IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

Oct 02, 2026 - 23:38
IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା କରିସାରିଛି। ଆସନ୍ତା ଅକ୍ଟୋବର ୩ ତାରିଖରେ ନ୍ୟୁ ଚଣ୍ଡୀଗଡ଼ର ମୁଲ୍ଲାନ୍‌ପୁରଠାରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଦଳର ଫର୍ମରେ ଥିବା ଷ୍ଟାର୍ ଅଲରାଉଣ୍ଡର ଜଷ୍ଟିନ୍ ଗ୍ରୀଭ୍ସ ଆଘାତ ସମସ୍ୟା କାରଣରୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ କାରିବିଆନ୍ ଅଲରାଉଣ୍ଡର ଜଷ୍ଟିନ୍ ଗ୍ରୀଭ୍ସ ନିଜର ଗୋଡ଼ର ପିଣ୍ଡୁଲି ଆଘାତ (Calf Injury) ରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିନାହାନ୍ତି। ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ସେ ବାଦ୍ ପଡ଼ିବା ଦଳର ବ୍ୟାଟିଂ ସନ୍ତୁଳନକୁ ପ୍ରଭାବିତ କରିଛି।

ତିରୁବନନ୍ତପୁରମ୍‌ରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଗ୍ରୀଭ୍ସ ଏକ ଆକର୍ଷଣୀୟ ଶତକୀୟ ଇନିଂସ ଖେଳି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ମାତ୍ର ସେହି ମ୍ୟାଚ୍ ସମୟରେ ହିଁ ତାଙ୍କ ଗୋଡ଼ର ମାଂସପେଶୀରେ ଟାଣ ଧରିଥିଲା, ଯାହା ଫଳରେ ସେ ଗୁଆହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରୁ ବାଦ୍ ପଡ଼ିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କ ସ୍ଥାନରେ ସାମିଲ ହୋଇଥିବା କେସି କାର୍ଟି ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ।

ମେଡିକାଲ୍ ଟିମ୍‌ର ସମୀକ୍ଷା ପରେ ଜଣାପଡ଼ିଛି ଯେ ଗ୍ରୀଭ୍ସ ମ୍ୟାଚ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି। ଫଳରେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ମୁଲ୍ଲାନ୍‌ପୁର ମ୍ୟାଚ୍‌ରେ ନଖେଳାଇବାକୁ ନିଷ୍ପତ୍ତି ନେଇଛି। ଏହି ସ୍ଥିତିରେ କେସି କାର୍ଟିଙ୍କୁ ପୁନର୍ବାର ପ୍ଲେଇଂ-୧୧ ରେ ସୁଯୋଗ ମିଳିପାରେ, ଯାହା ତାଙ୍କ ପାଇଁ ନିଜକୁ ସାବ୍ୟସ୍ତ କରିବାର ଏକ ବଡ଼ ସୁଯୋଗ ହେବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।