NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ
ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ ବିଚାର କରି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରି, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏକ ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍’ (SOP) ପ୍ରସ୍ତୁତ କରିଛି। ଏହି SOP ରେ ଜାତୀୟ ରାଜପଥରୁ ବୁଲା ପଶୁମାନଙ୍କୁ ହଟାଇବା, ସେମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଯତ୍ନ ସୁନିଶ୍ଚିତ କରିବା ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି।
ରାଜପଥ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାଗୁଡ଼ିକୁ ରାଜପଥରୁ ଏହି ପଶୁମାନଙ୍କୁ ସୁରକ୍ଷିତ ଭାବେ ହଟାଇବାର ଦାୟିତ୍ୱ ଦିଆଯିବ। ଅନ୍ୟପକ୍ଷରେ, ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ (ସମ୍ବେଦନଶୀଳ ଅଞ୍ଚଳରେ ପ୍ରତି ୫୦ କିଲୋମିଟରରେ) ଆଶ୍ରୟସ୍ଥଳ, ପଶୁ ରଖିବା ସ୍ଥାନ କିମ୍ବା ‘ଗୌଶାଳା’ (ଗୋ-ଆଶ୍ରୟସ୍ଥଳ) ସ୍ଥାପନ ଓ ପରିଚାଳନା କରିବା ଦାୟିତ୍ୱ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଉପରେ ନ୍ୟସ୍ତ ରହିବ।
ରାଜ୍ୟଗୁଡ଼ିକ ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍’ (SOP) ଅନୁଯାୟୀ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (NHAI) କିମ୍ବା ଜାତୀୟ ରାଜପଥ ଓ ଏକ୍ସପ୍ରେସୱେର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସଂସ୍ଥା ଏହି ମାର୍ଗଗୁଡ଼ିକରେ ଥିବା ସେହି ସ୍ଥାନଗୁଡ଼ିକୁ ଚିହ୍ନଟ କରିବ ଯେଉଁଠାରେ ବୁଲା ପଶୁମାନେ ପ୍ରାୟତଃ ଦେଖିବାକୁ ମିଳନ୍ତି। ଏହି ସ୍ଥାନଗୁଡ଼ିକୁ ‘ପିଏମ ଗତି-ଶକ୍ତି’ (PM Gati-Shakti) ପ୍ଲାଟଫର୍ମରେ ଚିହ୍ନିତ କରାଯିବ।
ଏହି ସଂସ୍ଥାଗୁଡ଼ିକ ରାଜପଥରୁ ପଶୁମାନଙ୍କୁ ସୁରକ୍ଷିତ ଭାବେ ହଟାଇବା ଏବଂ ସେମାନଙ୍କୁ ଆଶ୍ରୟସ୍ଥଳ, ପଶୁ ରହିବା ସ୍ଥାନ କିମ୍ବା ଗୋଶାଳାକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଦାୟୀ ରହିବେ ତଥା ଏଥିପାଇଁ ହେଉଥିବା ପରିବହନ ଖର୍ଚ୍ଚ ବହନ କରିବେ। ଏଥିସହିତ, ରାଜ୍ୟ ସରକାରଙ୍କ ମାଧ୍ୟମରେ ଜିଲା ପ୍ରଶାସନ, ସ୍ଥାନୀୟ ସଂସ୍ଥା କିମ୍ବା ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ଗୋଟିଏ ଆଶ୍ରୟସ୍ଥଳ କିମ୍ବା ଗୋଶାଳା ଚିହ୍ନଟ କିମ୍ବା ସ୍ଥାପନ କରିବେ।
ସେଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ କିମ୍ବା ଜିଲା ପ୍ରଶାସନ ଉପରେ ନ୍ୟସ୍ତ ରହିବ। ଯେଉଁ ଅଞ୍ଚଳରେ ବୁଲା ପଶୁମାନେ ବହୁଳ ଭାବରେ ଦେଖାଯାଆନ୍ତି, ସେଠାରେ ୫୦ କିଲୋମିଟର ପରିସର ମଧ୍ୟରେ ଆଶ୍ରୟସ୍ଥଳୀ ସ୍ଥାପନ କରାଯିବା ଆବଶ୍ୟକ। ପରିବହନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ପଦକ୍ଷେପ ନେବାକୁ ପଡ଼ିବ।
ଏହି ବ୍ୟବସ୍ଥା ମାଧ୍ୟମରେ ଜାତୀୟ ରାଜପଥ ଦେଇ ଆଶ୍ରୟସ୍ଥଳୀକୁ ପରିବହନ କରାଯାଉଥିବା ପଶୁମାନଙ୍କ ପାଇଁ, ରାଜ୍ୟଗୁଡ଼ିକ ପ୍ରତି ପଶୁ ପିଛା ପରିବହନ ଶୁଳ୍କ ନିର୍ଦ୍ଧାରଣ କରିବେ ଏବଂ ଜାତୀୟ ରାଜପଥ ସହ ଜଡ଼ିତ ସଂସ୍ଥା ଏହି ଅର୍ଥ ପ୍ରଦାନ କରିବ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।