅଭାବ ଥିଲା।
CCPA ର ଆଦେଶରେ ଉଲ୍ଲେଖ କରାଯାଇଛି ଯେ Amazon ରେ ସାଇକ୍ଲୋଜିନୋନ ହର୍ବିସାଇଡ ପାଇଁ 38,410 ଟି ଅର୍ଡର ଦିଆଯାଇଥିଲା, ଯାହା ଫଳରେ ମୋଟ 43,634 ୟୁନିଟ ବିକ୍ରି ହୋଇଥିଲା। ଏହାର ମୋଟ ବିକ୍ରି ମୂଲ୍ୟ 96.42 ଲକ୍ଷ ବୋଲି ଜଣାପଡିଛି।
CCPA Amazon, Flipkart ଏବଂ JioMart କୁ ସାଇକ୍ଲୋଜିନୋନ ହର୍ବିସାଇଡର ବିକ୍ରି ଏବଂ ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ, ତିନୋଟି କମ୍ପାନୀକୁ ସେମାନଙ୍କ ପ୍ଲାଟଫର୍ମର ‘ସ୍ବ-ଅଡିଟ’ (self-audit) କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହି ପ୍ରକ୍ରିୟାର ଲକ୍ଷ୍ୟ ହେଉଛି ଆଇନ ଉଲ୍ଲଂଘନ କରୁଥିବା କିମ୍ବା ଜନସାଧାରଣଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଉତ୍ପାଦଗୁଡ଼ିକୁ ଚିହ୍ନଟ କରିବା। କମ୍ପାନୀଗୁଡ଼ିକୁ ଆଦେଶର 15 ଦିନ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।