OSDMA: ବଜ୍ରପାତ ସୁରକ୍ଷା ଏସଓପି ଆସିବ: ମନ୍ତ୍ରୀ
"ଭୁବନେଶ୍ୱର: ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତି l ଦୁଇଦିନ ବ୍ୟାପି ଆଜିଠାରୁ ଆରମ୍ଭ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡ଼ମା)ଙ୍କ ପକ୍ଷରୁ ଏହି ଜାତୀୟ କର୍ମଶାଳା ଆୟୋଜିତ ହେଉଥିବା ବେଳେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଗବେଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ଯୋଗଦେଇଛନ୍ତି l Advertisment ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ପ୍ରଭାବ ଏବଂ କ୍ଷୟକ୍ଷତି ଦୃଷ୍ଟିରୁ ବଜ୍ରପାତ ବ୍ୟାପାକ ବିପର୍ଯ୍ୟୟ ସୃଷ୍ଟି କରୁଛି।
ଜାତୀୟ କର୍ମଶାଳାର ଆୟୋଜନ ହେବା ଦ୍ଵାରା ବୈଜ୍ଞାନିକ, ଗବେଷକ, ବିଶେଷଜ୍ଞ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିଚାରବିମର୍ଶ, ଆଲୋଚନା ତଥା ମାନସମନ୍ଥନ ମାଧ୍ୟମରେ ବଜ୍ରପାତର ପ୍ରକୋପ ହ୍ରାସ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହେବl ସମ୍ମାନିତ ଅତିଥି ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.
ମୃତ୍ୟୁଞ୍ଜୟ ମହାପାତ୍ର କହିଲେ ଯେ, ଉପଗ୍ରହ ତଥ୍ୟର ସମନ୍ୱୟ, ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂର ନୂତନ ପ୍ରୟୋଗ ଏବଂ ପଞ୍ଚାୟତସ୍ତରୀୟ ନିଷ୍ପତ୍ତି ସହାୟକ ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତ ଚିହ୍ନଟ, ନିରୀକ୍ଷଣ ଓ ପୂର୍ବାନୁମାନ ବ୍ୟବସ୍ଥାର ଉନ୍ନତି ଉପରେ ଏହି କର୍ମଶାଳାରେ ଆଲୋଚନା କରାଯିବ।
Suresh Pujari: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗୁରୁତ୍ବାରୋପ ଓସଡ଼ମା ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଲେ ଯେ, ବଜ୍ରପାତର ପୂର୍ବାନୁମାନ, ବିପଦ ଆକଳନ, ଆଗୁଆ ସତର୍କ ସୂଚନାର ପ୍ରସାର ଏବଂ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।
ଓଡ଼ିଶା ପରି ବିପର୍ଯ୍ୟୟପ୍ରବଣ ରାଜ୍ୟରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଓସଡ଼ମା ପ୍ରୟାସ ସର୍ବଦା ଅବ୍ୟାହତ ରହିଛି l ଏହି କର୍ମଶାଳାରୁ ବଜ୍ରପାତ ସୁରକ୍ଷିତ ଓଡ଼ିଶା -୨୦୨୭ କାର୍ଯ୍ୟଯୋଜନା ଏବଂ ୨୦୨୭–୨୦୩୦ ରୋଡ୍ମ୍ୟାପ୍ ପ୍ରସ୍ତୁତ ହେବ।
ଏହି ପ୍ରସ୍ତାବିତ ରୋଡ୍ମ୍ୟାପ୍ରେ ବଜ୍ରପାତର ପୂର୍ବାନୁମାନ, ବିପଦପ୍ରବଣତା ହ୍ରାସ, ଜନସଚେତନତା, ଆଗୁଆ ସତର୍କ ସୂଚନାର ପ୍ରସାର ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଆଦି କ୍ଷେତ୍ରରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସୁସ୍ପଷ୍ଟ ରୂପରେଖ ପ୍ରସ୍ତୁତ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।