Nine Passengers Die After Bus Catches Fire: ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ ଯାତ୍ରୀ, ବସ୍ ରୋକିଲାନି ଡ୍ରାଇଭର୍
ରାତିଅଧରେ ଛାତି ଥରାଇବା ଭଳି ଦୁର୍ଘଟଣା । ନିଘୋଡ ନିଦରେ ଶୋଇଥିଲେ ଯାତ୍ରୀ, ହୁତୁ ହୁତୁ ଜଳିଲା ଚଳନ୍ତା ବସ୍ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଏମିତି ଯେ କାଳ ଗ୍ରାସିବ କିଏ ବା ଜାଣିଥିଲା । ରାଜଧାନୀ ଦିଲ୍ଲୀରୁ ୩୦ରୁ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ରେ ହଠାତ୍ ଲାଗିଲା ନିଆଁ । ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଗୋଟିଏ ଭୁଲ୍ ନେଇଗଲା ନଅ ନଅଟା ଜୀବନ । ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେରେ ଘଟିଛି ଏହି ବଡ଼ ଅଘଟଣ । ଦୁର୍ଘଟଣା ଭୟାନକ ଥିଲା ।
ପ୍ରାଇଭେଟ ବସ୍ଟି ଦିଲ୍ଲୀରୁ ଉତ୍ତରପ୍ରଦେଶର ମହୋବା ଯାଉଥିଲା । ସମୟ ରାତି ପ୍ରାୟ ସାଢେ ୧୧ଟା । ହଠାତ୍ ଡ୍ରାଇଭର କ୍ୟାବିନରୁ ପୋଡା ଗନ୍ଧ ଆସିଥିଲା । ଏନେଇ ଯାତ୍ରୀମାନେ ଡ୍ରାଇଭର ଓ କଣ୍ଡକ୍ଟରକୁ ଜଣାଇଥିଲେ । କିନ୍ତୁ ଡ୍ରାଇଭର୍ ଗାଡି ଅଟକାଇନଥିଲେ କିମ୍ବା ଥରୁଟିଏ ଯାଞ୍ଚ ବି କରିନଥିଲେ । ଏମିତିକା ଗନ୍ଧ ବସ୍ରେ ସାଧାରଣ କଥା ବୋଲି ସେ କହିଥିଲେ । ଏହାପରେ ଉଭୟ ଡ୍ରାଇଭର ଓ କଣ୍ଡକ୍ଟର ମିଶି ସିଗାରେଟ୍ ଟାଣିଥିଲେ । ଆଉ ଏହାର ମାତ୍ର କେଇ ମିନିଟ୍ ଭିତରେ ଅଚାନକ ଡ୍ରାଇଭର ସିଟ୍ରେ ଲାଗିଥିଲା ନିଆଁ ।
ଚାହୁଁ ଚାହୁଁ ନିଆଁ ସାରା ବସ୍ରେ ବ୍ୟାପି ଯାଇଥିଲା । ଚିତ୍କାର କରିଥିଲେ ଯାତ୍ରୀ । ଡ୍ରାଇଭରକୁ ବସ୍ ରୋକିବାକୁ କହିଥିଲେ ହେଲେ ସେତେବେଳକୁ ଆଉ ଡ୍ରାଇଭରର ନିୟନ୍ତ୍ରଣରେ ନଥିଲା ଗାଡ଼ି । କିଛି ଯାତ୍ରୀ ଝରକା ପଟେ ଡେଇଁ ପଡି ଜୀବନ ବଞ୍ଚାଇଥିଲେ । ହେଲେ ନିଆଁ ଓ ପ୍ରବଳ ଧୂଆଁ ଯୋଗୁଁ ଆଉ କିଛି ଯାତ୍ରୀ ବସ୍ରୁ ବାହାରି ପାରିନଥିଲେ । ଯାହାଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ଅଛନ୍ତି ।
ଏହି ଅଘଟଣରେ ଦୁଃଖପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ଅନୁକଂପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଚରମ ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ୍ ଉଭୟଙ୍କୁ ଅଟକ ରଖି ଅଧିକ ଛାନଭିନ୍ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।