ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର

Oct 29, 2026 - 13:35
ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର

ଭଞ୍ଜନଗର,୨୯।୧୦:ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନେକ ଗ୍ରାମ ଜଳବନ୍ଦୀ ହୋଇଛି। ଘରେ ବନ୍ୟାଜଳ ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ଭଞ୍ଜନଗରରୁ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଯୋଗାଯୋଗ ବ୍ୟାହତ ହୋଇଛି। ଫସି ରହିଥିବା ଲୋକଙ୍କୁ ତୁରନ୍ତ ଓଡ୍ରାଫ ଟିମ ସହାୟତାରେ ଉଦ୍ଧାର କରାଯାଉଛି, ରିଲିଫ ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଭଞ୍ଜନଗର ସହର ତଳିର ଅନେକ ପକ୍କା ଘର ପାଣିରେ ବୁଡ଼ିଯାଇଥିବା ବେଳେ ଲୋହରାଖଣ୍ଡି ନଦୀରେ ବନ୍ୟାଜଳ ବୃଦ୍ଧି ପରିସ୍ଥିତିକୁ ଜଟିଳ କରିଛି। ଭଞ୍ଜନଗର-ବ୍ରହ୍ମପୁର ରାସ୍ତାର ଦମକଳ କେନ୍ଦ୍ର ନିକଟରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି।
ସେହିପରି ଭଞ୍ଜନଗର-ଭୁବନେଶ୍ୱର ମୁଖ୍ୟ ରାସ୍ତାର ଜାମପଲ୍ଲୀ ମନ୍ଦିର ନିକଟରେ ଲୋହରାଖଣ୍ଡି ନଦୀଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି। ଅନ୍ୟପକ୍ଷରେ କଳିଙ୍ଗା ଘାଟି ରାସ୍ତା ମଧ୍ୟ ବନ୍ଦ ରହିଛି। ତେବେ ଭଞ୍ଜନଗର-ଦଶପଲ୍ଲା ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି। କମାଳବାରି ତୋଟା ନିକଟରେ ବଡ଼ନଦୀର ଜଳସ୍ତର ବଢ଼ିଲେ ଏହି ରାସ୍ତା ମଧ୍ୟ ବନ୍ଦ ହେବାର ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।