UPI କିମ୍ୱା ATM ଫେଲ ହୋଇ ଟଙ୍କା ଫସିଗଲା କି? ବ୍ୟାଙ୍କ ଦେବ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ!
ନୂଆଦିଲ୍ଲୀ,୨୦।୧୦: ଆପଣଙ୍କ ସହିତ କେବେ ଏମିତି ଘଟିଛି କି, ଆପଣ କୌଣସି UPI କାରବାର (ଟ୍ରାଞ୍ଜାକସନ) କରିଛନ୍ତି କିମ୍ୱା ATM କାର୍ଡରୁ ଟଙ୍କା ଉଠାଇଛନ୍ତି ଏବଂ ସେହି ଟଙ୍କା ଫସି ରହିଯାଇଛି? ଅର୍ଥାତ ଟ୍ରାଞ୍ଜାକସନ ବିଫଳ ହୋଇଛି, ତଥାପି ଆକାଉଣ୍ଟରୁ ଟଙ୍କା କଟିଯାଇଛି। ଯଦି ହଁ, ଏପରି ହୋଇଛି, ତେବେ ଏପରି କ୍ଷେତ୍ରରେ RBI (ରିଜର୍ଭ ବ୍ୟାଙ୍କ) ର ନିୟମ କ’ଣ କହେ, ଆପଣ ଜାଣନ୍ତି କି? ଯଦି ଜାଣିନାହାନ୍ତି, ତେବେ ଆସନ୍ତୁ ଜାଣିବା ଏହାର ନିୟମ ସବୁ କ’ଣ ରହିଛି।
RBI ର ନିୟମ ଅନୁସାରେ, ଯଦି ର୍ନିଦ୍ଧାରିତ ସମୟ ସୀମା ମଧ୍ୟରେ ବ୍ୟାଙ୍କ ଆପଣଙ୍କ ଟଙ୍କା ଫେରସ୍ତ ନ କରେ, ତେବେ ପ୍ରତିଦିନର ବିଳମ୍ୱ ପାଇଁ ଆପଣଙ୍କୁ ୧୦୦ ଟଙ୍କା କ୍ଷତିପୂରଣ ମିଳିପାରିବ। ଏହି କ୍ଷତିପୂରଣ ଧାର୍ଯ୍ୟ ସମୟ ସୀମା ଶେଷ ହେବା ପରଠାରୁ ଲାଗୁ ହୋଇଥାଏ।
* ଯଦି ଆପଣ UPI ମାଧ୍ୟମରେ କାହାକୁ ଟଙ୍କା ପଠାଇଛନ୍ତି ଏବଂ ଆକାଉଣ୍ଟରୁ ଟଙ୍କା କଟିଯାଇଛି, ମାତ୍ର ଅନ୍ୟ ବ୍ୟକ୍ତିଙ୍କ ଆକାଉଣ୍ଟରେ ପହଞ୍ଚି ନାହିଁ, ତେବେ ଏପରି କ୍ଷେତ୍ରରେ ଏହି କ୍ଷତିପୂରଣ ମିଳିବ।
* ଏହା ବ୍ୟତୀତ ATM ରୁ ନଗଦ ଟଙ୍କା ଉଠାଇବା ସମୟରେ, କିମ୍ୱା ଦୋକାନରେ UPI ବା କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କରିବା ବେଳେ ଯଦି ଆକାଉଣ୍ଟରୁ ଟଙ୍କା କଟିଯାଇଛି, କିନ୍ତୁ ATM ରୁ ଟଙ୍କା ବାହାରି ନାହିଁ କିମ୍ୱା କାର୍ଡ ପେମେଣ୍ଟ ହୋଇନାହିଁ, ତେବେ ମଧ୍ୟ ଆପଣଙ୍କୁ ଏହି କ୍ଷତିପୂରଣ ମିଳିବ।
