Odisha Diary: ଓଡ଼ିଶା ଡାଏରି: ବ୍ୟାଧି ଓ ବିଲକ୍ଷଣ

Oct 10, 2026 - 06:05
Odisha Diary: ଓଡ଼ିଶା ଡାଏରି: ବ୍ୟାଧି ଓ ବିଲକ୍ଷଣ

"ଗୌରହରି ଦାସ ଗତ ମାସ ୨୩ ତାରିଖ ଅପରାହ୍‌ଣରେ ଏକ ସାମାଜିକ କାର୍ଯ୍ୟରେ ଯୋଗଦେବା ଲାଗି ଜଣେ ପରିଚିତ ବ୍ୟକ୍ତିଙ୍କୁ ଭୁବନେଶ୍ବରରୁ ସାଲେପୁର ଦେଇ କେନ୍ଦ୍ରାପଡ଼ା ଯିବାକୁ ପଡ଼ିଲା।

କଟକ ଡେଇଁ ଜଗତପୁରରେ ପହଞ୍ଚିଲେ ସେଠାରୁ ସାଲେପୁର ମାତ୍ର ପଚିଶ କିଲୋମିଟର ଦୂର, ପହଞ୍ଚିବାକୁ ଅଧଘଣ୍ଟା କି ପଇଁଚାଳିଶ ମିନିଟ ସମୟ ଲାଗିଥାନ୍ତା।

ମାତ୍ର ଗୋଟିଏ ଜାଗାରେ, ରାସ୍ତାରେ ଛିଡ଼ା ହେଇଥିବା ଜଣେ ପୁଲିସ ହୋମଗାର୍ଡ ନିର୍ଦ୍ଦେଶ ଦେଲେ, ଆଗ‌େର ଭସାଣି ଶୋଭାଯାତ୍ରା ଚାଲିଛି, ଆପଣ ଡାହାଣପଟ କେନାଲ ବନ୍ଧ ଦେଇ ଯାଆନ୍ତୁ।

ଅଗତ୍ୟା ତାହା ହିଁ ତାଙ୍କୁ କରିବାକୁ ହେଲା, ସଂକୀର୍ଣ୍ଣ କେନାଲ ରାସ୍ତାରେ ଅଚାନକ ଅତ୍ୟଧିକ ଗାଡ଼ିମଟର ଚଳାଚଳ ହେବା ଯୋଗୁଁ ତାହା ଜାମ୍ ହୋଇଥିଲା, ଅଧଘଣ୍ଟାଏ ଜାଗାରେ ଦେଢ଼ଘଣ୍ଟା ଲାଗିଲା।

ସେ ଆଉ କେନ୍ଦ୍ରାପଡ଼ା ଯିବାକୁ ସାହସ କଲେ ନାହିଁ।

ସାଲେପୁରରୁ କାମ ସାରି ଫେରିବା ବେଳକୁ ରାତି ଦଶଟା ପାଖାପାଖି, ସେଇ ସମାନ ଅବସ୍ଥା।

ପ୍ରଥମ ଛକ ନ ଡେଉଁଣୁ ବାରଣ, ଏ ମେନରୋଡ୍‌ରେ ନ ଯାଇ ଅନ୍ୟ ରାସ୍ତାରେ ଯାଆନ୍ତୁ।

ପ୍ରସେସନ ଚାଲିଛି।

ବର୍ଷାଦିନ, କେନାଲ ରାସ୍ତା ଅନ୍ଧାର।

ଭଦ୍ରଲୋକ ଭାବିଲେ, ଏ ବାଟେ ପିଲାଛୁଆ ନେଇ ଯିବା କେତେ ନିରାପଦ!

