Police firing: ପୁଲିସ ଗୁଳିରେ କୁଖ୍ୟାତ ବଣ୍ଟି ଆହତ: ୧୭ ସଙ୍ଗିନ ମାମଲାର ଅଭିଯୁକ୍ତ, ମାଉଜର ସହ ୩ ଖୋକା ଜବତ
ବ୍ରଜରାଜନଗର: ପୁଲିସ କବଳରୁ ଖସିଯିବାକୁ ଚଳାଇଥିଲା ଗୁଳି। ହେଲେ ପୁଲିସର ପାଲଟା ଗୁଳିରେ ନିଜେ ଘାଇଲା ହୋଇଛି ଝାରସୁଗୁଡ଼ାର କୁଖ୍ୟାତ ଅପରାଧୀ ବଣ୍ଟିପ୍ରସାଦ। ଓରିଏଣ୍ଟ ଥାନା ଆମଦରହ ଜଙ୍ଗଲ ନିକଟରେ ସୋମବାର ଭୋର ସମୟରେ ଘଟିଥିବା ଏହି ଘଟଣାରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ହନୁମାନ ନଗର ଅଞ୍ଚଳର ବାସିନ୍ଦା ବଣ୍ଟିପ୍ରସାଦକୁ ଓରିଏଣ୍ଟ ଥାନା କେସ୍ ନଂ ୨୪୯/୨୦୨୬ରେ ଧରିବା ପାଇଁ ପୁଲିସ ଖୋଜୁଥିଲା। ଆମଦରହ ଜଙ୍ଗଲ ନିକଟରେ ସେ ଲୁଚି ରହିଥିବା ନେଇ ୧୯ ତାରିଖ ସକାଳେ ପୁଲିସ ସୂଚନା ପାଇବା ପରେ ଓରିଏଣ୍ଟ ଥାନାର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲା।
Education: ଯାଜପୁର ଜିଲ୍ଲାର ପ୍ରଥମ କୁଣ୍ହା କିଷାନ ଆଦିବାସୀ ଡାକ୍ତରୀ ପଢ଼ିଲେ
ପୁଲିସର ଘେରାବନ୍ଦୀ ଦେଖି ଧରାପଡ଼ିବା ଭୟରେ ବଣ୍ଟି ଅତର୍କିତ ଗୁଳି ଚଳାଇଥିଲା। ଏଥିରେ ପୁଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲା। ଆହତ ବଣ୍ଟିକୁ ପ୍ରଥମେ ଖଲିଆକାନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସେଠାରୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରୁ ପୁଲିସ ଗୋଟିଏ ବାଇକ୍, ଗୋଟିଏ ମାଉଜର, ଚପଲ ଏବଂ ୩ଟି ଖୋକା ଜବତ କରିଛି। ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯାଇଥିବା ଓରିଏଣ୍ଟ ଥାନା ଆଇଆଇସି ତୁଷାର ମହାନ୍ତି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର କହିଛନ୍ତି ଯେ ଝାରସୁଗୁଡ଼ାରେ ସଙ୍ଗଠିତ ଅପରାଧ ଓ ବେଆଇନ ମାରଣାସ୍ତ୍ର କାରବାର ବିରୋଧରେ ପୁଲିସର ଜିରୋ ଟଲରାନ୍ସ ନୀତି ରହିଛି। ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ପୁଲିସ ରେକର୍ଡ ମୁତାବକ ବଣ୍ଟିପ୍ରସାଦ ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ, ବେଆଇନ ବନ୍ଧୁକ କାରବାର ଭଳି ୧୭ଟି ସଙ୍ଗିନ ମାମଲା ରହିଛି।
Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।