Odisha Bets Big On UAE Partnerships: ୟୁଏଇରୁ ଫେରି ମୋହନ ମାଝୀଙ୍କ ବଡ଼ ସୂଚନା; ସୃଷ୍ଟି ହେବ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ
ଓଡ଼ିଶା ବିକାଶକୁ ଗତି ଦେବ ଏଫ୍ଡିଆଇ। ସମୃଦ୍ଧ ହେବ ଶିଳ୍ପ, ରାଜ୍ୟ ହେବ ବିକଶିତ। ଓଡ଼ିଶାରେ ହିଁ ଓଡ଼ିଆ ଯୁବକ ପାଇବେ MNCରେ ନିଯୁକ୍ତି। ୧୦ ବର୍ଷ ପରେ ଓଡ଼ିଶା ଛୁଇଁବ ୫୦୦ ମିଲିୟନ୍ ଡଲାର୍ ଅର୍ଥନୀତି। ୟୁଏଇ ଇନ୍ଭେଷ୍ଟର୍ସ ମିଟ୍ ସାରି ଓଡ଼ିଶା ଫେରିବା ପରେ ଏହି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖାଲି ସେତିକି ନୁହେଁ ଆସିଥିବା ପ୍ରସ୍ତାବ କେତେ ଶୀଘ୍ର କାର୍ଯ୍ୟକ୍ଷମ ହେବ ସେନେଇ ସରକାର ଅଧିକ ଗୁରୁତ୍ବ ଦେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ରାଜନୈତିକ ବୟାନବାଜି ବି ତେଜିଛି।
ଦୁବାଇ-ଆବୁଧାବିରେ ମୋହନ ସରକାରଙ୍କ ଇନ୍ଭେଷ୍ଟର୍ସ ମିଟରୁ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ଆଶା। ସୃଷ୍ଟି ହେବ ପ୍ରାୟ ୯ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ। ପାଞ୍ଚ ଦିନିଆ ୟୁଏଇ ଗସ୍ତ ସାରି ଆଜି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିବେଶକ ସମ୍ମିଳନୀରୁ ଫେରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ଉଚ୍ଛସ୍ବିତ ସ୍ବାଗତ ସମ୍ବର୍ଦ୍ଧନା।
ଭୁବନେଶ୍ବରରେ ପହଞ୍ଚିବା ପରେ ନିବେଶକ ସମ୍ମିଳନୀ ସଫଳ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୟୁଏଇ ଗସ୍ତରେ ମୋଟ୍ ୫୨ଟି ବିଜିନେସ୍ ମିଟିଂ, ୬ଟି ରାଉଣ୍ଡଟେବୁଲ ମିଟିଂ, ୪୬ଟି ୱାନ୍-ଟୁ-ୱାନ୍ ମିଟିଂ ସହ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି। ୟୁଏଇ ସହିତ ଓମାନ୍ ଓ ଜୋର୍ଡାନରେ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।
IHC ଓ ଆଦାନୀ ଗ୍ରୁପ୍ ମଧ୍ୟରେ ଗତ ଜୁଲାଇ ୨ ତାରିଖରେ ହୋଇଥିବା ଭାଗିଦାରୀକୁ ଆଗକୁ ନେଇ ଓଡ଼ିଶାରେ ୧୪ଟି ନୂଆ ପ୍ରକଳ୍ପ ପାଇଁ MoU ସ୍ୱାକ୍ଷରିତ ହୋଇଛି। ଏହି ଦୁଇ କଂପାନୀର ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରୋଜେକ୍ଟ ପାଇଁ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ସ୍ଥାପନ ନେଇ ଉଦ୍ୟମ ଜାରି ରହିଛି। ଓଡ଼ିିଶାକୁ ୨୦୩୬ ସୁଦ୍ଧା ୫୦୦ ମିଲିଅନ ଆମେରିକୀୟ ଡଲାର୍ ଅର୍ଥନୀତି ଲକ୍ଷ୍ୟକୁ ଏହା ଗତି ଦେବ। ..
ସେପଟେ ନିବେଶକ ସମ୍ମିଳନୀକୁ ନେଇ ତେଜିଛି ରାଜନୀତି। ବିଜେଡିର ଅଭିଯୋଗ, ସରକାର କେବଳ ଘୋଷଣା କରୁଛନ୍ତି। କିନ୍ତୁ ପ୍ରକୃତରେ ପ୍ରସ୍ତାବକୁ ଗ୍ରାଉଣ୍ଡିଂ କରିପାରୁ ନାହାନ୍ତି। ସେପଟେ ବିଜେଡିକୁ କଡା ଜବାବ ଦେଇ ଶିଳ୍ପମନ୍ତ୍ରୀ କହିଛନ୍ତି, ୩ ଲକ୍ଷ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭୂମିପୂଜନା ଗତ ଦୁଇ ବର୍ଷରେ ଆମ ସରକାର କରିପାରିଛନ୍ତି। ଯାହାକି ବିଜେଡି ସରକାରର ୧୦ ବର୍ଷ ସହିତ ଆମର ଦୁଇ ବର୍ଷ ସମାନ। ଇଜ୍ ଅଫ୍ ଡୁଇଂ ନୁହେଁ, ସ୍ପିଡ୍ ଅଫ୍ ଡୁଇଂକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। UAE ଗସ୍ତ ଓଡ଼ିଶା ପାଇଁ ଅଭୂତପୂର୍ବ ସଫଳତା ଆଣିଛି। ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅମୂଳକ।
ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶାଠାରୁ ହିଁ ବିଜେପି ସରକାର ଅନେକ ସମୟରେ ଦେଶ ବିଦେଶରେ ଇନଭେଷ୍ଟର୍ସ ମିଟ୍ କରି ଆସୁଛନ୍ତି। ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୁଜରାଟଠାରୁ ଆରମ୍ଭ କରି ସିଙ୍ଗାପୁରରେ ସରକାର ସମ୍ମିଳନୀ କରିସାରିଛନ୍ତି। ଏବେ ୟୁଏଇ ନିବେଶକ ସମ୍ମିଳନୀରେ ଆସିଥିବା ପ୍ରସ୍ତାବ କେତେ ଶୀଘ୍ର ଗ୍ରାଉଣ୍ଡିଂ ହେଉଛି ଓ ଶିଳ୍ପ ସହ ନିଯୁକ୍ତି କ୍ଷେତ୍ରକୁ କେତେ ଶକ୍ତିଶାଳୀ କରୁଛି ତାକୁ ଅପେକ୍ଷା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।