Non-Dairy Paneer Ban: ପନିରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ବର୍ଷେ ପାଇଁ ଲାଗିଲା କଟକଣା

Aug 22, 2026 - 17:30
Non-Dairy Paneer Ban: ପନିରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ବର୍ଷେ ପାଇଁ ଲାଗିଲା କଟକଣା

ପନିର ଖାଉଥିବା ଲୋକଙ୍କ ପାଇଁ ବଡ଼ ଖବର। କର୍ଣ୍ଣାଟକ ସରକାର ନନ୍‌-ଡେରୀ ବା ଆନାଲଗ୍‌ ପନିର ଉପରେ ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇଛନ୍ତି। ରାଜ୍ୟର ଫୁଡ୍‌ ସେଫ୍ଟି ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ କହିଛି, ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ବିଭାଗର ନୋଟିଫିକେସନ୍‌ ଅନୁସାରେ, ‘ପନିର’ ନାମରେ ବିକ୍ରି ହେଉଥିବା ନନ୍‌-ଡେରୀ କିମ୍ବା ଆନାଲଗ୍‌ ପନିରର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକିଂ, ମହଜୁଦ, ପରିବହନ, ବଣ୍ଟନ ଏବଂ ବିକ୍ରି ଉପରେ ରୋକ୍‌ ଲଗାଯାଇଛି। ଏହି ପ୍ରତିବନ୍ଧ ଆସନ୍ତା ବର୍ଷ ଅଗଷ୍ଟ ୧୭ ପର୍ଯ୍ୟନ୍ତ ଜାରି ରହିବ।

ନିୟମ ଅନୁସାରେ, ପନିର ହେଉଛି କ୍ଷୀରରୁ ପ୍ରସ୍ତୁତ ଏକ ମାନକୀକୃତ ଖାଦ୍ୟ। ପନିରରେ କ୍ଷୀରର ଫ୍ୟାଟ୍‌ ଏକ ମୁଖ୍ୟ ଉପାଦାନ। କିନ୍ତୁ କ୍ଷୀରର ଉପାଦାନ ବଦଳରେ ଭେଜିଟେବଲ୍‌ ଅଏଲ୍‌, ଭେଜିଟେବଲ୍‌ ଫ୍ୟାଟ୍‌ କିମ୍ବା ଅନ୍ୟ ନନ୍‌-ଡେୟରୀ ଉପାଦାନ ବ୍ୟବହାର କରି ତିଆରି ହେଉଥିବା ଉତ୍ପାଦକୁ ଆନାଲଗ୍‌ ପନିର କୁହାଯାଏ।

ତେବେ ଏଠାରେ ଏକ ରୋଚକ କଥା ମଧ୍ୟ ସାମ୍ନାକୁ ଆସିଛି। କର୍ଣ୍ଣାଟକ ସରକାର କହିଛନ୍ତି ଯେ ଅନେକ ପନିର ନମୁନା ପରୀକ୍ଷା କରାଯାଇଥିଲା ଏବଂ ଭେଜିଟେବଲ୍‌ ଅଏଲ୍‌ କିମ୍ବା ଭେଜିଟେବଲ୍‌ ଫ୍ୟାଟ୍‌ ମିଶାଇ ପନିରରେ ଅପମିଶ୍ରଣ ହୋଇଥିବା ମାମଲା ମିଳିନଥିଲା। ତଥାପି ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ନିଷେଧାଦେଶ ଜାରି କରାଯାଇଛି।

ତେବେ ସମସ୍ତ ପନିର କିମ୍ବା ସମସ୍ତ ଡେୟରୀ ଉତ୍ପାଦ ଉପରେ ଏହି ନିୟମ ଲାଗୁ ହେବ ନାହିଁ। FSSAI ପକ୍ଷରୁ ପୂର୍ବରୁ ମାନକ ନିର୍ଦ୍ଧାରିତ ଥିବା ଫ୍ରୋଜେନ୍‌ ଡେଜର୍ଟ, ପ୍ରୋସେସ୍‌ଡ୍‌ ଚିଜ୍‌ ଏବଂ ମିକ୍ସଡ୍‌ ଫ୍ୟାଟ୍‌ ସ୍ପ୍ରେଡ୍‌ ଭଳି ଉତ୍ପାଦ ଏହି ନିଷେଧର ଅଧୀନରେ ଆସିବ ନାହିଁ।

କର୍ଣ୍ଣାଟକ ପୂର୍ବରୁ ଏଭଳି ନନ୍‌-ଡେୟରୀ ବା ଆନାଲଗ୍‌ ପନିର ବିରୋଧରେ ପଦକ୍ଷେପ ନେଇଥିବା ଅନ୍ୟ ରାଜ୍ୟମାନଙ୍କ ତାଲିକାରେ ସାମିଲ ହୋଇଛି। ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଛତିଶଗଡ଼ ଏବଂ ଗୁଜରାଟ ମଧ୍ୟ ଗତ ଏକ ମାସ ମଧ୍ୟରେ ଆନାଲଗ୍‌ ବା ନନ୍‌-ଡେୟରୀ ପନିର ନେଇ ପ୍ରତିବନ୍ଧ ଲଗାଇଛନ୍ତି।

ଅର୍ଥାତ୍‌, କର୍ଣ୍ଣାଟକରେ ଏଣିକି ‘ପନିର’ ନାମରେ ବିକ୍ରି ହେଉଥିବା ନନ୍‌-ଡେୟରୀ ଉତ୍ପାଦ ଉପରେ କଡ଼ା ନଜର ରହିବ। ସରକାରଙ୍କ ଉଦ୍ଦେଶ୍ୟ ହେଉଛି ବଜାରରେ ମାନକ ଅନୁସାରେ ପ୍ରସ୍ତୁତ କ୍ଷୀରଜ ପନିର ଉପଲବ୍ଧ କରାଇବା ଏବଂ ଖାଦ୍ୟ ସୁରକ୍ଷାକୁ ଅଧିକ ମଜବୁତ କରିବା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।