Nushrratt Suffers Spine Fracture: ସାଂଘାତିକ ଦୁର୍ଘଟଣାର ଶିକାର ହେଲେ ନୁସରତ ଭରୁଚା; ଭାଙ୍ଗିଗଲା ମେରୁଦଣ୍ଡ!
ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କୁ ନେଇ ଆସିଛି ଚିନ୍ତାଜନକ ଖବର। ଇଣ୍ଡୋନେସିଆର ବାଲିରେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ମେରୁଦଣ୍ଡରେ ଫ୍ରାକ୍ଚର ହୋଇଛି। ବର୍ତ୍ତମାନ ସେ ବାଲିର ଏକ ହସ୍ପିଟାଲରେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ତାଙ୍କ ଟିମ୍ ପକ୍ଷରୁ ଏନେଇ ଆଧିକାରିକ ହେଲ୍ଥ ଅପଡେଟ୍ ଦିଆଯାଇଛି।
ନୁସରତ କାମ ସହ ଛୁଟି କାଟିବା ପାଇଁ ବାଲି ଯାଇଥିଲେ। ସେଠାରେ ଏକ ଦୁର୍ଘଟଣାରେ ତାଙ୍କ ପିଠିରେ ଗୁରୁତର ଆଘାତ ଲାଗିଥିଲା। ପରବର୍ତ୍ତୀ ଡାକ୍ତରୀ ପରୀକ୍ଷାରେ ମେରୁଦଣ୍ଡରେ ଫ୍ରାକ୍ଚର ହୋଇଥିବା ସ୍ପଷ୍ଟ ହୋଇଥିଲା। ତେବେ ଦୁର୍ଘଟଣାଟି ଠିକ୍ କିପରି ଘଟିଲା, ସେନେଇ ତାଙ୍କ ଟିମ୍ ଏପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ଦେଇନାହିଁ।
ଏୟାର ଆମ୍ବୁଲାନ୍ସରେ ଆସିବେ ମୁମ୍ବାଇ
ନୁସରତଙ୍କ ଟିମ୍ କହିଛି, ତାଙ୍କୁ ବାଲିରୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ମୁମ୍ବାଇରେ ତାଙ୍କର ସ୍ପାଇନ୍ ସର୍ଜରୀ କରାଯିବ। ତା’ପୂର୍ବରୁ ଡାକ୍ତରମାନେ ତାଙ୍କ ଅବସ୍ଥାର ଆହୁରି ମୂଲ୍ୟାଙ୍କନ କରିବେ। ଟିମ୍ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ସବୁଠାରୁ ବଡ଼ ପ୍ରାଥମିକତା ହେଉଛି ନୁସରତଙ୍କ ସ୍ୱାସ୍ଥ୍ୟ ଓ ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇବା।
କିଛି ସପ୍ତାହ ପ୍ରଭାବିତ ହେବ କାମ
ଆଘାତ ଓ ଆଗାମୀ ସର୍ଜରୀକୁ ଦୃଷ୍ଟିରେ ରଖି ନୁସରତଙ୍କୁ ସୁସ୍ଥ ହେବା ପାଇଁ ପର୍ଯ୍ୟାପ୍ତ ବିଶ୍ରାମ ଦରକାର ହେବ। ତେଣୁ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ତାଙ୍କ ପ୍ରଫେସନାଲ୍ କମିଟମେଣ୍ଟ ପ୍ରଭାବିତ ହୋଇପାରେ ବୋଲି ତାଙ୍କ ଟିମ୍ କହିଛି।
ଗୋପନୀୟତା ରକ୍ଷା ପାଇଁ ଟିମ୍ର ଅନୁରୋଧ
ନୁସରତଙ୍କ ପବ୍ଲିସିଷ୍ଟ ଏହି ସମୟରେ ଅଭିନେତ୍ରୀଙ୍କ ଗୋପନୀୟତାକୁ ସମ୍ମାନ କରିବା ପାଇଁ ଫ୍ୟାନ୍ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ତାଙ୍କୁ ଚିକିତ୍ସା ଓ ରିକଭରି ଉପରେ ଧ୍ୟାନ ଦେବାକୁ ପର୍ଯ୍ୟାପ୍ତ ସମୟ ଓ ସ୍ପେସ୍ ଦେବାକୁ ଟିମ୍ କହିଛି। ତାଙ୍କ ପାଇଁ ଶୁଭେଚ୍ଛା ଜଣାଉଥିବା ସମସ୍ତଙ୍କୁ ଟିମ୍ ଧନ୍ୟବାଦ ମଧ୍ୟ ଜଣାଇଛି।
ଦୁର୍ଘଟଣା ପୂର୍ବରୁ ନୁସରତ ବାଲିରୁ କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। କାମ ସାରିବା ପରେ ସେ ସେଠାରେ କିଛି ଦିନ ଅଧିକ ରହିଥିବା ଜଣାପଡ଼ିଛି। ଏହି ସମୟରେ ହିଁ ସେ ଦୁର୍ଘଟଣାର ଶିକାର ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।