ଭଦ୍ରଲୋକଙ୍କ ଘର ରାଜଧାନୀର ନନ୍ଦନ ବିହାରରେ ହୋଇଥିବାରୁ ସେ ବାରଙ୍ଗ ବାଟେ ଆସିଲେ।

ରାତି ଏଗାରଟା ପାଖାପାଖି।

ରାସ୍ତା ଉପରେ ତାଙ୍କୁ ଅାଉ ଗୋଟିଏ ଦୃଶ୍ୟ ଅପେକ୍ଷା କରିଥିଲା।

ବିଭିନ୍ନ ଜାଗାରେ ଛେଉଣ୍ଡ ଗଣେଶ ମୂର୍ତ୍ତିମାନ କୋଉଠି ଟ୍ରଲି ତ କୋଉଠି ମିନିଟ୍ରକର ଡାଲା ଉପରେ ଖୋଲା ଆକାଶ ତଳେ ବସି ବିସର୍ଜନକୁ ଅପେକ୍ଷା କରୁଥିଲେ।

ପାଖରେ ନା ବାଜାବାଲା ଥିଲେ ନା ପୂଜାବାଲା, ସଂପୂର୍ଣ୍ଣ ନିଃସଙ୍ଗ ଅବସ୍ଥା।

ଅପରାହ୍‌ଣରୁ ଆରମ୍ଭ ହୋଇଥିବା ବର୍ଣ୍ଣାଢ଼୍ୟ ଭସାଣି ଶୋଭାଯାତ୍ରାରେ ନାଚିକୁଦି ଭକ୍ତମାନେ କ୍ଳାନ୍ତ ହୋଇପଡ଼ିଥିବେ, ବାଜାବାଲା ତାଙ୍କ କାମ ସାରି ଚାଲିଯାଇଥିବେ।Advertisment Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ ଏ ପ୍ରକାର ଘଟଣା ଆମ ରାଜ୍ୟରେ ଏତେ ଦେହସୁହା ହୋଇଗଲାଣି ଯେ ଉପରଲିଖିତ ବିବରଣୀ କାହା ଉପରେ କୌଣସି ପ୍ରତିକ୍ରିୟା ପକାଇବ ନାହିଁ।

ରାଜଧାନୀ ଭୁବନେଶ୍ବର ଓ ପୁଲିସ ମୁଖ୍ୟାଳୟ ଥିବା କଟକର ନାକତଳେ ଯଦି ନାଗରିକମାନଙ୍କ ଯାତାୟାତ ସ୍ବାଧୀନତା ଏପରି ବିଡ଼ମ୍ବିତ, ଦୂରଦୂରାନ୍ତ କଥା ନ କୁହାଯିବା ଭଲ।ପ୍ରଥମ ପ୍ରଶ୍ନ ହେଲା, ଆମ ରାଜ୍ୟରେ ଦୁର୍ଗାପୂଜା, କାଳୀପୂଜା ପରି ବଡ଼ବଡ଼ ପୂଜା ପାଇଁ ଯେପରି ଭସାଣି ନିମନ୍ତେ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଉଛି, ଖୁଦୁରୁକୁଣୀ ଠାରୁ ଗଣେଶ ପୂଜା ଦେଇ କାର୍ତ୍ତିକ ଆଦି ଅନ୍ୟ ଠାକୁରଙ୍କ ମୂର୍ତ୍ତି ବିସର୍ଜନ ଲାଗି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଉ ନାହିଁ କାହିଁକି?

ଗଣେଶ ପୂଜା ପଡ଼ିଥିଲା ସେପ୍‌ଟେମ୍ବର ୧୪ ତାରିଖରେ, ତାହାର ଦଶ ଦିନ ପରେ ବିସର୍ଜନ ହେବା ପଛରେ ଯୁକ୍ତି କ"ଣ?

ଯେଉଁଠି ଯେତେବେଳେ ଯିଏ ଚାହିଁବେ ସେଇଠି ସେତେବେଳେ ସିଏ ପ୍ରସେସନ କରିପାରିବେ କି?

