PM Modi Meet Putin: ପୁଟିନଙ୍କୁ ମୋଦିଙ୍କ ଶାନ୍ତିର ବାର୍ତ୍ତା, ଯୁଦ୍ଧ ଶେଷ ପାଇଁ କଲେ ଆହ୍ୱାନ
ଆମକୁ ଅସରନ୍ତି ଯୁଦ୍ଧରୁ ଯୁଦ୍ଧର ସମାପ୍ତି ଆଡକୁ ଯିବାକୁ ହେବ। ରୁଷ୍ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ପିଏମ୍ ମୋଦି ଦେଇଛନ୍ତି ଏଭଳି ଶାନ୍ତିର ବାର୍ତ୍ତା। କିର୍ଗିଜସ୍ଥାନର ବିସକେକରେ ଆୟୋଜିତ ୨୬ତମ SCO ଶିଖର ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ବୈଠକରେ ଶାନ୍ତି ପ୍ରତିଷ୍ଠା ଉପରେ ଜୋର ଦେଇ ମୋଦି କହିଛନ୍ତି, ଯୁଦ୍ଧ ଶୀଘ୍ର ଶେଷ ହେବା ସମଗ୍ର ମାନବଜାତିର ସ୍ୱାର୍ଥ ପାଇଁ ଆବଶ୍ୟକ। ଭାରତ ସବୁବେଳେ ଶାନ୍ତିପୂର୍ଣ୍ଣ କୂଟନୀତିକୁ ସମର୍ଥନ କରେ। "ଗାନ୍ଧୀଙ୍କ ଭୂମି ଏବଂ ବୁଦ୍ଧଙ୍କ ଭୂମି କେବଳ ଗୋଟିଏ ବାର୍ତ୍ତା ବାଣ୍ଟିଥାଏ, ତାହା ହେଉଛି ଶାନ୍ତିର ପଥ। ଭାରତ ଶାନ୍ତି ପାଇଁ କରାଯାଉଥିବା ସମସ୍ତ ପ୍ରୟାସ ସହିତ ଛିଡ଼ା ହୋଇଛି। ଯୁଦ୍ଧରେ ବିତିଥିବା ପ୍ରତ୍ୟେକ ଦିନ ମାନବଜାତିକୁ ପଛକୁ ନେଇଯାଏ, କିନ୍ତୁ ଶାନ୍ତି ଆଡ଼କୁ ବଢ଼ୁଥିବା ପ୍ରତ୍ୟେକ ପଦକ୍ଷେପ ମାନବଜାତିକୁ ଏକ ନୂତନ ଆଶା ଏବଂ ଉତ୍ସାହରେ ଭରିଦିଏ। ରୁଷ ସହ ସମ୍ପର୍କ ନେଇ ମୋଦି କହିଛନ୍ତି, "ଆମର ସହଯୋଗ ନୂତନ ଉଚ୍ଚତା ଛୁଇଁ ଚାଲିଛି ଏବଂ ଆମେ ଦୁଇ ଦେଶର ଜନସାଧାରଣଙ୍କ କଲ୍ୟାଣ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛୁ। ଜାତୀୟ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଗକୁ ବଢ଼ିବା ଆମର ବ୍ୟବସ୍ଥା ରହିଛି। ଆଗକୁ ମଧ୍ୟ ଏହା ଆମର ମାର୍ଗଦର୍ଶକ ହୋଇ ରହିବ।
ଦ୍ୱିପାକ୍ଷିକ ବୈଠକରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ "ଏକ ବିଶେଷ ଏବଂ ସ୍ୱତନ୍ତ୍ର ରଣନୀତିକ ସମ୍ପର୍କର ନୀତି ଆଧାରରେ" ମଜବୁତ ହେବାରେ ଲାଗିଛି। ଦୁଇ ଦେଶକୁ ନିକଟତର ଆଣିବା ଏବଂ ଭାରତ-ରୁଷ ସମ୍ପର୍କ ପ୍ରତି ବିଶେଷ ଧ୍ୟାନ ଦେଉଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। କହିଛନ୍ତି, ରୁଷ-ଭାରତ ସମ୍ପର୍କ ପ୍ରତି ଆପଣଙ୍କର ବିଶେଷ ଧ୍ୟାନ ଏବଂ ଆମ ମଧ୍ୟରେ ସ୍ଥାପିତ ହୋଇଥିବା ବ୍ୟବସାୟିକ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏହି ପ୍ରଗତିରେ ସହାୟକ ହୋଇଛି। ଏଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ।" ବୈଠକ ପରେ ଆଗକୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପିଏମ୍ ମୋଦୀ ପୁଟିନଙ୍କୁ ନିମନ୍ତ୍ରଣ କରିଛନ୍ତି। ୨୦୧୪ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ୨୧ତମ ସାକ୍ଷାତକାର। ଯାହା ଭାରତ ଓ ରୁଷର ପୁରୁଣା ଏବଂ ଦୃଢ଼ ବନ୍ଧୁତାକୁ ପ୍ରମାଣିତ କରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।