Odisha Forms SEBC Commission Ahead Of Panchayat Poll: ପଞ୍ଚାୟତ ପୌର ନିର୍ବାଚନ ପୂର୍ବରୁ ଗଠିତ ହେଲା SEBC କମିଶନ, କାହାକୁ କେତେ ସିଟ୍ ?

Oct 08, 2026 - 20:41
Odisha Forms SEBC Commission Ahead Of Panchayat Poll: ପଞ୍ଚାୟତ ପୌର ନିର୍ବାଚନ ପୂର୍ବରୁ ଗଠିତ ହେଲା SEBC କମିଶନ, କାହାକୁ କେତେ ସିଟ୍ ?

ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ସରକାର ଗଢିଲେ SEBC କମିସନ୍। ପଛୁଆ ବର୍ଗଙ୍କୁ ମିଳିବ କି ସଂରକ୍ଷଣ ? ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପାଇଁ ଗତକାଲି SEBC କମିଶନ ଗଠନ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅବସରପ୍ରାପ୍ତ IAS ବିଜୟ କୁମାର ପୃଷ୍ଟିଙ୍କୁ କମିଶନ୍  ର ସଦସ୍ୟ ଏବଂ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ମିଶ୍ରଙ୍କୁ କମିଶନ’ର ସଦସ୍ୟ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। କମିଶନ୍, ପଞ୍ଚାୟତ ଏବଂ ପୌରାଞ୍ଚଳରେ ପଛୁଆ ବର୍ଗଙ୍କ ସଂଖ୍ୟାର ଅନୁପାତ, ରାଜନୈତିକ ପ୍ରତିନିଧିତ୍ବ ଓ ରାଜନୈତିକ ଭାବେ ସେମାନେ କେତେ ପଛୁଆ, ସେ ସଂପର୍କରେ ଅନୁଧ୍ୟାନ କରିବ। ଦୀର୍ଘ ବର୍ଷ ଧରି ପଛୁଆ ବର୍ଗଙ୍କୁ ସଂରକ୍ଷଣ ଏକ ରାଜନୈତିକ ମୁଦ୍ଦା ସାଜିଥିବା ବେଳେ ନିକଟରେ ମୋହନ ସରକାର ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ୍ ପରି ବୃତ୍ତିଗତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। କମିଶନ ଗଠନ ପରେ ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ସଂରକ୍ଷଣ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜନୀତି ବି ତେଜିଛି।

ଓଡ଼ିଶାରେ ପ୍ରାୟ ୨୧୬ଟି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ରହିଛନ୍ତି । ରାଜ୍ୟରେ SEBCଙ୍କ ସଂଖ୍ୟା ୫୨ ପ୍ରତିଶତରୁ ଅଧିକ। ପଛୁଆ ବର୍ଗଙ୍କୁ ନ୍ୟାୟ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଯଦି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ସଂରକ୍ଷଣ ଲାଗୁ ହୁଏ ତାହେଲେ ତାର ଆଧାର କଣ ହେବ, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ବିରୋଧୀଙ୍କ କଡ଼ା କାଉଣ୍ଟର କରି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିଲେ ସେମାନଙ୍କ ପଛୁଆ ବର୍ଗଙ୍କ ବିକାଶ ପାଇଁ କିଛି କରିନଥିଲେ। ମୋହନ ସରକାର କେବଳ ନିର୍ବାଚନକୁ ନେଇ କାମ କରୁନାହିଁ। ରାଜନୈତିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଓ ସାମାଜିକ ଭାଗିଦାରୀ ବୃଦ୍ଧି ଦିଗରେ କମିଶନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। 

୨୦୨୦ରେ ବିଜେଡି ସରକାର ଗଠନ କରିଥିବା ଓବିସି କମିଶନ୍, ଓବିସି ସର୍ଭେ କରିଥିଲେ । ଯଦିଓ ଏହାକୁ ସାର୍ବଜନୀନ କରାଯାଇନଥିଲା, ତେବେ ତାକୁ ନୂଆ କମିଶନ ଗ୍ରହଣ କରିବେ ତ? ସେହିପରି ଦେଶରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ରିପୋର୍ଟକୁ ଆଧାର ଭାବେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ସସପେନସ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।