PM Awas Survey Raises Questions: ପିଏମ୍ ଆବାସ ହିତାଧିକାରୀ ଚୟନକୁ AI ଅଡୁଆ, ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଆବାସ ପାଇଁ ହଟହଟା ଆଶାୟୀ

Jul 21, 2026 - 19:50
PM Awas Survey Raises Questions: ପିଏମ୍ ଆବାସ ହିତାଧିକାରୀ ଚୟନକୁ AI ଅଡୁଆ, ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଆବାସ ପାଇଁ ହଟହଟା ଆଶାୟୀ

ଆବାସ ଘର ପାଇଁ ହିତାଧିକାରୀ ଚୟନରେ ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରୁଛନ୍ତି। MIS ବା ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମରେ ହିତାଧିକାରୀ ଚୟନ କରାଯାଉଛି। ହେଲେ ଏହି ପଦ୍ଧତି ପାଇଁ ହିଁ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡୁଥିବା ଅଭିଯୋଗ ହୋଇଛି। ଉପକୂଳରୁ ଦକ୍ଷିଣ ଓଡ଼ିଶା, ସବୁଠି ମାଳ ମାଳ ଅଭିଯୋଗ। 

ଘର ଚାରିପଟ କାନ୍ଥ ମାନେ କେଉଁଠି ଜରି ପାଲ ତ କେଉଁଠି ଟଣାଯାଇଛି ପୁରୁଣା ଲୁଗା। ସାମ୍ନାରେ ଇଟା-ସିମେଣ୍ଟର କାନ୍ଥ ବଦଳରେ ବନ୍ଧାଯାଇଛି କିଛି ଖଣ୍ଡ ବାଉଁଶ। ଆଉ ଦୁଆରରେ ଝୁଲୁଛି ଖଣ୍ଡିଏ କପଡା। ଘର ଦେଖିଲେ ଏଥିରେ ଯେ, ମଣିଷ ରହୁଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। କଟକ ଜିଲ୍ଲା ମାହାଙ୍ଗା ଚାହାପଡାର ଏକ ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ସାବିତ୍ରୀ ବେହୁରା। ଆବାସ ଖଣ୍ଡିଏ ପାଇଁ ବାରମ୍ବାର ଦୌଡିଛନ୍ତି, ପ୍ରଶାସନକୁ ନେହୁରା ହୋଇଛନ୍ତି ହେଲେ ଶୁଣୁଛି କିଏ। ସେହିପରି ବ୍ଲକର ଜଳସରପୁର ଆଲିଜୋଡାର ଅନ୍ୟ ଏକ ଚାଳ ଛପର ଘର, ତାହା ବି ମାନ୍ଧାତା କାଳର। ଘର ତ ନୁହେଁ, ଗୁହାଳ। ଚାରିପଟେ ଖସିପଡିଥିବା କାନ୍ଥରେ ଦିଆଯାଇଛି ମାଟି ଲେପ। ଆବାସ ଘର ପାଇଁ ବୁଢାବୁଢୀ କେତେ ଯେ ଦୌଡିଛନ୍ତି ତାର ହିସାବ ନାହିଁ। 

ବ୍ଲକର ସବୁ ପଂଚାୟତର ଘରକୁ ଘର ବୁଲି ଆବାସ ପାଇଁ ଅଧିକାରୀ କ୍ଷେତ୍ର ପରିଦର୍ଶନ କଲେ। ନୂତନ ଭାବେ ଯୋଗ୍ୟ ବିବେଚିତ ହେଲେ ୧୪ ହଜାର ୭୦୦ ହିତାଧିକାରୀ। ଲିଷ୍ଟ ମଧ୍ୟ ଆସିଲା। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ଦ୍ୱାରା MIS ପଦ୍ଧତିରେ ଡ଼ାଟା ଭେରିଫିକେସନ ହେବା ପରେ କଟିଯାଇଛି ୪ ହଜାର ୨୧୪ ଜଣଙ୍କ ନାଁ। ଯେଉଁଥିରେ ରହିଛି ବହୁ ଯୋଗ୍ୟ ହିତାଧିକାରୀଙ୍କ ନାଁ। ବିଡିଓ କହିଛନ୍ତି, ଏଥିରେ ବ୍ଲକ ପ୍ରଶାସନର କିଛି ନିୟନ୍ତ୍ରଣ ନାହିଁ, ଯାହା ହୋଇଛି MIS ପ୍ରଣାଳୀରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅପ୍ସନ ଆସିଲେ ପୁନଃ ତଦନ୍ତ କରି ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ। 

