କୋରାପୁଟ କଫି ମହକିଛି
ଭୁବନେଶ୍ୱର:ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ମହକିଛି। କୋରାପୁଟର ପୂର୍ବଘାଟ ପର୍ବତମାଳାରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପ୍ରିମିୟମ ଆରବିକା କଫି ‘ଟାଇଗର ବ୍ରାଇଟ୍’ ବ୍ରିକ୍ସ ସମ୍ମିଳନୀରେ ଅତିଥିଙ୍କୁ ଉପହାରସ୍ୱରୂପ ପ୍ରଦାନ କରାଯାଇଛି। ଏହା ବିଶ୍ୱବାସୀଙ୍କୁ ଓଡ଼ିଶାର ସ୍ୱାଦ ସହ ପରିଚିତ କରାଇବା ସହ ଆଦିବାସୀ ଉଦ୍ୟୋଗ, ମୂଲ୍ୟ ବୃଦ୍ଧି ଏବଂ ସ୍ଥାୟୀ ଜୀବିକାରେ ଅପାର ସମ୍ଭାବନାକୁ ପ୍ରଦର୍ଶିତ କରୁଛି। ‘ଭୋକାଲ୍ ଫର୍ ଲୋକାଲ୍’ର ନାରାକୁ ପ୍ରତିଫଳିତ କରି କୋରାପୁଟ କଫି ଏବେ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପାଇଁ ଖ୍ୟାତି ଆଣିଦେଇଛି। ବ୍ରିକ୍ସ ସମ୍ମିଳନୀରେ ‘ଟାଇଗର ବ୍ରାଇଟ୍’ର ଉପସ୍ଥିତି ଏକ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ସମ୍ମିଳନୀରେ ଉଦୀୟମାନ ଅର୍ଥ ବ୍ୟବସ୍ଥାର ନେତା, ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ଏକାଠି ହୋଇଛନ୍ତି। ବ୍ରିକ୍ସ ଭଳି ଅନ୍ତର୍ଜାତୀୟ ମଞ୍ଚରେ କୋରାପୁଟର ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କଫିର ଅନ୍ତର୍ଭୁକ୍ତୀ କେବଳ ଆଞ୍ଚଳିକ ଉତ୍ପାଦକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ନୁହେଁ, ବରଂ ଆଦିବାସୀ ଚାଷୀଙ୍କ ପରିଶ୍ରମ, ସ୍ଥାନୀୟ ଉତ୍ପାଦନ, ମୂଲ୍ୟବୃଦ୍ଧି ଏବଂ ଜୀବିକା ସଶକ୍ତୀକରଣର ଏକ ସଫଳ କାହାଣୀକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବାର ଏକ ଅବସର ସୃଷ୍ଟି କରିଛି।
ବିଶେଷକରି ନନ୍ଦପୁର ଏବଂ ମାଛକୁଣ୍ଡ ଅଞ୍ଚଳରେ କୋରାପୁଟର କଫି ଚାଷ କରାଯାଇଥାଏ। ସମୁଦ୍ର ପତ୍ତନରୁ ପ୍ରାୟ ୯୨୦ରୁ ୯୫୦ ମିଟର ଉଚ୍ଚତାରେ ୧୦୦ ପ୍ରତିଶତ ଆରବିକା କଫି ଚାଷ ହୋଇଥାଏ। ଆମ୍ବ, ପଣସ ଏବଂ କମଳା ଜାତୀୟ ଗଛର ପ୍ରାକୃତିକ ଛାଇ ତଳେ କଫି ବଗିଚା ସୃଷ୍ଟି କରାଯାଏ। କଫି ଫଳଗୁଡ଼ିକ ପାଚିବା ପରେ ହାତରେ ତୋଳାଯାଇ ସାବଧାନତାର ସହ ପ୍ରକ୍ରିୟାକରଣ କରାଯାଏ, ଯାହା କୋରାପୁଟ କଫିର ସ୍ୱାଦ ଓ ଗୁଣବତ୍ତାକୁ ବଜାୟ ରଖେ। ଓଡ଼ିଶା ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସିଓଏଲ)ର ସମ୍ପୂର୍ଣ୍ଣ ସହଯୋଗରେ କିଣିବା, ଶୁଖାଇବା, ଗ୍ରେଡିଂ, ପ୍ରକ୍ରିୟାକରଣ ଏବଂ ବିପଣନ ପ୍ରକ୍ରିୟା ଶେଷ ହେବା ପରେ ଏହା ଗ୍ରାହକଙ୍କ ପାଖରେ ପହଞ୍ଚିଥାଏ। ୨୦୧୯ ସେପ୍ଟେମ୍ବର ୧୧ରେ ‘କୋରାପୁଟ କଫି’ ବ୍ରାଣ୍ଡ୍ର ଶୁଭାରମ୍ଭ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।