NIA Court to Issue Summons to Hafiz Saeed: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ହାଫିଜ ସଇଦକୁ ସମନ ପଠାଇବ NIA କୋର୍ଟ

Aug 22, 2026 - 19:17
NIA Court to Issue Summons to Hafiz Saeed: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ହାଫିଜ ସଇଦକୁ ସମନ ପଠାଇବ NIA କୋର୍ଟ

ପାକିସ୍ତାନରେ ଥିବା ଲସ୍କର-ଏ-ତୋଏବାର ପ୍ରତିଷ୍ଠାତା ହାଫିଜ ସଇଦକୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ସମନ ପଠାଇବ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ସ୍ୱତନ୍ତ୍ର କୋର୍ଟ। ପହଲଗାମ ଆକ୍ରମଣ ମାମଲାରେ ହାଫିଜ ସଇଦକୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।

ଜମ୍ମୁସ୍ଥିତ ସ୍ୱତନ୍ତ୍ର NIA କୋର୍ଟରେ ବିଚାର ପାଇଁ ହାଜର ହେବାକୁ ସଇଦକୁ ନିର୍ଦ୍ଦେଶ ଦେଇ ଏହି ସମନ ବୈଦେଶିକ ମନ୍ତ୍ରଣାଳୟ (MEA) ମାଧ୍ୟମରେ ପଠାଯିବ।
ଏହା ପୂର୍ବରୁ କୋର୍ଟ ହାଫିଜ ସଇଦ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିସାରିଛି। NIA ଅଭିଯୋଗ କରିଛି ଯେ, ୨୦୨୫ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲା ସୟିଦ । ଏହି ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଥିଲା।

ସଇଦର ଅନୁପସ୍ଥିତିରେ ହୋଇପାରେ ବିଚାର

ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମଧ୍ୟ ଯଦି ହାଫିଜ ସଇଦ କୋର୍ଟରେ ହାଜର ନହୁଏ, ତେବେ ତା ଅନୁପସ୍ଥିତିରେ ବିଚାର ହୋଇପାରେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୩୫୬ ଅନୁଯାୟୀ କୋର୍ଟ ଏପରି ମାମଲାରେ ତଦନ୍ତ କିମ୍ବା ବିଚାର କରି ରାୟ ଦେଇପାରିବ।

ଏହି ବ୍ୟବସ୍ଥା ଅନୁଯାୟୀ, ଯେଉଁ ଘୋଷିତ ଅପରାଧୀ ଆଇନଗତ ପ୍ରକ୍ରିୟାରୁ ବଞ୍ଚିବା ପାଇଁ ଫେରାର ହୋଇଛି ଏବଂ ନିକଟ ଭବିଷ୍ୟତରେ ଗିରଫ ହେବାର ସମ୍ଭାବନା ନାହିଁ, ତା ବିରୋଧରେ କୋର୍ଟ ତଦନ୍ତ, ବିଚାର ଓ ରାୟ ଦେଇପାରିବ।

ତେବେ ଅଭିଯୁକ୍ତର ଅନୁପସ୍ଥିତିରେ ବିଚାର ଆରମ୍ଭ କରିବା ପୂର୍ବରୁ କୋର୍ଟକୁ ଅନେକ ଆଇନଗତ ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ଏଥିରେ ଲଗାତାର ଦୁଇଟି ଗିରଫ ପରୱାନା ଜାରି କରିବା ଏବଂ ଘୋଷିତ ଅପରାଧୀକୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇ ନୋଟିସ ପ୍ରକାଶ କରିବା ଭଳି ପ୍ରକ୍ରିୟା ରହିଛି।

ଚାର୍ଜ ଗଠନ ହେବା ତାରିଖଠାରୁ ୯୦ ଦିନ ପୂରଣ ନହେବା ପର୍ଯ୍ୟନ୍ତ ଅନୁପସ୍ଥିତିରେ ବିଚାର ଆରମ୍ଭ ହୋଇପାରିବ ନାହିଁ। ଯଦି ଅଭିଯୁକ୍ତ ପକ୍ଷରୁ କୌଣସି ଓକିଲ ଉପସ୍ଥିତ ନହୁଅନ୍ତି, ତେବେ ତା ପକ୍ଷରୁ ମାମଲା ଲଢ଼ିବା ପାଇଁ ରାଜ୍ୟ ପକ୍ଷରୁ ଜଣେ ଓକିଲ ନିଯୁକ୍ତ କରିବାକୁ ପଡ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।