Odisha Campus Polls Announced: ଆଠ ବର୍ଷ ପରେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ, ଅକ୍ଟୋବର ୧୫ରେ ହେବ ଭୋଟ୍
ଦୀର୍ଘ ୮ ବର୍ଷର ଅପେକ୍ଷା ପରେ କ୍ୟାମ୍ପସରେ ପୁଣି ବାଜିଛି ନିର୍ବାଚନ ବିଗୁଲ୍। ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଛି ବିଜ୍ଞପ୍ତି। ଦୀର୍ଘ ସମୟ ପରେ କ୍ୟାମ୍ପସ୍ ଇଲେକ୍ସନ୍ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
୧୫ ତାରିଖରେ କ୍ୟାମ୍ପସ୍ ଭୋଟ୍
ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏହାପରେ ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ। ଦଶହରା ଛୁଟି ଆରମ୍ଭ ହେବା ପୂର୍ବରୁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ।
ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
୨୦୧୭ରେ ହୋଇଥିଲା ନିର୍ବାଚନ
ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ୨୦୧୮ରୁ କ୍ୟାମ୍ପସ୍ ଇଲେକ୍ସନ୍ ବନ୍ଦ ରହିଥିଲା। କ୍ୟାମ୍ପସ୍ ସମ୍ପର୍କିତ ବିଭିନ୍ନ ସମସ୍ୟା ସହ କୋଭିଡ୍ ପରିସ୍ଥିତିକୁ ନେଇ ମଧ୍ୟ ଦୀର୍ଘ ସମୟ ଧରି ଛାତ୍ର ସଂସଦ ନିର୍ବାଚନ ହୋଇପାରିନଥିଲା। କୋଭିଡ ପରେ ମଧ୍ୟ ପୂର୍ବ ସରକାର ଏ ନେଇ କୌଣସି ପଦକ୍ଷେପ ନେଇନଥିଲେ।
ଫଳରେ ବର୍ଷ ବର୍ଷ ଧରି ଅନେକ କ୍ୟାମ୍ପସରେ ନିର୍ବାଚିତ ଛାତ୍ର ପ୍ରତିନିଧିତ୍ୱ ନଥିଲା। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ନିର୍ବାଚିତ ପ୍ରତିନିଧି ନଥିବାରୁ କ୍ୟାମ୍ପସ୍ ରାଜନୀତିରେ ମଧ୍ୟ ଏକ ପ୍ରକାର ଶୂନ୍ୟତା ଦେଖାଦେଇଥିଲା।
କ୍ୟାମ୍ପସ୍ ଇଲେକ୍ସନ୍ ପୁଣି ଆରମ୍ଭ କରିବା ନେଇ ବିଜେପି ପକ୍ଷରୁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ସାମ୍ନାକୁ ଆସିବା ପରେ ରାଜ୍ୟର କ୍ୟାମ୍ପସଗୁଡ଼ିକରେ ପୁଣି ଛାତ୍ର ରାଜନୀତି ସରଗରମ ହେବାର ବାଟ ଫିଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।