Odisha Assembly Session Ends Early: ଏଭଳି ବିଡ଼ମ୍ବନା ଆଉ ନହେଉ; ଗଣତାନ୍ତ୍ରିକ ବ୍ୟବସ୍ଥା ବଞ୍ଚାଇ ରଖିବା ମାନ୍ୟବରଙ୍କ ଦାୟିତ୍ୱ

Sep 30, 2026 - 16:20
Odisha Assembly Session Ends Early: ଏଭଳି ବିଡ଼ମ୍ବନା ଆଉ ନହେଉ; ଗଣତାନ୍ତ୍ରିକ ବ୍ୟବସ୍ଥା ବଞ୍ଚାଇ ରଖିବା ମାନ୍ୟବରଙ୍କ ଦାୟିତ୍ୱ

ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି। ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିଥାନ୍ତା। ମୋଟ ୯ଟି ଧାର୍ଯ୍ୟ କାର୍ଯ୍ୟଦିବସ ମଧ୍ୟରୁ ମାତ୍ର ୫ଟି ଦିନ ଗୃହ କାର୍ଯ୍ୟ ହୋଇପାରିଲା। ହୋହାଲ୍ଲା, ପାଟିତୁଣ୍ଡ, ବିକ୍ଷୋଭ ଓ ରାଜନୈତିକ ପ୍ରତିବାଦ ମଧ୍ୟରେ ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଗଲା। ରାଜ୍ୟବାସୀ ଆଶା କରିଥିଲେ, ଏଥର ବିଧାନସଭାରେ ସେମାନଙ୍କ ଦୁଃଖସୁଖ, ସମସ୍ୟା ଓ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ଗଭୀର ଆଲୋଚନା ହେବ। କିନ୍ତୁ ସେହି ଆଶା ଅନେକାଂଶରେ ମଉଳିଗଲା।

ବିରୋଧୀ ଦଳମାନେ ଏମଏମଡିଆର ସଂଶୋଧନ ଆଇନ ଓ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଗୃହରେ ଜୋରଦାର ପ୍ରତିବାଦ କରିଥିଲେ। ପ୍ରଥମ ଦିନରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତୃତୀୟ ଓ ଚତୁର୍ଥ ଦିନରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଥିଲା।

ଏଠାରେ ପ୍ରଶ୍ନ ହେଉଛି—ବିରୋଧୀ ଦଳଙ୍କର ପ୍ରତିବାଦର ଅଧିକାର ନାହିଁ କି? ନିଶ୍ଚିତ ଭାବେ ଅଛି। ସଂସଦୀୟ ଗଣତନ୍ତ୍ରରେ ସରକାରଙ୍କୁ ପ୍ରଶ୍ନ କରିବା, ତାଙ୍କ ନୀତିର ସମାଲୋଚନା କରିବା ଏବଂ ଜନସ୍ୱାର୍ଥରେ ଚାପ ସୃଷ୍ଟି କରିବା ବିରୋଧୀ ଦଳର ମୌଳିକ ଦାୟିତ୍ୱ। କିନ୍ତୁ ପ୍ରତିବାଦ ଯେତେବେଳେ ଆଲୋଚନାର ରାସ୍ତାକୁ ବନ୍ଦ କରିଦିଏ, ସେତେବେଳେ ତାହାର ଲାଭ କାହାକୁ ମିଳେ—ଏହା ନିଶ୍ଚିତ ଭାବେ ଚିନ୍ତା କରିବାର ବିଷୟ।

ଏମଏମଡିଆର ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକ ଓଡ଼ିଶାର ଖଣିଜ ସମ୍ପଦ, ରାଜ୍ୟର ଆୟ ଓ ରାଜ୍ୟର ଅଧିକାର ଉପରେ ପ୍ରଭାବ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ଓ କଂଗ୍ରେସ ଏହାର ପ୍ରତ୍ୟାହାର ଦାବି କରିଛନ୍ତି। ଅନ୍ୟପକ୍ଷରେ ସରକାର କହିଛନ୍ତି ଯେ ଏହି ଆଇନ ଉପରେ ଗୃହରେ ଆଲୋଚନା ପାଇଁ ସେମାନେ ପ୍ରସ୍ତୁତ। ଏପରିକି ଆଇନର ସମ୍ଭାବ୍ୟ ଆର୍ଥିକ ପ୍ରଭାବ ନେଇ ସରକାର ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଆକଳନ କରିନଥିବା କଥା ଖଣିମନ୍ତ୍ରୀ ଗୃହରେ କହିଛନ୍ତି।

ତେଣୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋହଲ୍ଲା ନୁହେଁ, ତଥ୍ୟଭିତ୍ତିକ ଆଲୋଚନା ହିଁ ଅଧିକ ଆବଶ୍ୟକ ଥିଲା। ଓଡ଼ିଶା କ’ଣ ପାଇବ, କ’ଣ ହରାଇବ, ରାଜ୍ୟର ଖଣିଜ ରାଜସ୍ୱ ଉପରେ କି ପ୍ରଭାବ ପଡ଼ିବ—ଏସବୁ ପ୍ରଶ୍ନର ଉତ୍ତର ଗୃହରେ ମିଳିବା ଦରକାର ଥିଲା। ବିରୋଧୀଙ୍କ ଆଶଙ୍କା ଓ ସରକାରଙ୍କ ଯୁକ୍ତି ଉଭୟ ରେକର୍ଡରେ ଆସିଥିଲେ ହୁଏତ ଜନସାଧାରଣ ମଧ୍ୟ ନିଜେ ଏକ ମତ ଗଢ଼ିପାରିଥାନ୍ତେ।

ସେହିପରି ପାଠ୍ୟପୁସ୍ତକର ତ୍ରୁଟି ମଧ୍ୟ ଏକ ଗୁରୁତର ପ୍ରସଙ୍ଗ। ବିରୋଧୀ ଦଳ ଏହାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ସରକାରଙ୍କ ପକ୍ଷରୁ ତ୍ରୁଟି ସଂଶୋଧନ ଓ ଦାୟୀ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ପରେ ମନ୍ତ୍ରୀ ଗୃହରେ ୧,୭୪୧ଟି ତ୍ରୁଟି ଚିହ୍ନଟ ହୋଇଥିବା ନେଇ ତଥ୍ୟ ରଖିଛନ୍ତି। ଏପରି ପ୍ରସଙ୍ଗରେ ଦୋଷାରୋପ ଓ ନାରାବାଜି ଅପେକ୍ଷା ଦାୟିତ୍ୱ ନିର୍ଦ୍ଧାରଣ, ସଂଶୋଧନ ପ୍ରକ୍ରିୟା ଓ ଭବିଷ୍ୟତରେ ଏଭଳି ତ୍ରୁଟି ଯେପରି ନହୁଏ, ସେଥିପାଇଁ ବ୍ୟବସ୍ଥା ଉପରେ ଆଲୋଚନା ଅଧିକ ଫଳପ୍ରଦ ହୋଇଥାନ୍ତା।

ସେପ୍ଟେମ୍ବର ୨୮ର ଘଟଣା ମଧ୍ୟ ଏହି ପରିସ୍ଥିତିକୁ ଆହୁରି ସ୍ପଷ୍ଟ କରେ। ଗୃହକୁ ସ୍ୱାଭାବିକ ଭାବେ ଚଳାଇବା ପାଇଁ ସବୁ ଦଳ ସହଯୋଗ କରିବାକୁ ବାଚସ୍ପତି ଓ ସରକାରଙ୍କ ପକ୍ଷରୁ ପୂର୍ବରୁ ଆହ୍ୱାନ କରାଯାଇଥିଲା। ସର୍ବଦଳୀୟ ବୈଠକରେ ମଧ୍ୟ ଜନସ୍ୱାର୍ଥ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ପାଇଁ ଅନୁରୋଧ ହୋଇଥିଲା। କିନ୍ତୁ ତାହା ସତ୍ତ୍ୱେ ଅଧିବେଶନର ଅଧିକାଂଶ ସମୟ ଅଚଳ ହୋଇରହିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ।

ରାଜନୀତି ତା’ ବାଟରେ ଯିବ। ନିର୍ବାଚନ ଆସିବ, ଦଳଗୁଡ଼ିକ ପରସ୍ପରକୁ ସମାଲୋଚନା କରିବେ, ରାଲି ଓ ଆନ୍ଦୋଳନ ମଧ୍ୟ ହେବ। ଏସବୁ ଗଣତନ୍ତ୍ରର ସ୍ୱାଭାବିକ ଅଂଶ। କିନ୍ତୁ ବିଧାନସଭା ଭଳି ପବିତ୍ର ଗୃହରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଯେତେବେଳେ ଜନସମସ୍ୟା ଉପରେ ଆଲୋଚନାକୁ ପଛକୁ ଠେଲିଦିଏ, ସେତେବେଳେ ତାହା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ବିଡ଼ମ୍ବନା ହୋଇଯାଏ।