ସେହିପରି ଝାଟି ମାଟିର ଘର। ଉପରେ ଛାତ ସାଜିଛି ଜରି ପାଲ। କାନ୍ଥରୁ ମାଟି ଖସିଯାଉଥିବାରୁ ବାରମ୍ବାର ଲିପିବାକୁ ପଡୁଛି, ନହେଲେ କେତେବେଳେ ଭୁଶୁଡିପଡିବ କହିହେବନି। ବର୍ଷା ହେଲେ ଘରେ ଗଳୁଛି। ଏଭଳି ସ୍ଥିତିରେ ବର୍ଷ ବର୍ଷ ଧରି ଆବାସକୁ ଅନାଇ ବସିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ କାମ୍ପଗୁଡ଼ା ଗାଁର ଦୁଃଖୀଶ୍ୟାମ। ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ପୁରା ପରିବାର। ଅଧିକାରୀ ଆସି ଜିଓ ଟ୍ୟାଗ କରି ଅନଲାଇନ୍ ମାଧ୍ୟମରେ ଘରର ଫଟୋ ନେଇ ଯାଉଛନ୍ତି l ଗତ ମାସରେ ମଧ୍ୟ ସର୍ଭେ ହୋଇଥିଲା, ହେଲେ ଏବେ ତାଲିକାରେ ନାଁ କଟିଯାଇଛି। ଗାଁର ରାଧିକା ଜାନିଙ୍କ ମଧ୍ୟ ସମାନ ସ୍ଥିତି। ଭଲ ଘର ଖଣ୍ଡେ ନଥିବାରୁ ପଲିଥିନ ସାଜିଛି ଭରସା। ଆବାସ ଘର ଖଣ୍ଡିଏ ପାଇଁ ଏଠିବି ବର୍ଷ ବର୍ଷର ଅପେକ୍ଷା। ବିଡ଼ିଓ କିନ୍ତୁ କହିଛନ୍ତି, ବ୍ଲକ ଟିମ୍ ତଦନ୍ତ କରି ରିପୋର୍ଟ ଦେବା ପରେ ତୁରନ୍ତ ପଦକ୍ଷେପ ନିଆଯିବ l

ଝାଟି ମାଟିର ଘର କେବେ ପକ୍କା ହେବ ତାକୁ ଚାହିଁ ବସିଛନ୍ତି ଭଦ୍ରକ ବାସୁଦେବପୁରର ସୀମାରାଣୀ। ଏଥର ବି ବ୍ଲକ୍ ଅଧିକାରୀ ଘରକୁ ଆସି ଜିଓ ଟ୍ୟାଗିଂ କରିବାପରେ ଯୋଗ୍ୟ ହିତାଧିକାରୀ ବୋଲି କହିଥିଲେ। ଭାବିଥିଲେ ଏଥର ଅପେକ୍ଷାର ଅନ୍ତ ଘଟିବ। ହେଲେ ଏବେ ତାଲିକାରେ ବାଦ ପଡିଛି ନାଁ। ପଚାରିବାରୁ ଅଫିସର କହୁଛନ୍ତି, ଯାହା କରିଛି ଏଆଇ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁସୁନପୁର ଗାଁର ପ୍ରଶାନ୍ତ କୁମାର ବି ଆବାସ ଅପେକ୍ଷାରେ। ୭- ୮ ମାସ ତଳେ ସରକାରଙ୍କ ନିୟମ ଅନୁସାରେ ମୋବାଇଲରେ ଘର ପାଇଁ ଆବେଦନ କରିଥିଲେ l ଘରର ଫୋଟୋ, ଆଧାରକାର୍ଡ଼ ନମ୍ବର ଓ ଇ-କେୱାଇସି ମଧ୍ୟ କରିଥିଲେ l କିନ୍ତୁ ଏବେ ସରକାର ତାଲିକା ବାହାର କରିବା ପରେ ତାଙ୍କ ନାଁ ନାହିଁl

ଆବାସ ଘର ଚୟନ ପ୍ରକ୍ରିୟାରେ ସମ୍ପୂର୍ଣ ସ୍ୱଚ୍ଛତା ଆଣିବା ପାଇଁ  AI ସହାୟତାରେ MIS ପ୍ରଣାଳୀ ଦ୍ୱାରା ଯାଂଚ କରାଯାଉଛି। ହେଲେ ଏହି ପଦ୍ଧତିରେ ହିଁ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡୁଥିବା ଅଭିଯୋଗ ଆସୁଛି। ଏବେ ଅପେକ୍ଷା ଏଥିରେ କେବେ ସୁଧାର ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।