ଦିଲ୍ଲୀ-ଏନ୍ସିଆର’ରେ ବାୟୁ ଗୁଣବତ୍ତା ଖରାପ
ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଉପକଣ୍ଠରେ ଥଣ୍ଡା ସହିତ ପ୍ରଦୂଷଣ ବଢ଼ିବା ଆରମ୍ଭ ହୋଇଯାଇଛି। ପବନର ଗତି ହ୍ରାସ ପାଇଛି। ବାୟୁମଣ୍ଡଳରେ ଧୂଳି ଜମା ହେଉଛି। ବାୟୁ ଗୁଣବତ୍ତା ଖରାପ ହେବାର ଆଶଙ୍କା ଦେଖାଯାଉଛି। ଯାହା ଜଣାପଡୁଛି, ପାଣିପାଗରେ ବିଶେଷ ପରିବର୍ତ୍ତନ ହେବା ଆଶଙ୍କା କମ୍। ପବନର ଗତି ହ୍ରାସ ପାଉଥିବାରୁ ଦିଲ୍ଲୀ-ଏନ୍ସିଆରର ଲୋକଙ୍କୁ ପ୍ରଦୂଷଣରୁ ଆଶ୍ବସ୍ତି ମିଳିବାର ଆଶା କମ୍ ହୋଇଯାଇଛି।
ବାୟୁ ଗୁଣବତ୍ତା ଖରାପ ହେବା କାରଣରୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ବୁଧବାର ଦିନ ପୂରା ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍ସିଆର)ରେ ଗ୍ରେଡେଡ୍ ରେସ୍ପନ୍ସ ପ୍ଲାନ (ଜିଆରଏପି)ର ପ୍ରଥମ ପର୍ଯ୍ୟାୟ ଅର୍ଥାତ ଜିଆରଏପି-୧ ଲାଗୁ କରି ଦେଇଛି। ଆୟୋଗ ପକ୍ଷରୁ ସମସ୍ତ ସଂପର୍କିତ ସଂସ୍ଥାକୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବା ଏବଂ ବାୟୁ ଗୁଣବତ୍ତା ଉପରେ କ୍ରମାଗତ ଭାବରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି।
ସିଏକ୍ୟୁଏମ୍ ଆଦେଶ ଅନୁସାରେ ଦିଲ୍ଲୀର ବାୟୁ ଗୁଣବତ୍ତା କ୍ରମାଙ୍କ (ଏକ୍ୟୁଆଇ) ଅକ୍ଟୋବର ୨୦ରେ ୧୭୯ ଥିଲା, ଯାହା ମଡରେଟ କାଟାଗରିରେ ଆସିଥାଏ। କିନ୍ତୁ ଅକ୍ଟୋବର ୨୧ ତାରିଖ ଅପରାହ୍ଣ ୨ଟାରେ ଏହା ବଢ଼ି ୨୪୪ରେ ପହଞ୍ଚି ଯାଇଥିଲା। ଏଥି ସହିତ ଦିଲ୍ଲୀର ବାୟୁ ଖରାପ ବର୍ଗରେ ରେକର୍ଡ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।