Odisha Campus Polls Deliver Shocks: କ୍ୟାମ୍ପସ୍ ରେଜଲ୍ଟର କ୍ରେଡିଟ୍ ପାଇଁ ଟଣାଓଟରା, ପଞ୍ଚାୟତ ଭୋଟରେ କିଏ ମାରିବ ବାଜି ?

Oct 16, 2026 - 20:34
Odisha Campus Polls Deliver Shocks: କ୍ୟାମ୍ପସ୍ ରେଜଲ୍ଟର କ୍ରେଡିଟ୍ ପାଇଁ ଟଣାଓଟରା, ପଞ୍ଚାୟତ ଭୋଟରେ କିଏ ମାରିବ ବାଜି ?

ନବୀନଙ୍କ ଗଡ଼କୁ ବଞ୍ଚାଇପାରିଲାନି ବିସିଜେଡି। ମନମୋହନଙ୍କ ଜିଲ୍ଲାରେ ମନ ଜିଣିପାରିଲାନି ଏବିଭିପି। ନିମାପଡ଼ା ଫାଇଟରେ ପଛରେ ପଡ଼ିଗଲେ ପ୍ରଭାତୀ। ସିଏମଙ୍କ ଜିଲ୍ଲା କେନ୍ଦୁଝରରେ କ୍ଲିନ୍ ସୁଇପ୍ କଲା ଏବିଭିପି। ନିର୍ବାଚନ ହେଉଥିଲା କଲେଜରେ, ମଇଦାନରେ ଲଢୁଥିଲେ ଛାତ୍ରଛାତ୍ରୀ। ହେଲେ ଲାଗୁଥିଲା, ଯେମିତି ବଡ଼ ନେତାଙ୍କ ମଧ୍ୟରେ ଚାଲିଛି ପ୍ରତିନ୍ଦ୍ବନ୍ଦ୍ବିତା। ସମ୍ମାନର ଲଢେଇ ପାଇଁ ହେଉଥିଲା ଛାୟା ଯୁଦ୍ଧ । ଯେଉଁଥିରେ ଝଟକା ଖାଇଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କାରଣ ନବୀନଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ କଲେଜ ଖସିଯାଇଛି ବିଜୁ ଛାତ୍ର ଜନତା ଦଳ ହାତରୁ। ସଭାପତି ପଦରେ ବାଜି ମାରିନେଇଛି ଏବିଭିପି। ଖାଲି ହିଞ୍ଜିଳି ନୁହେଁ, ସାଧାରଣ ନିର୍ବାଚନ ପରେ ସାରା ଗଞ୍ଜାମରେ ଛିନଛତ୍ର ହୋଇଯାଇଛି ଶଙ୍ଖ ଦଳର ଛାତ୍ରଶାଖା। ଏପରିକି ହାଇଭୋଲଟେଜ୍ ଲଢେଇ ଦେଖୁଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ଦେଇପାରିନଥିଲା। ଖଲ୍ଲିକୋଟ ୟୁନିଭରସିଟିରେ କାମ କରିଲାନି ରଣନୀତି। ତେବେ ଖାଲି ନବୀନ ନୁହଁନ୍ତି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏରିଆରେ କାଟୁ କରିନି ଏବିଭିପି ପ୍ଲାନ୍। ଚାନ୍ଦବାଲି ସମେତ ବାସୁଦେବପୁର, ତିହିଡ଼ି ଓ ଭଦ୍ରକ କଲେଜକୁ କବଜା କରିଛି ବିସିଜେଡି। କଟକରେ ପ୍ରଭାତ ବିଶ୍ବାଳ ଫ୍ୟାମିଲି ବି ବ୍ୟାକଫୁଟରେ । ରେଭେନ୍ସା ସମେତ ଜେକେବିକେ, ଚୌଦ୍ବାର, ମଧୁସୁଦନ ଲ କଲେଜ ଚାଲିଯାଇଛି ବିସିଜେଡି ହାତକୁ। ସେପଟେ ନିମାପଡ଼ା ସମ୍ମାନର ଲଢେଇରେ ଏବିଭିପିକୁ ହରାଇ ଜିତିଯାଇଛନ୍ତି ସମୀର ଦାଶଙ୍କ ବିସିଜେଡି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ। ବଡ଼ନେତାଙ୍କ ହାରଜିତ୍ ଭିତରେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ବାଜିମାତ୍ କରିଛି ଏବିଭିପି । ଡିଡି ୟୁନିଭରସିଟି ସହିତ ବିଭିନ୍ନ କଲେଜରେ ବାଜିମାତ କରିଛି ବିଦ୍ୟାର୍ଥୀ ପରିଷଦ।

ଏପଟେ ରେଜଲ୍ଟ କ୍ରେଡିଟ୍ ନେବାକୁ ଆରମ୍ଭ ହୋଇଗଲାଣି ଟଣାଓଟରା। କ୍ୟାମ୍ପସ ଫଳକୁ ପଞ୍ଚାୟତ ପ୍ରି-ପୋଲ୍ କହିଲେଣି ପ୍ରମୁଖ ଦଳ। ସଭିଙ୍କ ଦମ୍ଭୋକ୍ତି ଜେନି-ଜି ଆମର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଥ୍ୟାଙ୍କ ୟୁ ଜେନ୍ ଜି ପୋଷ୍ଟର ସେୟାର କରିବା ପରେ ତେଜିଛି ବାକଯୁଦ୍ଧ। ନବୀନଙ୍କୁ ଟାର୍ଗେଟ୍ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଦ୍ବିତୀୟ ସ୍ଥାନରେ ଥିବି ବିସିଜେଡି ଯଦି ନବୀନଙ୍କୁ ଆଗରେ ଥିବାଭଳି ମନେହେଉଛି ତେବେ ଆମର କିଛି କହିବାର ନାହିଁ । ଯଦି ଜେନ ଜିଙ୍କ ପାଇଁ ଏତେ ଚିନ୍ତା ଥିଲା ତେବେ ଛାତ୍ର ସଂସଦ ନିର୍ବାଚନ କାହିଁକି ବନ୍ଦ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ। ସେପଟେ ଶୋଚନୀୟ ପ୍ରଦର୍ଶନ କରିଥିବା କଂଗ୍ରେସ ମଧ୍ୟ ଦେଖାଇଛି ଜେନ-ଜି ଜୋସ୍ । ଏନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ପାଇବାକୁ ତିନି ଦଳ ଦାବି ଦୋହରାଇଛନ୍ତି ।

ପ୍ରଶ୍ନ ଉଠୁଛି- ରାଜ୍ୟ ରାଜନୀତିରେ କେତେ ପ୍ରଭାବ ପକାଇବ କଲେଜ ରେଜଲ୍ଟ ? କ୍ୟାମ୍ପସରୁ ବାହାରି ପଞ୍ଚାୟତ ବ୍ୟାଟଲରେ ବଦଳାଇବ କି ସମୀକରଣ ? ଜେନ୍-ଜିଙ୍କ ମନ ଜିଣିଥିବା ନେଇ ତିନି ଦଳର ଦାବି ଭିତରେ ଆଗାମୀ ରାଜନୈତିକ ଦୃଶ୍ୟପଟ୍ଟ ଉପରେ ରହିଛି ସଭିଙ୍କ ନଜର। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।