SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ
ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଟି-୨୦ ଟିମ୍ର ବିସ୍ଫୋରକ ଓପନର୍ ଅଭିଷେକ ଶର୍ମା ଫ୍ରାଞ୍ଚାଇଜର ଅଧିନାୟକତ୍ୱ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ IPL ୨୦୨୭ ପୂର୍ବରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ୟାଟ୍ କମିନ୍ସଙ୍କ ଗ୍ରହଣଯୋଗ୍ୟ ବିକଳ୍ପ/ଉତ୍ତରାଧିକାରୀ ଭାବେ ଫ୍ରାଞ୍ଚାଇଜି ୱିକେଟକିପର ବ୍ୟାଟର ଇଶାନ୍ କିଶନଙ୍କୁ ଦାୟିତ୍ୱ ଦେବାକୁ ନେଇ ଅଭିଷେକ କ୍ଷୁବ୍ଧ ଥିବା କୁହାଯାଉଛି।
‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରୁ ହାଇଦ୍ରାବାଦ ସହ ଯୋଡ଼ି ହୋଇ ରହିଥିବାରୁ ଅଭିଷେକ ଶର୍ମା ନିଜକୁ କ୍ୟାପ୍ଟେନ୍ସିର ମୁଖ୍ୟ ଦାବିଦାର ମନେ କରୁଥିଲେ। ମାତ୍ର ଦଳ ପରିଚାଳନା କମିଟି ଇଶାନ୍ କିଶନଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ସେ ମର୍ମାହତ ହୋଇ ନୂଆ ଫ୍ରାଞ୍ଚାଇଜିର ସନ୍ଧାନ ଆରମ୍ଭ କରିଦେଇଛନ୍ତି।
ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପ୍ୟାଟ୍ କମିନ୍ସ ଆଗାମୀ ଆସେସ୍ ସିରିଜ୍ ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍କୁ ପ୍ରାଥମିକତା ଦେଉଥିବାରୁ IPL ୨୦୨୭ ସିଜନ୍ର ଅଧିକାଂଶ କିମ୍ବା ସମ୍ପୂର୍ଣ୍ଣ ମ୍ୟାଚ୍ରୁ ଓହରିଯିବାର ସମ୍ଭାବନା ରହିଛି। କମିନ୍ସଙ୍କ ଅନୁପସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ଇଶାନ୍ କିଶନଙ୍କୁ ଅଧିନାୟକ ଭାବେ ବାଛିଛି, ଯିଏ ପୂର୍ବ ସିଜନ୍ରେ ମଧ୍ୟ କିଛି ମ୍ୟାଚ୍ରେ ଦଳର ନେତୃତ୍ୱ ନେଇଥିଲେ। ଦୀର୍ଘ ବର୍ଷର ନିଷ୍ଠା ଓ ଚମତ୍କାର ପ୍ରଦର୍ଶନ ପରେ ବି ଅଧିନାୟକ ପଦ ନ ମିଳିବାରୁ ଅଭିଷେକ ଅସନ୍ତୁଷ୍ଟ ଅଛନ୍ତି। ତେବେ ଏହି ସବୁ ଚର୍ଚ୍ଚାକୁ SRH ସିଇଓ କେ. ଷଣ୍ଟମୁଗମ୍ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।
ରିପୋର୍ଟରେ ଦାବି କରାଯାଇଛି ଯେ ଅଭିଷେକ ଶର୍ମାଙ୍କ ପାଇଁ ଅନ୍ୟ କେତେକ ଫ୍ରାଞ୍ଚାଇଜ ସହ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇସାରିଛି। ୫ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଏହି ଦୌଡ଼ରେ ମୁଖ୍ୟ ଦାବିଦାର ଭାବେ ସାମ୍ନାକୁ ଆସିଛି। ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସ (DC) ସହ ମଧ୍ୟ କଥାବାର୍ତ୍ତାର ସମ୍ଭାବନା ରହିଛି, କାରଣ ତାଙ୍କ ମେଣ୍ଟର ତଥା ପୂର୍ବତନ ଦିଗ୍ଗଜ କ୍ରିକେଟର ଯୁବରାଜ ସିଂହ ଏବେ ଦିଲ୍ଲୀର କୋଚିଂ ଓ ସପୋର୍ଟ ଷ୍ଟାଫ୍ରେ ସାମିଲ ଅଛନ୍ତି। ଏହା ବ୍ୟତୀତ ଗୁଜରାଟ ଟାଇଟନ୍ସ (GT) ଏବଂ ପଞ୍ଜାବ କିଙ୍ଗସ (PBKS) ସହ ମଧ୍ୟ ଯୋଗାଯୋଗ କରାଯାଉଥିବା ଖବର ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।