ପୁଲିସ ପକ୍ଷରୁ ଯୁକ୍ତି ହେବ ଯେ, ସାଲେପୁରରୁ କେନ୍ଦ୍ରାପଡ଼ା ଯାଏ ଶହ ଶହ ଜାଗାରେ ଭସାଣି।

ଗୋଟିଏ ଦିନରେ ସବୁଠି ଭସାଣି ହେଲେ ଶୃଙ୍ଖଳା ଲାଗି ଏତେ କର୍ମଚାରୀ ମୁତୟନ କରିବା କଷ୍ଟ।

ମାତ୍ର ତାହାର ଅର୍ଥ କ"ଣ ଦଶ ପନ୍ଦର ଦିନ ପର୍ଯ୍ୟନ୍ତ ଆଜି ଏଠି, କାଲି ସେଠି ହୋଇ ସେଇ ମୁଖ୍ୟ ରାସ୍ତା ଉପରେ ଭସାଣି ଉତ୍ସବ ଚାଲିବ, ସାଧାରଣ ନାଗରିକ ହଟହଟା ହେବେ?ଦ୍ବିତୀୟ ପ୍ରଶ୍ନ ପ୍ରଥମଟି ଠାରୁ ଟିକିଏ ଗମ୍ଭୀର।

ରାଜପଥ ଉପରେ ଚଳାଚଳର ପ୍ରାଥମିକ ଅଧିକାର କାହାର?

ସାଧାରଣ ନାଗରିକଙ୍କର ନା ଭସାଣି ପ୍ରସେସନ ଆୟୋଜନ ପାଇଁ ଘଣ୍ଟା ଘଣ୍ଟା ଧରି ନୃତ୍ୟସଙ୍ଗୀତ ପରିବେଷଣ କରୁଥିବା ପୂଜା କ୍ଲବ ସଭ୍ୟମାନଙ୍କ ଯାନବାହନର?

ଆଜି ତ ଆମ ରାଜ୍ୟରେ ସବୁ ଜାଗାରେ ନୂଆ ନୂଆ ପର୍ବପର୍ବାଣି ଓ ମୂର୍ତ୍ତି ପୂଜା।

ଏହା ପଛରେ କେତେ ଆଧ୍ୟାତ୍ମିକ ଆଗ୍ରହ ରହିଛି ବା ନ ରହିଛି ତାହା ଭିନ୍ନ କଥା।

ଅଧିକାଂଶ ସ୍ଥାନରେ ଏହା ସ୍ଥାନୀୟ କିଛି ଯୁବକଙ୍କ ସାମୟିକ ଚିତ୍ତ ବିନୋଦନ, ଅର୍ଥ ଆଦାୟ ଏବଂ ପତିଆରା ପ୍ରଦର୍ଶନର ଅବକାଶ ହୋଇଛି।

ତାହା ନ ହେଲେ ଦିଇଶହ ଅଢ଼େଇଶହ ପରିବାର ରହୁଥିବା ଗୋଟିଏ ଗୋଟିଏ କଲୋନିରେ ପନ୍ଦରରୁ କୋଡ଼ିଏ ଗଣେଶଙ୍କୁ ଆବିର୍ଭୂତ ହେବାକୁ କାହିଁକି ପଡ଼ନ୍ତା?

ଜବରଦଖଲ ଜମିରେ ମନ୍ଦିର ନିର୍ମାଣ, ଚାନ୍ଦାରେ ପୂଜା ଓ ଜୁଲମ୍ ଅର୍ଥରେ ପ୍ରସେସନ ଆୟୋଜନକୁ ଆମେ ଆଧ୍ୟାତ୍ମିକତା ବୋଲି ଗ୍ରହଣ କରିସାରିଛୁ।

ଏକଥା ମନେପଡ଼ିଲେ ଚୀନ୍ ବନ୍ଧୁଙ୍କର କଥାଟିଏ ମନେପଡ଼ିଯାଏ- ଭାରତରେ ବହୁତ ଦେବତା, ବହୁତ ଦୁଃଖ।

ରାଜପଥ ଉପରେ ମୂର୍ତ୍ତି ବିସର୍ଜନ ପରମ୍ପରାର ଇତିହାସ ବେଶ୍ ପୁରୁଣା।

୧୮୯୩ରେ, ଦେଶ ପରାଧୀନ ଥିବାବେଳେ ଅଧିକ ସଂଖ୍ୟକ ଭାରତୀୟମାନଙ୍କୁ କୋଉଠି ଏକାଠି ହେବା ପାଇଁ ଅନୁମତି ମିଳୁ ନ ଥିଲା।

