Odisha Village Stays Plastic-Free: କେବେ ଦେଖି ନଥିବେ ଏମିତି ଗାଁ, ୧୫ ବର୍ଷ ହେଲା ଆବର୍ଜନା ନାହିଁ, ରାସ୍ତା ପୂରା ଚିକ୍ ଚିକ୍
ମୟୂରଭଞ୍ଜର ବାବେଇଯୋଡ଼ା ଗାଁର ସ୍ୱଚ୍ଛତା ଏବେ ଦେଶ ପାଇଁ ଉଦାହରଣ। ୧୫ ବର୍ଷ ଧରି ଗାଁକୁ କଚରା ଓ ପ୍ଲାଷ୍ଟିକ୍ମୁକ୍ତ ରଖି ଗ୍ରାମବାସୀ ସୃଷ୍ଟି କରିଛନ୍ତି ନିଆରା ମିସାଲ। ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ଗାଁର ସ୍ୱଚ୍ଛତାକୁ ପ୍ରଶଂସା କରିବା ସହ ଦେଶର ଅନ୍ୟ ଗାଁ ଓ ସହରରେ ଏଭଳି ଅଭିଯାନ ଚାଲିବା ଉଚିତ ବୋଲି କହିଛନ୍ତି।
ସଫାସୁତୁରା ରାସ୍ତା, ଚାରିଆଡ଼େ ପରିଚ୍ଛନ୍ନ ପରିବେଶ ଏବଂ କେଉଁଠି ନାହିଁ ଟିକିଏ ବି ମଇଳା। ଦେଖିଲେ ଲାଗିବ, ଏହା ହୁଏତ କୌଣସି ଯୋଜନାବଦ୍ଧ ମଡେଲ୍ ଗାଁ। କିନ୍ତୁ ଏହା ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାବେଇଯୋଡ଼ା ଗାଁ। ଦୀର୍ଘ ୧୫ ବର୍ଷ ଧରି ଗାଁକୁ ଅଳିଆମୁକ୍ତ ଓ ପ୍ଲାଷ୍ଟିକ୍ମୁକ୍ତ ରଖି ଦେଶ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଏଠାକାର ଲୋକେ।
ମୟୂରଭଞ୍ଜରେ ରହିଛି ‘ସ୍ୱଚ୍ଛତାର ଗାଁ’
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ଅନ୍ତର୍ଗତ ବାବେଇଯୋଡ଼ା ଏକ ଛୋଟ ଆଦିବାସୀ ଗାଁ। ତେବେ ଆକାରରେ ଛୋଟ ହେଲେ ମଧ୍ୟ ସ୍ୱଚ୍ଛତା କ୍ଷେତ୍ରରେ ଏହି ଗାଁର ପରିଚୟ ଏବେ ବହୁତ ବଡ଼ ହୋଇଛି। ଗ୍ରାମବାସୀଙ୍କ ଦୃଢ଼ ସାମୂହିକ ମନୋଭାବ ଏବଂ ସ୍ୱଚ୍ଛତା ପ୍ରତି ସଚେତନତା ଯୋଗୁଁ ବାବେଇଯୋଡ଼ା ଗତ ୧୫ ବର୍ଷ ଧରି କଚରା ଓ ପ୍ଲାଷ୍ଟିକ୍ମୁକ୍ତ ରହିଆସିଛି। ଗାଁର ରାସ୍ତାଘାଟରେ ଆବର୍ଜନା ପଡ଼ିଥିବା ଦେଖିବାକୁ ମିଳେନି।
ହର୍ଷ ଗୋଏଙ୍କାଙ୍କ ପ୍ରଶଂସା
ବାବେଇଯୋଡ଼ା ଗାଁର ଏକ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି ଶିଳ୍ପପତି ହର୍ଷ ଗୋଏଙ୍କା। ଗାଁର ସ୍ୱଚ୍ଛତା ଓ ଗ୍ରାମବାସୀଙ୍କ ସାମୂହିକ ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ଦୃଢ଼ ସାମୂହିକ ଭାବନା ଯୋଗୁଁ ଓଡ଼ିଶାର ବାବେଇଯୋଡ଼ା ଗତ ୧୫ ବର୍ଷ ଧରି ସଫାସୁତୁରା, କଚରାମୁକ୍ତ ଏବଂ ପ୍ଲାଷ୍ଟିକ୍ମୁକ୍ତ ରହିଛି। ଏଭଳି ପଦକ୍ଷେପକୁ ଦେଶର ପ୍ରତ୍ୟେକ ଗାଁ ଓ ସହରରେ ଏକ ମିଶନ୍ ଭାବେ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଚକଚକ କରୁଛି ଗାଁର ରାସ୍ତା
