Nusrat Bharucha health update: ହସ୍ପିଟାଲ ବେଡ୍ରୁ ନୁସରତଙ୍କ ପ୍ରଥମ ଭିଡିଓ, ଶାହରୁଖ-କାଜଲଙ୍କୁ ଦେଖି ଫୁଟିଲା ହସ
ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ବଡ଼ ଅପଡେଟ୍। ମେରୁଦଣ୍ଡରେ ଗୁରୁତର ଆଘାତ ଓ ଅସ୍ତ୍ରୋପଚାର ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅଭିନେତ୍ରୀ। ଏହି ସମୟରେ ହସ୍ପିଟାଲ ବେଡ୍ରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛି। ଭିଡିଓରେ ଶାହରୁଖ ଖାନ୍ ଓ କାଜଲଙ୍କ ଲୋକପ୍ରିୟ ଗୀତ ‘ଗେରୁଆ’ ଦେଖି ହସୁଛନ୍ତି ନୁସରତ। ତାଙ୍କର ଏହି ହସ ଓ ସକାରାତ୍ମକ ମନୋଭାବ ଏବେ ଚର୍ଚ୍ଚାରେ।
ଶାହରୁଖ-କାଜୋଲଙ୍କ ଗୀତ ଦେଖି ଖୁସି ହେଲେ ନୁସରତ
ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ନୁସରତ ଭରୁଚା ଏହି ଭିଡିଓ ସେୟାର କରିଛନ୍ତି। ଏଥିରେ ଟିଭିରେ ଫିଲ୍ମ ‘ଦିଲୱାଲେ’ର ଗୀତ ‘ଗେରୁଆ’ ଚାଲୁଥିବା ବେଳେ ହସ୍ପିଟାଲର ମେଡିକାଲ୍ ଷ୍ଟାଫ୍ ତାଙ୍କର ଯତ୍ନ ନେଉଥିବା ଦେଖିବାକୁ ମିଳିଛି। ହସ୍ପିଟାଲ ବେଡ୍ରେ ଥାଇ ମଧ୍ୟ ନୁସରତଙ୍କ ମୁହଁରେ ହସ ଦେଖି ପ୍ରଶଂସକମାନେ ଆଶ୍ୱସ୍ତ ହୋଇଛନ୍ତି।
ଏହି ଭିଡିଓ ସହ ଅଭିନେତ୍ରୀ ଲେଖିଛନ୍ତି, “ଶାହରୁଖ ଖାନ୍ ଓ କାଜଲ ମୋ ମୁହଁରେ ହସ ଫୁଟାଇ ଦିଅନ୍ତି। ଜୀବନରେ ସବୁକିଛି ଧୀରେ ଧୀରେ ଭଲ ହୋଇଥାଏ। ମୁଁ ମଧ୍ୟ ଧୀରେ ଧୀରେ ସୁସ୍ଥ ହେଉଛି ଏବଂ ଅସରନ୍ତି ସ୍ୱପ୍ନ ଦେଖୁଛି।”
‘ପିକ୍ଚର ଅଭି ବାକି ହୈ ମେରେ ଦୋସ୍ତ’
ଏହା ପୂର୍ବରୁ ନୁସରତ ହସ୍ପିଟାଲରୁ ସୂର୍ଯ୍ୟାସ୍ତର ଏକ ସୁନ୍ଦର ଦୃଶ୍ୟ ସେୟାର କରିଥିଲେ। ଏଥିରେ ଏକ ଖାଲି ରିକ୍ଲାଇନିଂ ହ୍ୱିଲ୍ଚେୟାର ଦେଖିବାକୁ ମିଳିଥିଲା। ଏହା ସହ ସେ ଲେଖିଥିଲେ, ‘ମୁଁ ସବୁବେଳେ ସୂର୍ଯ୍ୟାସ୍ତର ପିଛା କରିଆସିଛି। ଏବେ ମୋ ଦୃଶ୍ୟ ବଦଳିଯାଇଛି, କିନ୍ତୁ ପିକ୍ଚର ଅଭି ବାକି ହୈ ମେରେ ଦୋସ୍ତ।’
ନୁସରତଙ୍କ ଏହି କଥାରୁ ତାଙ୍କର ଦୃଢ଼ ମନୋବଳ ଓ ଜୀବନ ପ୍ରତି ସକରାତ୍ମକ ଦୃଷ୍ଟିଭଙ୍ଗୀ ସ୍ପଷ୍ଟ ହେଉଛି।
ବାଲିରେ ଦୁର୍ଘଟଣା, ମେରୁଦଣ୍ଡରେ ଫ୍ରାକ୍ଚର୍
କାମରୁ ବିରତି ନେବା ସହ ଛୁଟି କାଟିବା ପାଇଁ ନୁସରତ ଭରୁଚା ଇଣ୍ଡୋନେସିଆର ବାଲି ଯାଇଥିବା ବେଳେ ଏକ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଫ୍ରାକ୍ଚର୍ ହୋଇଥିଲା। ପରେ ଉନ୍ନତ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଥିଲା।
ଟାଇଗର ଶ୍ରଫ୍ଙ୍କ ସହ ଆସିବେ ନଜର
ନୁସରତ ଭରୁଚା ଶେଷ ଥର ପାଇଁ ‘ଉଫ୍ ୟେ ସିୟାପା’ ଫିଲ୍ମରେ ନଜର ଆସିଥିଲେ। ଆଗକୁ ସେ ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କ ଏକ ଆକ୍ସନ୍ ଫିଲ୍ମରେ ଟାଇଗର ଶ୍ରଫ୍ଙ୍କ ସହ ଅଭିନୟ କରିବେ। ଏବେ ଅଭିନେତ୍ରୀଙ୍କ ସୁସ୍ଥତା କାମନା କରୁଛନ୍ତି ତାଙ୍କ ପ୍ରଶଂସକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।