Over 35 Bodies Allegedly Stolen From Cremation Ground: ମଶାଣିରୁ ଗାଏବ ହେଉଛି ପୋତା ଶବ, ୩୫ରୁ ଅଧିକ ଶବ ଚୋରି!
ପୋତା ଯାଇଥିବା ମୃତଦେହ ମଶାଣିରୁ ଚୋରି ହୋଇଯାଉଛି । ପରିବାର ଲୋକ କ୍ରିୟାକର୍ମ ସାରିବା ବେଳକୁ ମଶାଣିରେ ଆଉ ଶବ ନାହିଁ । ଦଶ ତୁଠକୁ ଯାଇ ପୁଅ ଲଣ୍ଡା ହେଲା ବେଳକୁ ଏପଟେ ମଶାଣିରୁ ଶବ ନେଇ ପୂରା ପରିବାରକୁ ଲଣ୍ଡା କରିଦେଉଛି ଅଜଣା ଚୋର । ଗୋଟିଏ କି ଦୁଇଟି ନୁହେଁ, ବିଗତ କିଛି ବର୍ଷ ମଧ୍ୟରେ ୩୫ରୁ ଅଧିକ ଶବ ଚୋରି ହୋଇଯିବା ଘଟଣା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
୩ ଦିନ ତଳେ ପୁଣି ୨ଟି ଶବ ଚୋରି ହୋଇଯିବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି । ଘଟଣାଟି ଘଟିଛି ଭଣ୍ଡାରିପୋଖରୀ ଥାନା ମଣିନାଥପୁର ଗାଁରେ । ବୈତରଣୀ ନଦୀ କୂଳରେ ଥିବା ଗ୍ରାମ ଶ୍ମଶାନରୁ ଗତ ସୋମବାର ରାତିରେ ୨ଟି ଶବ ଚୋରି ହୋଇଯାଇଛି । ଗାଁର ଗେହ୍ଲା ଦାସ ଓ ଶରତ ନାଥଙ୍କ ଶବ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ଏହାକୁ ମିଶାଇ ଗାଁ ମଶାଣିରୁ ଷଷ୍ଠ ଥର ପାଇଁ ଶବ ଚୋରି ହୋଇଛି ।
ଗତ ଫେବୃଆରୀ ମାସରେ ଉକ୍ତ ମଶାଣିରୁ ଏକକାଳୀନ ୫ଟି ଶବ ଚୋରି ହୋଇଥିଲା । ଖଗେଶ୍ଵର ସାମଲ, ହାଡ଼ିବନ୍ଧୁ ବେଉରିଆ, କାଜ ନାୟକ, ସରସ୍ୱତୀ ବେହେରା ଓ କାଳନ୍ଦୀ ବେହେରାଙ୍କ ଶବକୁ ମାଟି ତଳୁ ଖୋଳି କେହି ଦୁର୍ବୃତ୍ତ ନେଇଯାଇଥିଲେ । ଶବ ଚୋରି ଘଟଣା ପ୍ରଥମେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ମାଟି ଖୋଳି ଜଣେ ଶିଶୁର ଶବକୁ କେହି ନେଇ ପଳାଇଥିଲା । ଏହା ପରେ ପରେ ବର୍ଷକ ମଧ୍ୟରେ ଆଉ ୪ଟି ଶବ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ୨୦୨୩ ମସିହାରେ ଗୋଟିଏ ରାତିରେ ୩ଟି ଶବ ମଶାଣିରୁ ଚୋରି ହୋଇଯାଇଥିଲା ।
ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଶବ ଚୋରି କରୁଛି ତାହା ଏବେ ସମସ୍ତଙ୍କ ପାଇଁ ମୁଖ୍ୟ ପ୍ରଶ୍ନ ହୋଇଛି । ଗୁଣିଗାରେଡ଼ି କିମ୍ବା ମେଡିକାଲ ଶିକ୍ଷାର୍ଥୀଙ୍କ ବ୍ୟବହାର ପାଇଁ କେହି ଦଲାଲ ଶବ ଚୋରି କରି ନେଉଥିବା ସନ୍ଦେହ କରାଯାଇଛି । ପୋଲିସ ତଦନ୍ତ କରି ଏଥିରେ ସଂପୃକ୍ତ ରାକେଟକୁ ଧରିବାକୁ ଦାବି କରାଯାଇଛି । ତଦନ୍ତ ତ୍ବରାନ୍ବିତ କରି ଏଭଳି ଘଟଣା ପଛରେ ସଂପୃକ୍ତ ଥିବା ରାକେଟକୁ ଧରାଯିବ କହିଛନ୍ତି ଅତିରିକ୍ତ ଏସପି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।