Odisha High Court Faces Judge Shortage: ୧.୭୨ ଲକ୍ଷ ମାମଲା, ମାତ୍ର ୧୭ ଜଜ୍; କେମିତି ମିଳିବ ନ୍ୟାୟ ?

Aug 17, 2026 - 20:09
Odisha High Court Faces Judge Shortage: ୧.୭୨ ଲକ୍ଷ ମାମଲା, ମାତ୍ର ୧୭ ଜଜ୍; କେମିତି ମିଳିବ ନ୍ୟାୟ ?

ଓଡ଼ିଶା ହାଇକୋର୍ଟର ଏହି ସ୍ଥିତି ଯୋଗୁଁ ପ୍ରଭାବିତ ହେଉଛି ନ୍ୟାୟିକ ବ୍ୟବସ୍ଥା। ସୂଚନା ଅନୁଯାୟୀ ହାଇକୋର୍ଟରେ ଅନୁମୋଦିତ ବିଚାରପତି ପଦବୀ ସଂଖ୍ୟା ୩୩। କିନ୍ତୁ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୧୭ ଜଣ। ସେଥିରୁ ଦୁଇ ଜଣ ବିଚାରପତିଙ୍କ ବଦଳିପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିସାରିଛନ୍ତି। ଆଉ ୨ ଜଣ ବିଚାରପତିଙ୍କ ମଧ୍ୟରୁ ଜଣଙ୍କର ଆସନ୍ତା ଅକ୍ଟୋବର ଓ ଅନ୍ୟ ଜଣଙ୍କର ନଭେମ୍ବର ମଧ୍ୟରେ ଶେଷ ହେଉଛି କାର୍ଯ୍ୟକାଳ। ଏହା ଭିତରେ ଯଦି କୌଣସି ନୂଆ ବିଚାରପତି ନଆସନ୍ତି ସଂଖ୍ୟା ୫୦ ପ୍ରତିଶତରୁ ବି କମିଯିବ। ଯାହାଦ୍ୱାରା ଆହୁରି ଉତ୍କଟ ପରିସ୍ଥିତି ଉପୁଜିବ ବୋଲି କ୍ଷୋଭର ସହ କହିଛି ହାଇକୋର୍ଟ ବାର୍ ଆସୋସିଏସନ୍। ହାଇକୋର୍ଟରେ ଏବେ ୧ ଲକ୍ଷ ୭୨ ହଜାର ମାମଲା ବିଚାରାଧୀନ ରହିଥିବା ବେଳେ ପ୍ରତିବର୍ଷ ଏହି ସଂଖ୍ୟା ବଢିବାରେ ଲାଗିଛି। ହଜାର ହଜାର ମକଦ୍ଦମାକାରୀ ଶୀଘ୍ର ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ତାଛଡ଼ା ଆଇନଜୀବୀମାନେ ବିଭିନ୍ନ ପେଶାଗତ ଓ ପ୍ରଶାସନିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ବାର୍ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟ କଲେଜିୟମର ଅନ୍ୟ ସଦସ୍ୟ ବିଚାରପତିଙ୍କ ନିକଟକୁ  ସ୍ମାରକପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ତାସତ୍ତ୍ବେ ସୁଫଳ ନମିଳିଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ।

ସେପଟେ ଏହି ସମସ୍ୟା ସୃଷ୍ଟି ହେବା ଦ୍ୱାରା ସୁପ୍ରିମକୋର୍ଟରେ ଓଡ଼ିଆ ବିଚାରପତିଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ହ୍ରାସ ପାଉଥିବା କୁହାଯାଉଛି। ସୂଚନା ଅନୁଯାୟୀ ୨୦୧୮ ପରଠୁ ସୁପ୍ରିମକୋର୍ଟରେ କୌଣସି ଓଡ଼ିଆ ବିଚାରପତି ନିଯୁକ୍ତ ହୋଇନାହାନ୍ତି। ଏମିତି ଅବସ୍ଥା ସୃଷ୍ଟି ହେଲେ ବରିଷ୍ଠତା ଆଧାରରେ ଜଣେ ଓଡ଼ିଆ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପୁଣି କେବେ ହେବେ ତାହା କହିବା ମଧ୍ୟ ମୁସ୍କିଲ। ପୂର୍ବରୁ ଜଷ୍ଟିସ୍ ରଙ୍ଗନାଥ ମିଶ୍ର, ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକ ଓ ଜଷ୍ଟିସ ଦୀପକ ମିଶ୍ର ଓଡ଼ିଆ ହିସାବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିଲେ। କିନ୍ତୁ ବର୍ତ୍ତମାନ ନ୍ୟାୟିକ ବ୍ୟବସ୍ଥା ଯେଉଁ ସମସ୍ୟା ଦେଇ ଗତି କରୁଛି ଭବିଷ୍ୟତରେ ଜଣେ ଓଡ଼ିଆ ପ୍ରଧାନ ବିଚାରପତି ହେବା ନେଇ ଆଶଙ୍କା ସୃଷ୍ଟି କରୁଛି ବୋଲି କହିଛନ୍ତି ହାଇକୋର୍ଟ ବାର୍ ର ସମ୍ପାଦକ। ସେହିପରି ତ୍ୱରିତ ନ୍ୟାୟ ପାଇଁ ନ୍ୟାୟିକ ବ୍ୟବସ୍ଥା ଭିତ୍ତିଭୂମି ମଜଭୁତ କରାଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ମହକିଲ।

ନୂଆ ବିଚାରପତି ନିଯୁକ୍ତି ପାଇଁ ହାଇକୋର୍ଟ କଲେଜିୟମ୍ ସୁପାରିଶ ପଠାଇଥିଲେ ବି ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।