ଏଇ କଟକଣାକୁ ଆଡ଼େଇବା ଲାଗି ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଳକ ମହାରାଷ୍ଟ୍ରରେ ଆରମ୍ଭ କରିଥିଲେ ବିଘ୍ନରାଜ ଗଣେଶଙ୍କର ଆବାହନ ଓ ବିସର୍ଜନ ଶୋଭଯାତ୍ରା।

ଏହାଦ୍ବାରା ଭାରତୀୟମାନେ ତାଙ୍କର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଆଗ୍ରହ ପୂରଣ କରିବା ସହିତ ପରସ୍ପର ସହ ମିଳିତ ହେବାର ଅବକାଶ ପାଇଥିଲେ।

ସ୍ବାଧୀନତା ଆନ୍ଦୋଳନ କ୍ଷେତ୍ରରେ ତିଳକଙ୍କର ଏହି ଅଭିଯାନ ବିପୁଳ ସଫଳତା ଲାଭ କରିଥିଲା।

କାରଣ, ବିଘ୍ନରାଜଙ୍କ ଆବାହନ ଓ ବିସର୍ଜନ ଧର୍ମୀୟ କାର୍ଯ୍ୟକ୍ରମ ହୋଇଥିବାରୁ ବ୍ରିଟିସ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିପାରି ନ ଥିଲା।

ମାତ୍ର ଯା‌ହା ଦିନେ ପରାଧୀନତାରୁ ମୁକ୍ତି ଲାଗି ମହତ ଆନ୍ଦୋଳନର ଆୟୁଧ ହୋଇଥିଲା, ସ୍ବାଧୀନ ଭାରତରେ ତାହା ଅତ୍ୟାଚାରର ଆୟୁଧ ପାଲଟି ଯାଇଛି।

ସରକାରୀ ନିୟମ ଅଛି, ଗୋଟିଏ ନିର୍ଦ୍ଦିଷ୍ଟ ଭଲ୍ୟୁମରେ ବାଜା ବାଜିବ।

ମାତ୍ର ଭସାଣି ବେଳେ ଡିଜେ ଚିତ୍କାରରେ ରାସ୍ତା କମ୍ପୁଛି।

ଗତ ବର୍ଷ ସେପ୍‌ଟେମ୍ବରରେ ବାଙ୍କୀରେ ଓ ନଭେମ୍ବରରେ ଜଣେ ପରିଚିତ ଯାତ୍ରା କଳାକାରଙ୍କର ଡିଜେ ଶବ୍ଦ ଯୋଗୁଁ ମୃତ୍ୟୁ ଘଟିଥିଲା।

ଗତ ମାସରେ କେନ୍ଦ୍ରାପଡ଼ାରେ ମଧ୍ୟ ଏଭଳି ଘଟଣା ଘଟି ୨ ଛାତ୍ର ମରିଥିଲେ।

୨୦୦୦ ମସିହାର "ଶବ୍ଦ ପ୍ରଦୂଷଣ ଆଇନ" ବ୍ୟର୍ଥ ହୋଇପଡ଼ିଛି।

ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍ ଓ ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଲୋ‌େକ କଷ୍ଟ ପାଉଛନ୍ତି।

ବାଣଫୁଟା ଉପରେ ନିୟନ୍ତ୍ରଣ ଥିଲେ ସୁଦ୍ଧା ତାହାକୁ କୋଉଠି ପାଳନ କରାଯାଉ ନାହିଁ।

ସବୁଠୁ ବଡ଼ କଥା, ଆଧ୍ୟାତ୍ମିକତାର ଉତ୍ସବ ରୂପେ ପରିଗଣିତ ମୂର୍ତ୍ତି ବିସର୍ଜନରେ ମଦ୍ୟପାନ ଏକ ଅପରିହାର୍ଯ୍ୟ ଉପଚାର ଭାବେ ସ୍ବୀକୃତି ପାଇସାରିଛି।

