Pak Imposes Emergency in Khyber Pakhtunkhwa : ହଟିଲା ପିଟିଆଇ ସରକାର: ଜରୁରୀକାଳୀନ ପରିସ୍ଥିତି ଲାଗୁ, ରାଜ୍ୟପାଳ ଶାସନ ଜାରି
ପାକିସ୍ତାନରେ ରାଜନୈତିକ ସଂଘର୍ଷ ତୀବ୍ର ହୋଇଛି। ଇମ୍ରାନ ଖାନ୍ଙ୍କ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇ)ର ଶେଷ ରାଜ୍ୟ ସରକାର ଥିବା ଖାଇବର ପଖତୁନଖ୍ୱାରେ ରବିବାର ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ସହ ରାଜ୍ୟପାଳ ଶାସନ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ଙ୍କ ସରକାର। ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀ ସମ୍ବିଧାନର ଧାରା ୨୩୨ ଓ ୨୩୪ ଅନୁଯାୟୀ ଏହି ପଦକ୍ଷେପକୁ ଅନୁମୋଦନ କରିଛନ୍ତି। ଆତଙ୍କବାଦ ବୃଦ୍ଧି ଓ ସାମ୍ବିଧାନିକ ବ୍ୟବସ୍ଥା ଦୁର୍ବଳ ହେଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ପାକିସ୍ତାନ ସରକାର।
ଏହି ନିଷ୍ପତ୍ତି ଫଳରେ ଖାଇବର ପଖତୁନଖ୍ୱାର ନିର୍ବାଚିତ ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦିଙ୍କ ସରକାର ଏବେ କ୍ଷମତାରୁ ହଟିଛି। ଏହା ସହ ପ୍ରାନ୍ତର ମନ୍ତ୍ରିମଣ୍ଡଳର କ୍ଷମତା ମଧ୍ୟ ପ୍ରଭାବିତ ହୋଇଛି। ପାକିସ୍ତାନର କେନ୍ଦ୍ର ସରକାର ଏହାକୁ ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଜରୁରୀ ପଦକ୍ଷେପ ବୋଲି କହୁଥିବା ବେଳେ ପିଟିଆଇ ଏହାକୁ ଗଣତନ୍ତ୍ର ଓ ପ୍ରାନ୍ତୀୟ ସ୍ୱାୟତ୍ତତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରିଛି।
ଶେହବାଜ ଶରିଫ୍ଙ୍କ ଅଧ୍ୟକ୍ଷତାରେ ରବିବାର ପାକିସ୍ତାନର କେନ୍ଦ୍ରୀୟ କ୍ୟାବିନେଟ୍ର ଜରୁରୀ ବୈଠକ ବସିଥିଲା। ଏଥିରେ ଖାଇବର ପଖତୁନଖ୍ୱାର ସୁରକ୍ଷା ପରିସ୍ଥିତି ନେଇ ଆଲୋଚନା ହୋଇଥିଲା। ଆଫଗାନିସ୍ତାନ ସୀମାକୁ ଲାଗିଥିବା ଏହି ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ (ଟିଟିପି) ସମେତ ବିଭିନ୍ନ ଆତଙ୍କବାଦୀ ସଂଗଠନର ଆକ୍ରମଣ ଜାରି ରହିଛି।
ପାକ୍ ସରକାରଙ୍କ ଅଭିଯୋଗ ଅନୁସାରେ, ପିଟିଆଇ ନେତୃତ୍ୱାଧୀନ ରାଜ୍ୟ ସରକାର ଆତଙ୍କବାଦ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିଲେ। ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ମଧ୍ୟ ଶେହବାଜ ସରକାର ଚିନ୍ତା ପ୍ରକାଶ କରିଛନ୍ତି। ତେବେ ପିଟିଆଇ ସରକାର ଏହି ଅଭିଯୋଗକୁ ନେଇ ଆପତ୍ତି ଉଠାଇଛି।
କ’ଣ କହୁଛି ପାକିସ୍ତାନର ସମ୍ବିଧାନ?