ବିଧାନସଭା କେବଳ ଶାସକ ଦଳର ନୁହେଁ, ବିରୋଧୀ ଦଳର ମଧ୍ୟ ନୁହେଁ—ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କର ଗଣତାନ୍ତ୍ରିକ ମଞ୍ଚ। ସେଠାରେ ଯେତେ ସମୟ ନଷ୍ଟ ହୁଏ, ପ୍ରକୃତରେ ସେତେ ସମୟ ଲୋକଙ୍କ ସମସ୍ୟାର ଆଲୋଚନାରୁ ହ୍ରାସ ପାଏ। ତେଣୁ ଏହାର ଦାୟିତ୍ୱ କେବଳ ବିରୋଧୀଙ୍କର ନୁହେଁ, ସରକାରୀ ଦଳ, ବିରୋଧୀ ଦଳ, ବାଚସ୍ପତି ଓ ପ୍ରତ୍ୟେକ ବିଧାୟକଙ୍କର। ଆଗାମୀ ଅଧିବେଶନରେ ଏଭଳି ବିଡ଼ମ୍ବନା ଆଉ ନହେଉ।

ମତଭେଦ ରହୁ, ତୀବ୍ର ତର୍କ ହେଉ, ସରକାରଙ୍କୁ କଠିନ ପ୍ରଶ୍ନ ପଚରାଯାଉ, ବିରୋଧୀଙ୍କ ଯୁକ୍ତିର ଉତ୍ତର ସରକାର ଦିଅନ୍ତୁ। କିନ୍ତୁ ଗୃହ ଚାଲୁ। କାରଣ ଗଣତନ୍ତ୍ର କେବଳ ନିର୍ବାଚନରେ ବଞ୍ଚେ ନାହିଁ; ଏହା ସୁସ୍ଥ ଆଲୋଚନା, ମତଭେଦ ପ୍ରତି ସମ୍ମାନ ଏବଂ ଜନସ୍ୱାର୍ଥରେ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ବଞ୍ଚି ରହେ। ସେହି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସ୍ଥ ଓ ସଜୀବ ରଖିବା ପ୍ରତ୍ୟେକ ‘ମାନ୍ୟବର’ଙ୍କର ପବିତ୍ର ଦାୟିତ୍ୱ।

ଆମ ଦେଶକୁ ସ୍ୱାଧୀନତା ଦେବା ପାଇଁ ଯେତେବେଳେ ବ୍ରିଟେନ୍ ପାର୍ଲିଆମେଣ୍ଟରେ ଆଲୋଚନା ହେଉଥିଲା, ସେହି ସମୟରେ ସେହି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନ୍‌ଷ୍ଟନ୍ ଚର୍ଚ୍ଚିଲ୍ ଏହାକୁ ଘୋର ବିରୋଧ କରିବାକୁଯାଇ କହିଥିଲେ, ତେବେ ଏହାର ମର୍ଯ୍ୟାଦା ସେମାନେ ରଖିପାରିବେ ନାହିଁ । ଭାରତୀୟ ନେତାମାନେ ନିଜ ନିଜ ମଧ୍ୟରେ କଳିକରି ଗଣତାନ୍ତ୍ରୀକ ମର୍ଯ୍ୟାଦାବୋଧକୁ ଚୁଲିରେ ପୋଡ଼ିଖାଇବେ । ତାଙ୍କର ଏହି କଥା ପଛରେ ଯେଉଁ ବାର୍ତ୍ତାଟି ସେ ଦେବାକୁ ଚାହୁଁଥିଲେ, ତାହା ହେଲା ଯେ ଗଣତାନ୍ତ୍ରୀକ ମୂଲ୍ୟବୋଧକୁ ବଜାୟ ରଖିବାକୁ ହେଲେ, ଏଥିପାଇଁ ଆମକୁ ଏହାର ପ୍ରତିଟି ସ୍ୱର ଓ ରଙ୍ଗକୁ ବୁଝିବାକୁ ହେବ । ଆମର ଉଚ୍ଚାରଣ ଓ ଆଚରଣ ସେହିଭଳି ହେବା ମଧ୍ୟ ଆବଶ୍ୟକ ।

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।