Panchayat Polls Likely in March: ଆସୁଛି ପଞ୍ଚାୟତ ନିର୍ବାଚନ, ଫେବ୍ରୁଆରୀରେ ଚୂଡ଼ାନ୍ତ ଭୋଟର ତାଲିକା
ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। ପଞ୍ଚାୟତ ନିର୍ବାଚନ ପାଇଁ କମିଶନ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ ଅକ୍ଟୋବର ୨୪ରୁ ନଭେମ୍ବର ୭ ଯାଏ ଘରକୁ ଘର ସର୍ଭେ କରାଯିବ।
ସର୍ଭେ ପରେ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯିବ। ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଚାଲିଥିବାରୁ, ଏହା ସରିବା ପରେ ହିଁ ଅର୍ଥାତ୍ ମାର୍ଚ୍ଚ ୫ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ବର୍ତ୍ତମାନ ପଞ୍ଚାୟତଗୁଡ଼ିକର ଅବଧି ଫେବ୍ରୁଆରୀରେ ସରୁଛି। ଜନଗଣନା ପାଇଁ ପଞ୍ଚାୟତ ନିର୍ବାଚନ ମାସେ ବିଳମ୍ବ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି।
ସେପଟେ, ପଞ୍ଚାୟତ ନିର୍ବାଚନ ସରିବାର ପ୍ରାୟ ମାସେ ପରେ ପୌର ନିର୍ବାଚନ ହେବ। ଏଥିରେ ନୂଆ କରି ଘୋଷଣା ହୋଇଥିବା ଏନଏସି, ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନକୁ ସାମିଲ କରାଯିବ। ପଞ୍ଚାୟତ ଭୋଟ ପାଇଁ ୧୫ ହଜାର ଅତିରିକ୍ତ ବାଲାଟ ବକ୍ସ ଓ ପୌର ନିର୍ବାଚନ ପାଇଁ ଅତିରିକ୍ତ ୬ ହଜାର ଇଭିଏମ୍ ଅର୍ଡର ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।