ହର୍ଷ ଗୋଏଙ୍କା ସେୟାର କରିଥିବା ଭିଡିଓରେ ବାବେଇଯୋଡ଼ାର ରାସ୍ତାଗୁଡ଼ିକ ବେଶ୍ ସଫାସୁତୁରା ଦେଖାଯାଉଛି। ଘରଗୁଡ଼ିକୁ ମଧ୍ୟ ବିଭିନ୍ନ ଆକର୍ଷଣୀୟ ରଙ୍ଗରେ ସଜାଯାଇଛି। ରାସ୍ତା କଡ଼ରେ କିମ୍ବା ଖୋଲା ସ୍ଥାନରେ ପ୍ଲାଷ୍ଟିକ୍ ଅବା କଚରା ଦେଖିବାକୁ ମିଳୁନାହିଁ। ଗ୍ରାମବାସୀଙ୍କ ଏହି ଅଭ୍ୟାସ ପ୍ରମାଣ କରୁଛି ଯେ କେବଳ ସରକାରୀ ଯୋଜନା ନୁହେଁ, ଲୋକଙ୍କ ଭାଗିଦାରି ଓ ଦାୟିତ୍ୱବୋଧ ଥିଲେ ଏକ ଅଞ୍ଚଳକୁ ବର୍ଷ ବର୍ଷ ଧରି ପରିଚ୍ଛନ୍ନ ରଖାଯାଇପାରେ।
Babeijoda in Odisha has stayed clean, litter-free and plastic-free for last 15 years thanks to a strong community spirit.
— Harsh Goenka (@hvgoenka) October 3, 2026
Why not we take this as a mission in every village and every city? pic.twitter.com/tvZ4bDcp5L
ସୋସିଆଲ୍ ମିଡିଆରେ ମିଶ୍ର ପ୍ରତିକ୍ରିୟା
ବାବେଇଯୋଡ଼ାର ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଆସିଛି। ଅନେକ ୟୁଜର୍ ଗ୍ରାମବାସୀଙ୍କ ଉଦ୍ୟମକୁ ପ୍ରଶଂସା କରି ଅନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ଏଥିରୁ ଶିଖିବା ଉଚିତ ବୋଲି କହିଛନ୍ତି।
ଅନ୍ୟପଟେ କିଛି ୟୁଜର୍ ଗାଁରେ ଅଧିକ ଗଛ ଲଗାଇବା ଏବଂ ସବୁଜିମା ବୃଦ୍ଧି ଦିଗରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ରଖିଛନ୍ତି। ତେବେ ମତ ଯାହା ହେଉନା କାହିଁକି, ୧୫ ବର୍ଷ ଧରି ଏକ ପୂରା ଗାଁକୁ କଚରା ଓ ପ୍ଲାଷ୍ଟିକ୍ମୁକ୍ତ ରଖିବା ବାବେଇଯୋଡ଼ାର ଗ୍ରାମବାସୀଙ୍କ ସାମୂହିକ ଦାୟିତ୍ୱବୋଧର ଏକ ବଡ଼ ଉଦାହରଣ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।