PAN Card Misuse: ରୋଷେୟାଙ୍କ PANରେ ₹୨୪.୬୨ କୋଟି କାରବାର, ₹୪ କୋଟି ଟିକସ ନୋଟିସ୍‌ ରଦ୍ଦ

Oct 20, 2026 - 17:21
PAN Card Misuse: ରୋଷେୟାଙ୍କ PANରେ ₹୨୪.୬୨ କୋଟି କାରବାର, ₹୪ କୋଟି ଟିକସ ନୋଟିସ୍‌ ରଦ୍ଦ

ଦରମା ଏତେ କମ୍‌ ଯେ ଟିକସ ଦେବାକୁ ପଡ଼ୁନଥିଲା। କିନ୍ତୁ ହଠାତ୍‌ ତାଙ୍କ ନାଁରେ ଆସିଲା ପ୍ରାୟ ₹୪ କୋଟିର ଆୟକର ଦାବି! ଅଭିଯୋଗ ଥିଲା, ସେ ₹୨୪.୬୨ କୋଟିର ନଗଦ ବ୍ୟବସାୟ କରିଛନ୍ତି। ବାସ୍ତବରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରୋଷେୟା ଭାବେ କାମ କରୁଥିବା ଏହି ବ୍ୟକ୍ତିଙ୍କ କହିବା ଅନୁସାରେ, ତାଙ୍କ PAN କାର୍ଡର ଦୁରୁପଯୋଗ ହୋଇଥିଲା। ଶେଷରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି।

୨୦୨୪ରେ ଏହି ରୋଷେୟାଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ମିଳିଥିଲା। ଏକ ପ୍ୟାକିଂ ସାମଗ୍ରୀ କମ୍ପାନୀ ମାଧ୍ୟମରେ ତାଙ୍କ PAN ନମ୍ବରରେ ₹୨୪.୬୨ କୋଟିର ନଗଦ ବିକ୍ରି ହୋଇଥିବା ଦର୍ଶାଯାଇଥିଲା। Form 26ASରେ ଏହି କାରବାରର ଏଣ୍ଟ୍ରି ଥିବା ସହ ୧ ପ୍ରତିଶତ TDS କଟାଯାଇଥିବା ମଧ୍ୟ ଉଲ୍ଲେଖ ଥିଲା।

ଏହା ଦେଖି ସେ ଦିଲ୍ଲୀ ପୋଲିସ ଓ ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ। କିନ୍ତୁ ଆୟକର ଅଧିକାରୀ ତାଙ୍କ ସଫେଇ ଗ୍ରହଣ ନକରି ପ୍ରାୟ ₹୪ କୋଟି ଟିକସ ସହ ଜରିମାନା ଦାବି କରିଥିଲେ।

ହାଇକୋର୍ଟରେ ମିଳିଲା ନ୍ୟାୟ

ଟିକସ ଦାବିକୁ ଚ୍ୟାଲେଞ୍ଜ୍‌ କରିବା ପାଇଁ ତାଙ୍କୁ ପ୍ରାୟ ₹୭୮ ଲକ୍ଷ ଆଗୁଆ ଜମା କରିବାକୁ ପଡ଼ିଥାନ୍ତା। ଏତେ ଟଙ୍କା ଦେବା ସମ୍ଭବ ନଥିବାରୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ କହିଥିଲେ ଯେ, କେବଳ Form 26ASରେ ଏଣ୍ଟ୍ରି ଥିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାରବାରର ମାଲିକ ବୋଲି ଧରିନେବା ଯଥେଷ୍ଟ ନୁହେଁ। ଆୟକର ବିଭାଗ କମ୍ପାନୀଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଅଧିକ ତଦନ୍ତ କରିନଥିବା କଥା ମଧ୍ୟ କୋର୍ଟ ଉଠାଇଥିଲେ।

ଶେଷରେ ହାଇକୋର୍ଟ ଟିକସ ଦାବି ନୋଟିସ୍‌କୁ ରଦ୍ଦ କରିଦେଇଥିଲେ। ତେବେ ଭବିଷ୍ୟତରେ ଏହି କାରବାର ସହ ବ୍ୟକ୍ତିଙ୍କ ସମ୍ପର୍କ ପ୍ରମାଣ କରୁଥିବା ଠୋସ୍‌ ତଥ୍ୟ ମିଳିଲେ, ଆଇନ ଅନୁଯାୟୀ ପୁନର୍ବାର ତଦନ୍ତ କରିବାର ବାଟ ଖୋଲା ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।