Nuclear Tests Triggered 1,399 Quakes: ୮ ବର୍ଷ ଧରି ଥମୁନି କମ୍ପନ, ୨୦୦୮ରୁ ୨୦୨୫ ମଧ୍ୟରେ ୧୩୯୯ ଭୂକମ୍ପ! ବଦଳିଯାଇଛି ପର୍ବତର ଆକାର

Sep 19, 2026 - 11:41
Nuclear Tests Triggered 1,399 Quakes: ୮ ବର୍ଷ ଧରି ଥମୁନି କମ୍ପନ, ୨୦୦୮ରୁ ୨୦୨୫ ମଧ୍ୟରେ ୧୩୯୯ ଭୂକମ୍ପ! ବଦଳିଯାଇଛି ପର୍ବତର ଆକାର

ପରମାଣୁ ପରୀକ୍ଷା ଏବେ କେବଳ ସାମରିକ ଉତ୍ତେଜନା ସୃଷ୍ଟି କରିନାହିଁ, ବରଂ ପ୍ରାକୃତିକ ବିପର୍ଯ୍ୟୟ ବି ଆଣୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର କୋରିଆରେ। ଉତ୍ତର କୋରିଆର ପରମାଣୁ ପରୀକ୍ଷା ପ୍ରକୃତି ଉପରେ ଏହାର ଭୟଙ୍କର ଦୀର୍ଘସ୍ଥାୟୀ ପ୍ରଭାବ ପକାଇଛି। ଦେଶର ମୁଖ୍ୟ ପରମାଣୁ ପରୀକ୍ଷା କେନ୍ଦ୍ର ନିକଟରେ ଭୂମିକମ୍ପ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା, ୨୦୧୭ ମସିହାରେ ଉତ୍ତର କୋରିଆ ଶେଷ ଥର ପାଇଁ ପରମାଣୁ ପରୀକ୍ଷା କରିଥିଲେ ମଧ୍ୟ ସେହି ସ୍ଥାନରେ ଭୂକମ୍ପର ପ୍ରକ୍ରିୟା ବନ୍ଦ ହୋଇନି, ବରଂ ଦିନକୁ ଦିନ ଏହାର ଫ୍ରିକୁଏନ୍ସି ଏବଂ ପ୍ରଭାବ ବଢ଼ିବାରେ ଲାଗିଛି। ଏକ ନୂତନ ବୈଜ୍ଞାନିକ ଅଧ୍ୟୟନରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ବୈଜ୍ଞାନିକମାନଙ୍କ ସୂଚନା ଅନୁଯାୟୀ, ଉତ୍ତର କୋରିଆର ପରମାଣୁ ପରୀକ୍ଷାସ୍ଥଳ ଥିବା 'ମାଉଣ୍ଟ ମାଣ୍ଟପ୍' ଏବଂ ଏହାର ଆଖପାଖ ଅଞ୍ଚଳ ଗତ ୨,୦୦୦ ବର୍ଷ ଧରି ସମ୍ପୂର୍ଣ୍ଣ ଶାନ୍ତ ଥିଲା ଏବଂ ସେଠାରେ କୌଣସି ପ୍ରାକୃତିକ ଭୂକମ୍ପ ହୋଇ ନଥିଲା। କିନ୍ତୁ ବୈଜ୍ଞାନିକମାନେ ୨୦୦୮ରୁ ୨୦୨୫ ମସିହା ମଧ୍ୟରେ ସଂଗ୍ରହ କରାଯାଇଥିବା ସେସ୍ମିକ୍ ତଥ୍ୟ ଯାଞ୍ଚ କରି ମୋଟ ୧,୩୯୯ଟି ଭୂକମ୍ପ ଚିହ୍ନଟ କରିଛନ୍ତି। ଉତ୍ତର କୋରିଆ ଏହି ପର୍ବତ ନିମ୍ନରେ ୨୦୦୬ରୁ ୨୦୧୭ ମସିହା ମଧ୍ୟରେ ମୋଟ ଛଅଟି ଭୂତଳ ପରମାଣୁ ପରୀକ୍ଷା କରିଥିଲା।

ସାଧାରଣତଃ ଭୂତଳ ପରମାଣୁ ବିସ୍ଫୋରଣ ପରେ କିଛି ସମୟ ପାଇଁ କମ୍ପନ ଅନୁଭବ ହୋଇଥାଏ ଏବଂ କ୍ରମଶଃ ତାହା କମିଯାଇଥାଏ। କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯାହା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

୨୦୧୩ ମସିହାରେ ଉତ୍ତର କୋରିଆର ତୃତୀୟ ପରମାଣୁ ପରୀକ୍ଷା ପରେ ସେଠାରେ ପ୍ରଥମ କରି କିଛି ଭୂକମ୍ପ ରେକର୍ଡ କରାଯାଇଥିଲା, କିନ୍ତୁ ତାହା ବହୁତ କମ୍ ଥିଲା। ୨୦୧୭ ମସିହାରେ ଦେଶର ଷଷ୍ଠ ତଥା ସବୁଠାରୁ ଶକ୍ତିଶାଳୀ ପରମାଣୁ ପରୀକ୍ଷା ପରେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଥିଲା। ଏହି ଷଷ୍ଠ ପରୀକ୍ଷାଟି ୬.୩ ତୀବ୍ରତାର ଏକ ଭୀଷଣ ଭୂକମ୍ପ ସୃଷ୍ଟି କରିଥିଲା। ଏହାର ପ୍ରଭାବରେ ପର୍ବତର ଭୂତଳ ସୁଡଙ୍ଗ ଭୁଶୁଡ଼ି ପଡ଼ିବା ସହିତ ପର୍ବତର ଶିଖରର ଆକାର ପ୍ରାୟ ୩ ମିଟର ପର୍ଯ୍ୟନ୍ତ ବଦଳି ଯାଇଥିଲା।

ଗବେଷକମାନଙ୍କ ମତରେ, ୨୦୧୭ ମସିହାର ସେହି ବିରାଟ ପରମାଣୁ ବିସ୍ଫୋରଣ ପରେ ମାଉଣ୍ଟ ମାଣ୍ଟପ୍ ପର୍ବତର ଭୂତଳ ଅବସ୍ଥା ଆଉ ପୂର୍ବପରି ସ୍ୱାଭାବିକ ଅବସ୍ଥାକୁ ଫେରି ନାହିଁ। ପର୍ବତ ଭିତରେ ଏହିପରି ନୂଆ ଓ ପୁରୁଣା ଫାଟ ସୃଷ୍ଟି ହେବା ଏବଂ ସେଥିରେ ପାଣି ପଶି ଚାପ ବୃଦ୍ଧି ପାଇବା ଯୋଗୁଁ ପଥରଗୁଡ଼ିକ ପରସ୍ପରଠାରୁ ଖସିଯାଉଛନ୍ତି, ଯାହାଫଳରେ ସେଠାରେ ବାରମ୍ବାର କ୍ଷୁଦ୍ର ଭୂକମ୍ପ ସୃଷ୍ଟି ହେଉଛି। ପରମାଣୁ ପରୀକ୍ଷାର ଏପରି ଦୀର୍ଘସ୍ଥାୟୀ ପାର୍ଶ୍ୱପ୍ରତିକ୍ରିୟା ବିଜ୍ଞାନୀମାନଙ୍କୁ ଚିନ୍ତାରେ ପକାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।