Odisha's neglect: ପଡ଼ୋଶୀ ରାଜ୍ୟର ବିଜୁଳିରେ ବସ୍ତି ଦେଖୁଛି ଆଲୁଅ: ଓଡ଼ିଶାର ଅବହେଳା, ଝାଡ଼ଖଣ୍ଡର ସହଯୋଗ
ରାଉରକେଲା (ମଳୟ ରଞ୍ଜନ ସାହୁ): ମୌଳିକ ସୁବିଧାରୁ ବଞ୍ଚିତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଉପାନ୍ତ ଗାଁ ଓ ବସ୍ତି। ସରକାର ପରେ ସରକାର ବଦଳୁଛି, ବିଭାଗୀୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ବସ୍ତିର ସମସ୍ୟା ପୂର୍ବରୁ ଯେମିତି ଥିଲା, ଏବେ ବି ସେମିତି ରହିଛି। ଯାହାର ଜ୍ବଳନ୍ତ ଉଦାହରଣ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନୂଆଗାଁ ବ୍ଲକ ଅନ୍ତର୍ଗତ ଚିତାପେଡ଼ି ପଞ୍ଚାୟତର ପାହାଡ଼ ଉପର ଲାଖୁଆ ଓ ମୁଣ୍ଡାବସ୍ତି।
Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’
ନୂଆଗାଁରୁ ୧୮ କିମି, ଝାଡ଼ଖଣ୍ଡରୁ ମାତ୍ର ୫୦୦ ମିଟର ଦୂର। ବିଡ଼ମ୍ବନା, ଦୁଇ ବସ୍ତିର ଅନ୍ଧାର ଦୂର କରୁଛି ଝାଡ଼ଖଣ୍ଡ ହୁର୍ଦାର ଝାରପଣା ଗାଁ। ବର୍ଷ ବର୍ଷ ଧରି ଲାଗି ରହିଛି ଏଭଳି ଜଟିଳ ସମସ୍ୟା। ଝାଡ଼ଖଣ୍ଡର ପଡ଼ୋଶୀ ଗାଁରୁ ଟଣାଯାଇଥିବା ବିଜୁଳି ତାରରେ ଏହି ଦୁଇ ବସ୍ତିର ଘରମାନଙ୍କରେ ଜଳୁଛି ବଲ୍ବ। ଡିବିରି ଆଲୁଅ ପରିବର୍ତ୍ତେ ଗାଁର ପିଲାମାନେ ବିଜୁଳି ଆଲୋକରେ ପାଠ ପଢ଼ୁଛନ୍ତି। ହାତୀ ଓ ବନ୍ୟଜନ୍ତୁ ଭୟ ଦୂର ହୋଇଛି। ବିଜୁଳି ବ୍ୟବସ୍ଥା ପାଇଁ ଦୁଇ ବସ୍ତିବାସିନ୍ଦା ବାରମ୍ବାର ବିଜୁଳି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଡିଓଙ୍କ ନିର୍ଦେଶକ୍ରମେ ବିଜୁଳି ବିଭାଗର କର୍ମଚାରୀ ବସ୍ତିରେ ପହଞ୍ଚି ଖୁବ୍ଶୀଘ୍ର ବିଜୁଳି ସଂଯୋଗ କରାଯିବ କହି ପରେ ଭୁଲି ଯାଇଛନ୍ତି। ନିଜର ରାଜ୍ୟର ବିଭାଗ ଦୁଃଖ ନ ଶୁଣିବାରୁ ବସ୍ତିବାସିନ୍ଦା ଏକାଠି ହୋଇ ଝାଡ଼ଖଣ୍ଡର ପଡ଼ୋଶୀ ଝରାପଣା ଗାଁର ମୁଖିଆଙ୍କୁ ଭେଟିଥିଲେ। ଜଙ୍ଗଲୀ ହାତୀଙ୍କ ଭୟ ଓ ପିଲାଙ୍କ ପାଠପଢ଼ା ସମସ୍ୟା ଦୂର ପାଇଁ ବିଜୁଳି ଦେବାକୁ ଗୁହାରି କରିଥିଲେ।
Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି
ଝରାପଣା ଗାଁର ଲୋକମାନେ ଦୁଃଖ ଶୁଣିବା ପରେ ବିଜୁଳି ସଂଯୋଗ କରିବାକୁ ରାଜି ହୋଇଥିଲେ। ପ୍ରତ୍ୟେକଙ୍କ ଘରେ ଦୁଇଟି ଲେଖାଏଁ ବଲ୍ବ ଲଗାଇବାକୁ ସର୍ତ୍ତ ରଖିଥିଲେ। ପରେ ଦୁଇ ବସ୍ତିବାସିନ୍ଦା ଚାନ୍ଦା କରି ବାଉଁଶ ଓ ତାର କିଣିଲେ। ୫୦୦ ମିଟର ପର୍ଯ୍ୟନ୍ତ ବାଉଁଶ ପୋତି ବସ୍ତିକୁ ତାର ଟାଣିଲେ। ବିଜୁଳି ପରି ଗାଁରେ ରାସ୍ତା ଓ ପାନୀୟଜଳ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ଖରାଦିନେ ପାଣି ପାଇଁ ସଂଘର୍ଷ କରୁଛନ୍ତି। ବର୍ଷା ଦିନେ କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି। ବସ୍ତିର ଦିଲୀପ ଲାଖୁଆ ଓ ଲାଲୁ ଲାଖୁଆ କହିଛନ୍ତି, ଝାଡ଼ଖଣ୍ଡ ସୀମାକୁ ବସ୍ତି ଲାଗିଥିବାରୁ ସରକାର ଆମ ଦୁଃଖକୁ ପାସୋରି ଯାଇଛନ୍ତି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସମାଧାନ ନ ହେବାରୁ, ଶେଷରେ ପଡୋଶୀ ଝାଡ଼ଖଣ୍ଡ ଗାଁ ଲୋକଙ୍କୁ ସହଯୋଗ ଲୋଡ଼ିଲୁ। ସେମାନେ ଆମ ଦୁଃଖ ଶୁଣିବାରୁ ଆଜି ଆମ ବସ୍ତିରେ ଅନ୍ଧାର ଦୂର ହୋଇପାରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।