Police Recover 176 Ganja Packets: ଘର ସାଜିଥିଲା ନିଶା ସାମ୍ରାଜ୍ୟର ଗୁପ୍ତ ଠିକଣା; ପଂଝା ମାରିଲା ପୋଲିସ, ଖୋଲିଲା ଗଞ୍ଜେଇ ଗୁମର

Sep 04, 2026 - 20:38
Police Recover 176 Ganja Packets: ଘର ସାଜିଥିଲା ନିଶା ସାମ୍ରାଜ୍ୟର ଗୁପ୍ତ ଠିକଣା; ପଂଝା ମାରିଲା ପୋଲିସ, ଖୋଲିଲା ଗଞ୍ଜେଇ ଗୁମର

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର। ମିଳିଲା ଶତାଧିକ ପ୍ୟାକେଟ ଗଞ୍ଜେଇ ସହ ବିଡ଼ା ବିଡ଼ା ନୋଟ୍। ରେଡ୍ ବେଳେ ଗଞ୍ଜେଇ ଗୋଡାଉନ୍ ଓ ଟଙ୍କା ଖଣି ଦେଖି ପୋଲିସ ଆଖି ଟେରା। ପୁରୀ ଗୋପାଳପୁର ଗାଁରେ ପେଣ୍ଠକଟା ଥାନା ପୋଲିସ ରେଡ୍ କରିବା ପରେ ଯାହା ସାମନାକୁ ଆସିଲା ଦେଖିଲେ ଯେକେହି ତାଜୁବ ହେବେ। ଯେଉଁଠି ହାତ ମାରିଲେ ବାହାରିଥିଲା ଗଞ୍ଜେଇ ପ୍ୟାକେଟ୍ ଆଉ ବିଡ଼ା ବିଡ଼ା ନୋଟ୍। ଗୋଟିଏ କ୍ବିଣ୍ଟାଲ ଗଞ୍ଜେଇ ମିଳିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଛି। ତାସହ ୨ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ଖୋଳତାଡ ଜାରି ରଖିଛି ପୁରୀ ପୋଲିସ। ...

ଭଲ ଭାବରେ ଦେଖନ୍ତୁ ଏଇ ତିନି ମହଲା ଘରକୁ। ଦେଖିଲେ ଯେକେହି ଭାବିବେ ସାଧାରଣ ଭଡ଼ା ଘରଟିଏ। ହେଲେ ରେଡ୍ ବେଳେ ଭିତରେ ଚାଲିଥିବା କାରସାଦି ପର୍ଦ୍ଦାଫାସ୍ ପରେ ପୋଲିସ ଆଖି ଟେରା ହୋଇଗଲା। ଗୋଟିଏ ପଟେ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ, ଅନ୍ୟପଟେ ବିଡ଼ା ବିଡ଼ା ନୋଟ୍। କେହି ଭାବି ନଥିଲେ ଘର ଭିତରେ ଲୁଚି ରହିଥିଲା ନିଶା କାରବାରର ଏତେ ବଡ଼ ଭଣ୍ଡାର। ଘର ଭିତରୁ ଗୋଟିଏ କି ଦୁଇଟି ନୁହେଁ, ଜବତ ହୋଇଛି ୧୭୬ ପ୍ୟାକେଟ୍ ଗଞ୍ଜେଇ। ଯାହାର ଓଜନ ପ୍ରାୟ ଏକ କ୍ବିଣ୍ଟାଲ। ଅର୍ଥାତ୍ ଏଠି ଛୋଟମୋଟ ନୁହେଁ, ଚାଲିଥିଲା ନିଶାର ବଡ଼ ଡିଲ୍। ପୁରୀ ଗୋପାଳପୁର ଫାର୍ମାସୀ କଲେଜ ନିକଟରେ ଥିବା ଭଡ଼ା ଘର ଉପରେ ପେଣ୍ଠକଟା ଥାନା ପୋଲିସ ରେଡ୍ କରିବା ପରେ ଗଞ୍ଜେଇ ନେଟୱର୍କର ଗୁମର ଫିଟିଛି। ଅଭିଯୁକ୍ତ ମାନେ ହେଲେ ଗଞ୍ଜେଇ କାର୍ତ୍ତିକେଶ୍ୱର ସାମନ୍ତରାୟ ଓ ଦେବେନ୍ଦ୍ର ସାହୁ। ଉଭୟଙ୍କୁ ଗିରଫ କରିଛି। 

ଗଞ୍ଜେଇ ମିଳିବା ପରେ ବି ପୋଲିସର ଚଢ଼ାଉ ସରି ନଥିଲା। ଘରେ ଖାନତଲାସୀ ପରେ ନଜର ପଡ଼ିଥିଲା ଟଙ୍କା ଖଣି ଉପରେ। ବିଡ଼ା ବିଡ଼ା ନୋଟ୍। ପାଞ୍ଚ ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟରେ ଭର୍ତ୍ତି ହୋଇଥିଲା ଘର। ଗଞ୍ଜେଇ ଯେତିକି, ନୋଟ୍ ବିଡ଼ା ବି ସେଭଳି ଥିଲା। ଏତେ ଟଙ୍କା ମିଳିଥିଲା ଯେ ମେସିନ ବି ଗଣି ଗଣି ହାଲିଆ ହୋଇଥିଲା। ଗଞ୍ଜେଇ କାରବାରରୁ ଏହି ଟଙ୍କା ଆସିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ। ଦୁହେଁ ଘରକୁ ଭଡ଼ା ନେଇ ଗଞ୍ଜେଇ କାରବାର ଚଳାଇଥିଲେ। 

କୁହାଯାଉଛି ଏହି ଘରେ ଗଞ୍ଜେଇକୁ ପ୍ୟାକେଟ୍ କରାଯାଉଥିଲା। ତାପରେ ବିଭିନ୍ନ ସ୍ଥାନକୁ ହେଉଥିଲା ଚାଲାଣ। ପୋଲିସ ଅଧିକ ଖୋଳତାଡ କରୁଥିବା ବେଳେ ଅନେକ ପ୍ରଶ୍ନବାଚୀ ବି ଉଠୁଛି। ଗଞ୍ଜେଇର ଗୋଦାମ୍ ଏହି ଭଡ଼ା ଘରେ କେବେଠୁ ଚାଲିଥିଲା କାରବାର ? ଏଠାକୁ କେଉଁଠୁ ଆସୁଥିଲା ଗଞ୍ଜେଇ ? ଯାଉଥିଲା କୁଆଡ଼େ ? ଏହି ନେଟୱର୍କରେ ଆଉ କେତେ ଜଣ ? ଗୋଟିଏ ବଡ଼ ଗ୍ୟାଙ୍ଗର ସଂପୃକ୍ତିରହିଛି କି ? ଟଙ୍କାର ଉତ୍ସ କ’ଣ ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।