ପାକିସ୍ତାନର ସମ୍ବିଧାନର ଧାରା ୨୩୨ ଅନୁଯାୟୀ, ଯୁଦ୍ଧ, ବାହ୍ୟ ଆକ୍ରମଣ କିମ୍ବା ଗମ୍ଭୀର ଆଭ୍ୟନ୍ତରୀଣ ଅଶାନ୍ତି ଯୋଗୁଁ ଦେଶର ସୁରକ୍ଷା ବିପଦରେ ପଡ଼ିଲେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇପାରେ। ସେହିପରି ଧାରା ୨୩୪ ଅନୁଯାୟୀ, କୌଣସି ପ୍ରାନ୍ତରେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସରକାର ଚାଲିବା ସମ୍ଭବ ନହେଲେ ରାଜ୍ୟପାଳ ଶାସନ ଲାଗୁ କରାଯାଇପାରେ।
ତେବେ ଏହି ପଦକ୍ଷେପ ପାଇଁ ସାମ୍ବିଧାନିକ ଅନୁମୋଦନ ଆବଶ୍ୟକ। ଧାରା ୨୩୨ ଅନୁଯାୟୀ ପ୍ରାନ୍ତୀୟ ବିଧାନସଭାର ପ୍ରସ୍ତାବ ବିନା ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲେ ୧୦ ଦିନ ମଧ୍ୟରେ ସଂସଦର ଅନୁମୋଦନ ଆବଶ୍ୟକ। ଧାରା ୨୩୪ ଅନୁଯାୟୀ ରାଜ୍ୟପାଳ ଶାସନକୁ ଦୁଇ ମାସ ମଧ୍ୟରେ ସଂସଦର ଉଭୟ ସଦନର ମିଳିତ ବୈଠକରେ ଅନୁମୋଦନ କରାଇବାକୁ ପଡ଼ିଥାଏ। ଏହାର ସର୍ବାଧିକ ଅବଧି ଛଅ ମାସ ବୋଲି ସମ୍ବିଧାନରେ ବ୍ୟବସ୍ଥା ରହିଛି।
ଏହି ପରିସ୍ଥିତିରେ ପାକିସ୍ତାନ ସରକାର ଖାଇବର ପଖତୁନଖ୍ୱାର ମୁଖ୍ୟ ସଚିବ ଭାବେ ବରିଷ୍ଠ ଅଧିକାରୀ ମହମ୍ମଦ ଫଖର ଆଲମ ଇରଫାନଙ୍କୁ ନିଯୁକ୍ତ କରିଛନ୍ତି।
ଇମ୍ରାନ ଖାନ୍ଙ୍କ ମୁକ୍ତି ପାଇଁ ପିଟିଆଇର ଆନ୍ଦୋଳନ
ଜେଲ୍ରେ ଥିବା ଦଳର ପ୍ରତିଷ୍ଠାତା ଇମ୍ରାନ ଖାନ୍ଙ୍କୁ ମୁକ୍ତ କରିବା ଦାବିରେ ପିଟିଆଇ ଲମ୍ବା ପଦଯାତ୍ରା ଆରମ୍ଭ କରିଛି। ଏହି ଆନ୍ଦୋଳନ ଜୋର ଧରୁଥିବା ସମୟରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ପ୍ରଦର୍ଶନକାରୀମାନେ ଇସଲାମାବାଦ ଆଡ଼କୁ ଅଗ୍ରସର ହେବାକୁ ଉଦ୍ୟମ କରୁଥିବାରୁ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।
ଖାଇବର ପଖତୁନଖ୍ୱାର ରାଜ୍ୟପାଳ ଫୈସଲ କରିମ କୁଣ୍ଡି ଆନ୍ଦୋଳନକାରୀଙ୍କୁ ଆଇନ ହାତକୁ ନନେବାକୁ ଚେତାବନୀ ଦେଇଛନ୍ତି। ଆଇନ ଉଲ୍ଲଂଘନ କଲେ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପଟେ, ଖାଇବର ପଖତୁନଖ୍ୱାର ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ରାଜ୍ୟକୁ ଫେଡେରାଲ୍ ସରକାରଙ୍କ ନିୟନ୍ତ୍ରଣକୁ ନେବା ପାଇଁ କୌଣସି ବେଆଇନ ପଦକ୍ଷେପକୁ ଗ୍ରହଣ କରିବେ ନାହିଁ ବୋଲି ପୂର୍ବରୁ କହିଥିଲେ। ଶନିବାର ମର୍ଦ୍ଦାରେ ଏକ ସଭାରେ ସେ କହିଥିଲେ ଯେ ଧମକ ଦେଇ ପଖତୁନ ଜନସାଧାରଣଙ୍କୁ ଭୟଭୀତ କରାଯାଇପାରିବ ନାହିଁ।
ଆଫଗାନିସ୍ତାନ ସୀମାକୁ ଲାଗିଥିବା ଖାଇବର ପଖତୁନଖ୍ୱା ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ପାକିସ୍ତାନର ଏକ ସମ୍ବେଦନଶୀଳ ଅଞ୍ଚଳ। ଏହା PTIର ଏକ ପ୍ରମୁଖ ରାଜନୈତିକ ଗଡ଼ ମଧ୍ୟ। ତେଣୁ ଏଠାରେ ନିର୍ବାଚିତ ସରକାରକୁ ହଟାଇ ରାଜ୍ୟପାଳ ଶାସନ ଲାଗୁ କରିବା ନିଷ୍ପତ୍ତି ପାକିସ୍ତାନର ରାଜନୀତିକୁ ଆହୁରି ଜଟିଳ କରିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।