ଏସବୁ ସାଙ୍ଗକୁ ନୂଆ ବ୍ୟାଧି- ସେଲ୍‌ଫି ଉତ୍ତୋଳନ।

ଏଥିପାଇଁ ଭସାଣି ଶୋଭାଯାତ୍ରାର ବେଗ ପୂର୍ବାପେକ୍ଷା ଆହୁରି ମନ୍ଥର ହୋଇପଡୁଛି।

Protest: ସିଇସି ବିରୋଧୀ ଆନ୍ଦୋଳନ; ବିଭିନ୍ନ ଅଭିଯୋଗ ପାଇଁ ୨୭ ଏତଲା ରୁଜୁ କଲା ଦିଲ୍ଲୀ ପୁଲିସ ଏକଥା କହିବାର ଅର୍ଥ ନୁହେଁ ଯେ ଠାକୁର ପୂଜା, ମୂର୍ତ୍ତି ବିସର୍ଜନ, ଶୋଭାଯାତ୍ରା ଇତ୍ୟାଦି ବିରୋଧରେ ସ୍ବର ଉତ୍ତୋଳନ।

ଏସବୁ ଆମ ସଂସ୍କୃତିର ଗୋଟିଏ ଗୋଟିଏ ଅଂଶ।

ଏକଦା ଆମର ପୂଜାରେ ଢୋଲ ମହୁରୀ ବାଜୁଥିଲା।

ଆଜି ଢୋଲ ମହୁରୀ ଜାଗା ନେଇଛି କାନଫଟା ଡିଜେ।

ଏହା ସାଙ୍ଗକୁ ଭିନ୍ନ ଭିନ୍ନ ସ୍ଥାନରେ ଅବିଚାରିତ ବିସର୍ଜନ ତାରିଖ ନିର୍ଣ୍ଣୟ ଏବଂ ମୁଖ୍ୟ ରାସ୍ତାରେ ପ୍ରସେସନ ନେବାର ଜିଦ୍ ସମସ୍ୟା ସୃଷ୍ଟି କରୁଛି।

ଅଥଚ ଆମର ପ୍ରଶାସନ ଆଇନ ଊଲ୍ଲଂଘନକାରୀଙ୍କୁ ବିକଳ୍ପ ରାସ୍ତାରେ ପ୍ରସେସନ ନେବାକୁ ନ କହି ଓଲଟି ସାଧାରଣ ନାଗରିକମାନଙ୍କୁ କହୁଛି- ଅନ୍ୟ ରାସ୍ତା ଦେଖ।

ଏହା ହିଁ ବଡ଼ ବିଲକ୍ଷଣ।ଆମ ଦେଶର ସଂବିଧାନର ଆରମ୍ଭରେ "ଉଇ ଦ ପିପୁଲ" ଶବ୍ଦ ଉପରେ ଗୁରୁତ୍ବ ଦିଆଯାଇଛି।

ଏହାର ଅର୍ଥ ଆମେ ନାଗରିକଗଣ ଆମ ଦେଶ ପାଇଁ ଏହି ସଂବିଧାନ ପ୍ରସ୍ତୁତ କରୁଛୁ।

ନାଗରିକର ଅଧିକାର ସବା ଉପରେ, ସର୍ବାଧିକ।

ମାତ୍ର ଆମ ଦେଶରେ ସାଧାରଣ ନାଗରିକର କିଛି ଅଧିକାର ଥିବା ପରି ଜଣାପଡୁ ନାହିଁ।ପୂଜାପାର୍ବଣ, ସଂକୀର୍ତ୍ତନ ଇତ୍ୟାଦିର ମୂଳ ଲକ୍ଷ୍ୟ ହେଲା ଦେବତ୍ବର ଆବାହନ କରିବା।

