ଦେଶର ରାଜଧାନୀ ଦିଲ୍ଲୀରେ ପ୍ରିମିୟମ୍ ମଦର ମୂଲ୍ୟରେ ବଡ଼ ଧରଣର ହ୍ରାସ

Oct 04, 2026 - 17:14
ଦେଶର ରାଜଧାନୀ ଦିଲ୍ଲୀରେ ପ୍ରିମିୟମ୍ ମଦର ମୂଲ୍ୟରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରିମିୟମ୍ ମଦର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିପାରେ। ଦିଲ୍ଲୀ ଅବକାରୀ ବିଭାଗ (Excise Department) ଏହାର ସମୀକ୍ଷା କରୁଛି। ଦିଲ୍ଲୀରେ କେତେକ ପ୍ରିମିୟମ୍ ସ୍କଚ୍ ହ୍ୱିସ୍କି ବ୍ରାଣ୍ଡର ମୂଲ୍ୟ ୧୦ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। ଭାରତ-ବ୍ରିଟେନ୍ ବାଣିଜ୍ୟ ଚୁକ୍ତି ଅଧୀନରେ ହ୍ରାସ ପାଇଥିବା କଷ୍ଟମ୍ ଡ୍ୟୁଟିର ପ୍ରଭାବକୁ ଅବକାରୀ ବିଭାଗ ଅନୁଧ୍ୟାନ କରୁଛି। ତେବେ ଏହି ଆଶ୍ୱସ୍ତି ସବୁ ବ୍ରାଣ୍ଡ ଉପରେ ଲାଗୁ ହେବ ବୋଲି କୌଣସି ବାଧ୍ୟତାମୂଳକ ନାହିଁ।

ଅବକାରୀ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ଭାରତ-ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି (CETA) ର ପ୍ରାବଧାନ ଏବଂ ଏହା ଅଧୀନରେ ହ୍ରାସ ପାଇଥିବା କଷ୍ଟମ୍ ଡ୍ୟୁଟିର ପ୍ରଭାବ ଦିଲ୍ଲୀରେ ପ୍ରତ୍ୟେକ ମଦ ବ୍ରାଣ୍ଡ୍‌ ଉପରେ ଅଲଗା ଅଲଗା ଦେଖାଯାଉଛି। ଅଧିକାରୀଙ୍କ କହିବା ଅନୁଯାୟୀ, ୧୦ ଅକ୍ଟୋବର ପରେ କେତେକ ବ୍ରାଣ୍ଡର ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ବାସ୍ତବରେ, ଭାରତ-ବ୍ରିଟେନ୍ ବାଣିଜ୍ୟ ଚୁକ୍ତି ଅଧୀନରେ ଯୋଗ୍ୟ ବ୍ରିଟିଶ୍ ହ୍ୱିସ୍କି ଏବଂ ଜିନ୍ ଉପରେ କଷ୍ଟମ୍ ଡ୍ୟୁଟି ୧୫୦ ପ୍ରତିଶତରୁ କମାଇ ୭୫ ପ୍ରତିଶତ କରାଯାଇଛି। ଆଗାମୀ ବର୍ଷଗୁଡ଼ିକରେ ଏହାକୁ ପର୍ଯ୍ୟାୟକ୍ରମେ ଆହୁରି ହ୍ରାସ କରି ୪୦ ପ୍ରତିଶତକୁ ଆଣିବାର ଯୋଜନା ରହିଛି। ତେବେ କଷ୍ଟମ୍ ଡ୍ୟୁଟିରେ ୫୦ ପ୍ରତିଶତ ହ୍ରାସର ସିଧାସଳଖ ଅର୍ଥ ନୁହେଁ ଯେ ମଦର ଖୁଚୁରା ମୂଲ୍ୟ ମଧ୍ୟ ସେତିକି କମିଯିବ। କୌଣସି ବୋତଲର ମୂଲ୍ୟରେ କଷ୍ଟମ୍ ଡ୍ୟୁଟି ବ୍ୟତୀତ ରାଜ୍ୟର ଅବକାରୀ ଶୁଳ୍କ , ଟ୍ୟାକ୍ସ, ରିଟେଲ୍ ମାର୍ଜିନ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସାମିଲ ଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।