ସାଧାରଣ ନିର୍ବାଚନର ଫଳାଫଳ ଏକ ଜଟିଳ ରାଜନୈତିକ ମହାସଙ୍କଟ ଆଡ଼କୁ ଗତି

Oct 28, 2026 - 13:02
ସାଧାରଣ ନିର୍ବାଚନର ଫଳାଫଳ ଏକ ଜଟିଳ ରାଜନୈତିକ ମହାସଙ୍କଟ ଆଡ଼କୁ ଗତି

ଜେରୁସାଲେମ୍: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱକୁ ନେଇ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନର ଫଳାଫଳ ଏକ ଜଟିଳ ରାଜନୈତିକ ମହାସଙ୍କଟ ଆଡ଼କୁ ଗତି କରୁଛି। ନିର୍ବାଚନର ପ୍ରାରମ୍ଭିକ ଭୋଟ୍ ଗଣତି ଏବଂ ସଂଶୋଧିତ ଏଗଜିଟ୍ ପୋଲ୍ ଅନୁଯାୟୀ, ୧୨୦ ଆସନବିଶିଷ୍ଟ ଇସ୍ରାଏଲ୍ ସଂସଦ ”କନେସେଟ୍” ରେ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ଦକ୍ଷିଣପନ୍ଥୀ ମେଣ୍ଟ ଏବଂ ଗାଡି ଆଇଜେନକୋଟଙ୍କ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଦୁଇ ପ୍ରମୁଖ ଗୋଷ୍ଠୀ ପ୍ରାୟ ୫୧-୫୧ଟି ଆସନରେ ସୀମିତ ରହିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବୁଧବାର ସକାଳ ସୁଦ୍ଧା ଆସିଥିବା ପ୍ରାରମ୍ଭିକ ଗଣତି ଅନୁଯାୟୀ, ନେତାନ୍ୟାହୁଙ୍କ ”ଲିକୁଡ୍” ପାର୍ଟି ୨୫.୩୪ ପ୍ରତିଶତ ଭୋଟ୍ ସହ ପ୍ରାୟ ୨୭ଟି ଆସନ ଜିତି ଗ୍ରହଣଯୋଗ୍ୟ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହେଉଛି। ଅନ୍ୟପକ୍ଷରେ, ଆଇଜେନକୋଟଙ୍କ ”ୟାଶାର୍” ପାର୍ଟି ୧୬.୬ ପ୍ରତିଶତ ଭୋଟ୍ ସହ ତାଙ୍କ ପଛକୁ ରହିଛି। ତେବେ ଲିକୁଡ୍ ବୃହତ୍ତମ ଦଳ ଭାବେ ସାମ୍ନାକୁ ଆସିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା (୬୧ ସିଟ୍) ପାଇବା ନେଇ ବଡ଼ ଅନିଶ୍ଚିତତା ଦେଖାଦେଇଛି।

ଜାତୀୟତାବାଦୀ ସରକାର ଗଠନ କରିବାକୁ ଆହ୍ୱାନ

ବୁଧବାର ସକାଳେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ନେତାନ୍ୟାହୁ ଇସ୍ରାଏଲରେ ଏକ ଦୃଢ଼ ଦକ୍ଷିଣପନ୍ଥୀ ତଥା ଜାତୀୟତାବାଦୀ ସରକାର ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ସେ ଆରବ-ସମର୍ଥିତ ଦଳଗୁଡ଼ିକୁ ସମାଲୋଚନା କରିବା ସହ ସେମାନଙ୍କ ସହ ସରକାର ଗଢ଼ିବା ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଅନ୍ୟପଟେ ବିରୋଧୀ ନେତା ଆଇଜେନକୋଟ୍ କହିଛନ୍ତି ଯେ, ଏଗଜିଟ୍ ପୋଲରୁ ନେତାନ୍ୟାହୁଙ୍କ ପ୍ରତି ଦେଶବାସୀଙ୍କ ଆସ୍ଥାହୀନତା ସ୍ପଷ୍ଟ ପ୍ରମାଣିତ ହେଉଛି। ଗାଜା, ଲେବାନନ୍ ଏବଂ ଇରାନ୍ ସହ ହୋଇଥିବା ଯୁଦ୍ଧ ଓ ଦେଶ ଭିତରେ ବୃଦ୍ଧି ପାଉଥିବା ସାମାଜିକ ଓ ରାଜନୈତିକ ଧ୍ରୁବୀକରଣ ମଧ୍ୟରେ ଅନୁଷ୍ଠିତ ଏହି ନିର୍ବାଚନକୁ ନେତାନ୍ୟାହୁଙ୍କ ୧୭ ବର୍ଷର ଶାସନକାଳ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଜନାଦେଶ ଭାବେ ଦେଖାଯାଉଛି। ତେବେ ସମ୍ପୂର୍ଣ୍ଣ ଓ ଚୂଡ଼ାନ୍ତ ଫଳାଫଳ ଆସିବା ପରେ ହିଁ ଇସ୍ରାଏଲରେ ଆଗାମୀ ସରକାର କାହାର ହେବ, ସେ ନେଇ ଚିତ୍ର ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।