Pakistani Airstrikes Kill 9 in Afghanistan: ପୁଣି ତେଜିଲା ପାକିସ୍ତାନ-ଆଫଗାନିସ୍ତାନ ବିବାଦ, ଏୟାରଷ୍ଟ୍ରାଇକ୍‌ ପରେ ବଢ଼ିଲା ଉତ୍ତେଜନା

Oct 01, 2026 - 13:07
Pakistani Airstrikes Kill 9 in Afghanistan: ପୁଣି ତେଜିଲା ପାକିସ୍ତାନ-ଆଫଗାନିସ୍ତାନ ବିବାଦ, ଏୟାରଷ୍ଟ୍ରାଇକ୍‌ ପରେ ବଢ଼ିଲା ଉତ୍ତେଜନା

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତୀବ୍ର ହୋଇଛି ଉତ୍ତେଜନା। ଗୁରୁବାର ଆଫଗାନିସ୍ତାନର କୁନାର ଓ ହେଲମଣ୍ଡ ପ୍ରଦେଶରେ ପାକିସ୍ତାନ ପକ୍ଷରୁ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଆଫଗାନ ତାଲିବାନ ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦଙ୍କ ଅନୁସାରେ, ଏହି ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୧ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ସେ ଦାବି କରିଛନ୍ତି। 

ଆଫଗାନିସ୍ତାନର ଦାବି ଅନୁସାରେ, ଏହି ଏୟାରଷ୍ଟ୍ରାଇକ୍‌ରେ ତିନୋଟି ଘର କ୍ଷତିଗ୍ରସ୍ତ ହୋଇଛି। ଘଟଣାକୁ ନେଇ ମୁଜାହିଦ ପାକିସ୍ତାନର କାର୍ଯ୍ୟକୁ ‘ଆକ୍ରମଣ’ ବୋଲି ବର୍ଣ୍ଣନା କରି ନିନ୍ଦା କରିଛନ୍ତି। 

ଅନ୍ୟପକ୍ଷରେ ପାକିସ୍ତାନର ସୂଚନା ମନ୍ତ୍ରଣାଳୟ କହିଛି ଯେ, ଏହି ଆକ୍ରମଣ ‘ବିଶ୍ୱସନୀୟ ଗୁଇନ୍ଦା ସୂଚନା’ ଆଧାରରେ କରାଯାଇଥିଲା। ଦୁଇଟି ସ୍ଥାନରେ ଥିବା ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳକୁ ଟାର୍ଗେଟ କରାଯାଇଥିଲା ଏବଂ ୨୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ କହିଛି। ଏହାସହ ସେଠାରେ ମହଜୁଦ ଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନଷ୍ଟ କରାଯାଇଥିବା ଦାବି କରିଛି।

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମାପାର ଆତଙ୍କବାଦକୁ ନେଇ ଦୀର୍ଘଦିନ ଧରି ମତଭେଦ ରହିଛି। ପାକିସ୍ତାନ ଅଭିଯୋଗ କରୁଛି ଯେ, ଆଫଗାନିସ୍ତାନରେ ଥିବା ତାଲିବାନ ସରକାର ତେହରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ସମେତ କିଛି ସଶସ୍ତ୍ର ଗୋଷ୍ଠୀକୁ ଆଶ୍ରୟ ଦେଉଛି ଏବଂ ସେମାନେ ପାକିସ୍ତାନ ଭିତରେ ଆକ୍ରମଣ କରୁଛନ୍ତି। ଆଫଗାନ ତାଲିବାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଛି ଏବଂ ଆତଙ୍କବାଦକୁ ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟା ବୋଲି କହୁଛି। ଗତ କିଛି ସପ୍ତାହ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଏହି ତିକ୍ତତା ଆହୁରି ବଢ଼ିଛି।

ଏହା ପୂର୍ବରୁ ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ସଶସ୍ତ୍ର ଗୋଷ୍ଠୀ ସୀମା ପାର ହୋଇ ପ୍ରବେଶ କରିଥିବା ନେଇ ମଧ୍ୟ ଦୁଇ ଦେଶ ପରସ୍ପର ଉପରେ ଅଭିଯୋଗ ଲଗାଇଥିଲେ। ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଯେ, ପାକିସ୍ତାନରୁ ଆସିଥିବା ଏକ ଗୋଷ୍ଠୀରେ ‘ଇସ୍ଲାମିକ୍ ଷ୍ଟେଟ୍‌’ ସହ ସମ୍ପୃକ୍ତ ଲୋକ ମଧ୍ୟ ଥିଲେ।

ଆଫଗାନିସ୍ତାନ ଏହି ଲଢ଼େଇରେ ୨୮ ଜଣ ଯୋଦ୍ଧା ନିହତ ଓ ୩୨ ଜଣ ଆହତ ହୋଇଥିବା ଦାବି କରିଥିଲା। ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରିଛି। ତେବେ ବର୍ତ୍ତମାନର ଏୟାରଷ୍ଟ୍ରାଇକ୍‌ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।