ଅନ୍ୟର ଉପକାର କରିବା ପୁଣ୍ୟ, ଅନ୍ୟର କ୍ଷତି ସାଧନ କରିବା ହେଉଛି ପାପ।

ଦୁଃଖର କଥା ପୂଜାପର୍ବାଣି ବେଳେ ଏହିସବୁ କଥାକୁ ଆମେ ଭୁଲିଯାଉଛୁ।

ମନସ୍ତତ୍ତ୍ବବିଜ୍ଞାନ ଅନୁସାରେ ନିଜ ଭିତରେ ହୀନମଣ୍ୟତା ଓ ଅକୁଳାଣପଣ ଅନୁଭବ କରୁଥିବା ଲୋକେ ଜୋର୍‌ରେ ଚିତ୍କାର କରନ୍ତି, କୋଳାହଳ ସୃଷ୍ଟି କରନ୍ତି।

ଓଡ଼ିଶାରେ ଆଜି ଲକ୍ଷ ଲକ୍ଷ ବେକାର ଯୁବକ ଉପାର୍ଜନହୀନତା ଯୋଗୁଁ ପ୍ରତିଦିନ ମାନସିକ ବିଷାଦ ଭିତରକୁ ଚାଲିଯାଉଛନ୍ତି।

ସାମୟିକ ଉତ୍ତେଜନା ପ୍ରାପ୍ତି ନିମନ୍ତେ ସେମାନେ କରଣୀୟ, ଅକରଣୀୟ ସବୁ ପ୍ରକାର କାର୍ଯ୍ୟ କରୁଛନ୍ତି।

ଏଭଳି ସମୟରେ ସେମାନଙ୍କୁ ନିୟନ୍ତ୍ରଣ କରିବା ସମାଜ ଓ ଶାସନର କର୍ତ୍ତବ୍ୟ।

ଅତ୍ୟୁତ୍ସାହୀ ଯୁବକମାନଙ୍କ ଯୋଗୁଁ ସାଧାରଣ ଖୁଦୁରୁକୁଣୀ ପ୍ରତିମା ବିସର୍ଜନଠାରୁ ନେଇ ଗଣେଶ ବିସର୍ଜନ ଖୁବ୍ ପ୍ରଭାବିତ ହେଉଛି।

ଏହି ପ୍ରକାର ବିଲକ୍ଷଣ ବର୍ଷ ବର୍ଷ ଧରି ଦେଖାଯାଇ ଆସୁଥିଲେ ବି ତାହାର ପ୍ରତିକାର ଚିନ୍ତା କରାଯାଉ ନ ଥିବାରୁ ଏହା ଏବେ ଦୁରାରୋଗ୍ୟ ବ୍ୟାଧି ହୋଇଗଲାଣି।

ଗଣେଶ ପୂଜା ଯାଇଛି, ଦଶହରା ଆସୁଛି।

ଲୋକେ ପୂଜା କରନ୍ତୁ, ମଉଜ ମଜଲିସ କରନ୍ତୁ, ମୂର୍ତ୍ତି ବିସର୍ଜନ କରନ୍ତୁ- ମନା ନାହିଁ।

ମାତ୍ର ଏସବୁ ଭିତରେ ସାଧାରଣ ନାଗରିକର ଶାନ୍ତି, ସ୍ବାଚ୍ଛନ୍ଦ୍ୟ, ସ୍ବାଭାବିକ ଗମନାଗମନ କୌଣସି ଭାବରେ ପ୍ରଭାବିତ ନ ହେଉ।

ଲକ୍ଷ ଲକ୍ଷ ଲୋକଙ୍କୁ ନିର୍ଯାତନା ଦେଇ, ସେମାନଙ୍କ କଷ୍ଟର କାରଣ ହୋଇ ଯାହା କରାଯାଏ ତାହା ଜୁଲମ୍ ବା ଅତ୍ୟାଚାର, ଆଧ୍ୟାତ୍ମିକ ଉପଚାର ନୁହେଁ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୦୭୭୨୮୮"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।