ସାଧାରଣତଃ ଏପରି ସମସ୍ୟା ନେଟୱାର୍କ ସମସ୍ୟା, ମନ୍ଥର ଇଣ୍ଟରନେଟ, ATM ରେ ନଗଦ ଟଙ୍କା ଶେଷ ହୋଇଯିବା କିମ୍ୱା ବ୍ୟାଙ୍କ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁଁ ଘଟିଥାଏ।
RBI ବିଭିନ୍ନ ପ୍ରକାରର କାରବାର ପାଇଁ ଟଙ୍କା ଫେରସ୍ତ କରିବାର ସମୟ ସୀମା ସ୍ଥିର କରିଛି। ଯେପରିକି:
* ଯଦି UPI ମାଧ୍ୟମରେ ଟଙ୍କା ପଠାଯାଇଛି କିନ୍ତୁ ଅନ୍ୟ ବ୍ୟକ୍ତିଙ୍କ ଆକାଉଣ୍ଟରେ ପହଞ୍ଚି ନାହିଁ, ତେବେ ପରଦିନ ସୁଦ୍ଧା ଏହି ଟଙ୍କା ଫେରସ୍ତ ଆସିଯିବା ଉଚିତ।
* ଯଦି ATM ରୁ ଟଙ୍କା ବାହାରି ନାହିଁ, କିନ୍ତୁ ଆକାଉଣ୍ଟରୁ କଟିଯାଇଛି, ତେବେ ୫ ଦିନ ମଧ୍ୟରେ ଟଙ୍କା ଆକାଉଣ୍ଟକୁ ଫେରିଆସିବା ଆବଶ୍ୟକ।
* ଦୋକାନରେ UPI କିମ୍ୱା କାର୍ଡ ପେମେଣ୍ଟ ବିଫଳ ହୋଇଛି, କିନ୍ତୁ ଟଙ୍କା କଟିଯାଇଛି, ତେବେ ୫ ଦିନ ମଧ୍ୟରେ ହିଁ ଟଙ୍କା ଆକାଉଣ୍ଟକୁ ଫେରିଆସିବା ଉଚିତ।
RBI ର ନିୟମ ଅନୁସାରେ, ଯୋଗ୍ୟ ମାମଲାଗୁଡ଼ିକରେ ବ୍ୟାଙ୍କ ସୱତଃପ୍ରବୃତ୍ତ ଭାବେ (ଅଟୋମେଟିକ ଉପାୟରେ) କ୍ଷତିପୂରଣ ଟଙ୍କା ଗ୍ରାହକଙ୍କ ଆକାଉଣ୍ଟରେ ଜମା କରିବା ଉଚିତ। ଏଥିପାଇଁ ଗ୍ରାହକଙ୍କୁ ଅଲଗା ଭାବେ କୌଣସି ଅଭିଯୋଗ କିମ୍ୱା ଆବେଦନ କରିବାର ଆବଶ୍ୟକତା ନାହିଁ। ତଥାପି, ଯଦି ଟଙ୍କା ଫେରସ୍ତ ନ ଆସେ କିମ୍ୱା କ୍ଷତିପୂରଣ ନ ମିଳେ, ତେବେ ଆପଣ ବ୍ୟାଙ୍କରେ ଅଭିଯୋଗ କରିବା ଉଚିତ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗ୍ରାହକମାନଙ୍କୁ ଏକଥା ଧ୍ୟାନରେ ରଖିବାକୁ ହେବ ଯେ ପ୍ରତ୍ୟେକ ବିଫଳ କାରବାର ପାଇଁ ଆପେ ଆପେ ୧୦୦ ଟଙ୍କା ମିଳେ ନାହିଁ। କ୍ଷତିପୂରଣ କେବଳ ସେତିକିବେଳେ ଲାଗୁ ହୁଏ, ଯେତେବେଳେ ସମ୍ପୃକ୍ତ କାରବାର RBI ର ନିୟମ ଅଧୀନରେ ଆସୁଥିବ ଏବଂ ବ୍ୟାଙ୍କ ର୍ନିଦ୍ଧାରିତ ସମୟ ସୀମା ପାଳନ କରିବାରେ ବିଫଳ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।