ଭାରତ ଛାଡ଼ିବାକୁ ମୌସୁମି ସଜବାଜ ହେଲାଣି

Sep 15, 2026 - 17:49
ଭାରତ ଛାଡ଼ିବାକୁ ମୌସୁମି ସଜବାଜ ହେଲାଣି

ଭୁବନେଶ୍ୱର: ଭାରତ ଛାଡ଼ିବାକୁ ମୌସୁମି ସଜବାଜ ହେଲାଣି। ଆସନ୍ତା ୧୯ ତାରିଖରୁ ରାଜସ୍ଥାନରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ସେପ୍ଟେମ୍ବର ୧୪ରେ ରାଜସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅପସରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବର୍ଷ ଅପସାରଣରେ ସାମାନ୍ୟ ବିଳମ୍ବ ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଚଳିତବର୍ଷ ମୌସୁମି ମେ’ ମଧ୍ୟଭାଗରେ ଆଣ୍ଡାମାନ ସାଗର ସ୍ପର୍ଶ କରିଥିବା ବେଳେ ଜୁନ ୪ରେ କେରଳ ଉପକୂଳ ଦେଇ ଭାରତ‌ରେ ପାଦ ଥାପିଥିଲା। ପରେ ପର୍ଯ୍ୟାୟକ୍ରମେ ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ମୌସୁମି ଅଗ୍ରସର ହୋଇଥିଲା। ଜୁଲାଇ ୯ ସୁଦ୍ଧା ସାରା ଦେଶକୁ ମୌସୁମି ସ୍ପର୍ଶ କରିଥିଲା। ଅପରପକ୍ଷେ, ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ‌ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ମଙ୍ଗଳବାର ସକାଳ ସାଢ଼େ ୮ଟା ମଧ୍ୟରେ ଉତ୍ତର ଓଡ଼ିଶାର ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛିି। ଆସନ୍ତା ୧୮ ତାରିଖରୁ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ସେପ୍ଟେମ୍ବର ତୃତୀୟ ସପ୍ତାହରେ ଗୋଟିଏ ଲଘୁଚାପ ଏବଂ ଚତୁର୍ଥ ସପ୍ତାହରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୨ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ସେହିପରି, ଆସନ୍ତା ୨୫ରୁ ଅକ୍ଟୋବର ୨ ମଧ୍ୟବର୍ତ୍ତୀ ସମୟରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ ରୂପ ନେବାର ପ୍ରାଥମିକ ସଙ୍କେତରୁ ଜଣାପଡ଼ୁଛି। ସମ୍ଭାବ୍ୟ ଦୁଇଟି ଲଘୁଚାପର ଗତିବିଧି କ’ଣ ରହିବ, ତାହା ଆସନ୍ତା ୨୦ ତାରିଖ ବେଳକୁ ସ୍ପଷ୍ଟ ଆକଳନ କରାଯାଇପାରିବ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।