Poor Hygiene In Puri Khaja Preparation: ଅପରିଷ୍କାର ଭାଟିରେ ପ୍ରସ୍ତୁତ ପୁରୀ ଖଜା, ଖାଦ୍ୟ ସୁରକ୍ଷା ନେଇ ଚିନ୍ତା
ଅପରିଷ୍କାର ଭାଟିରେ ପୁରୀର ମୁସମୁସିଆ ଖଜା ପ୍ରସ୍ତୁତିକୁ ଦେଖି ଶ୍ରଦ୍ଧାଳୁ ଛାନିଆ। କାରଣ ଯେଉଁ ଖଜାକୁ ବର୍ଷ ବର୍ଷ ଧରି ଦିଅଁଙ୍କ ଭୋଗ ଭାବି ଘରକୁ ନେଉଥିଲେ ସେସବୁର ଏମିତି ଅବସ୍ଥା ଦେଖି ସେମାନେ ଚିନ୍ତାରେ। ଦିନ ଦିନ ଧରି ଧୂଳି ମଳିରେ ପଡ଼ି ରହିବା ପରେ ତାକୁ ପୁଣି ଥରେ ଛାଣି ଭକ୍ତଙ୍କୁ ବିକ୍ରି କରିବା ଘଟଣା ଶହ ଶହ ପୁରୀ ବାସିନ୍ଦାଙ୍କୁ ବି ବ୍ୟଥିତ କରିଛି। ହେଲେ ଦିନେ ରେଡ୍ କରି ଚୁପ୍ ବସିଥିବା ପ୍ରଶାସନ ସାମ୍ନାରେ ଏବେ ଅନେକ ଚ୍ୟାଲେଞ୍ଜ। କୁଟୀର ଶିଳ୍ପ ଭାବେ ସାହି ଗଳିକନ୍ଦିରେ ବିକ୍ରି ହେଉଥିବା ଖଜାର ମାନ ଯାଞ୍ଚ ଓ ଗୋଦାମରେ ଏସବୁର ପ୍ରସ୍ତୁତି କେମିତି ହେଉଛି ସେ ସବୁ ପରଖିବା। ଦେଖନ୍ତୁ ଏଇ ରିପୋର୍ଟ... ଭିଓ୧) ଖଜା ଖାଇବାକୁ ଲାଗୁଛି ଡର। ପୁରୀ ଖଜାକୁ ଦୁରୁ ଜୁହାର। ଶ୍ରୀକ୍ଷେତ୍ରର ପରିଚୟ, ପୁରୀର ଅତି ସୁଆଦିଆ ଖଜାକୁ ନେଇ ଏବେ ଏମିତି କିଛି ଛନକା ମନରେ ପଶିଛି। କାରଣ, ଯେଉଁ ଭଳି ପରିସ୍ଥିତିରେ, ଯେଉଁ ପରି ଅବସ୍ଥାରେ ଏସବୁ ତିଆରି କରାଯାଉଛି ତାହା ଖାଇବା କଥା ଭାବିଲା ବେଳକୁ ମନ ମରି ଯାଉଛି। ପୋକ ସାଲୁବାଲୁ, ପୋଡ଼ା ତେଲ, ମଇଳା କଡ଼େଇ ଆଉ ଏଣେତେଣେ ପଡ଼ିଥିବା ଏସବୁ ସାମଗ୍ରୀ। ଚିକ୍ ଚିକ୍ ଆଉ ସତେଜ ଦେଖାଯାଉଥିବା ଏଇ ସବୁ ଖଜା କିନ୍ତୁ ଦିନ ଦିନ ପୁରୁଣା ଆଉ ବାସୀ। ଯାହା ବିକ୍ରି ହେଲାନି ତାକୁ ପୁଣି ଚିନି ସିରାରେ ଛାଣି ବଜାରକୁ ଛଡ଼ାଗଲା। ଆଉ ସିରା କେବେ ପ୍ରସ୍ତୁତ ହୋଇଥିଲା ତାହା କାହାକୁ ମନେ ନାହିଁ। ଏଇ ଦୃଶ୍ୟ ବ୍ୟଥିତ କରିଛି ପୁରୀ ବାସୀଙ୍କୁ ଶହ ଶହ ପର୍ଯ୍ୟଟକଙ୍କୁ। ଯିଏ ପୁରୀ ଆସିଲେ ଭୋଗ ଭାବେ ଖଜାକୁ ଘରକୁ ନେଇଥାନ୍ତି।
ପୁରୀ ସହର ସାରା ଏବେ ଖଜା ଦୋକାନ। ଯେଉଁ ଗଳିକୁ ଯିବେ ଯେଉଁଠି ପହଞ୍ଚିବେ ସେଠି ଦୁଇ ଚାରିଟା। ହେଲେ ଜାଣିବେ କେମିତି, ଚିହ୍ନିବା ଉପାୟ କ’ଣ...କେଉଁଟା ଭଲ ଖଜା ଆଉ କିଏ ଖରାପ। କାରଣ ଗଦା ଗଦା ଥୁଆ ହୋଇଥିବା ଖଜା ସବୁ ଦୋକାନରେ ସିନା ଭଲରେ ସଜେଇ ରଖା ହେଉଛି ହେଲେ ଗୋଦାମରେ ତା ଅବସ୍ଥା କଣ କିଏ ଜାଣିଲା।
ରଞ୍ଜନ ଦାସ, ଖଜା ବେପାରୀ
ମହାପ୍ରଭୁଙ୍କ ପଖରେ କେବଳ ଭୋଗ ହେଉଥିଲା ଖଜା। ହେଲେ ୟେ ବ୍ୟାପି ବ୍ୟାପି ପୁରୀ ସୀମା ଡେଇଁଲାଣି। ଦୋକାନ ଯେତେ, ଗୋଦାମ ବି ସେତେ। ତେଣୁ ଏମିତି ଅସ୍ବାସ୍ଥ୍ୟକର ପରିବେଶରେ ଅନ୍ୟ କେଉଁଠି ପ୍ରସ୍ତୁତ ହେଉନି ତ୍ ଖଜା। ୟେ ବି ଶ୍ରଦ୍ଧାଳୁଙ୍କ ମନରେ ଘୁରି ବୁଲୁଛି। ଜିଲ୍ଲାପାଳ କହିଛନ୍ତି, ଖୋଳତାଡ଼ ଚାଲିଛି, ଯେଉଁଠି ଧରାପଡ଼ିଲା ସେଠି କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ପନିରର ପୋଲ୍ ଖୋଲିଥିଲା, ପୁରୀ ଖଜାର ଗୁମର ଏବେ ଫିଟୁଛି। ଖାଦ୍ୟ ନାଁରେ ଅପରିଷ୍କାର ପରଷି ଦେଉଥିବା ମୁନାଫାଖୋର ଯେ, କେତେବଡ଼ ଅପରାଧ କରୁଛନ୍ତି ସେ କଥା କଣ ସେ ବୁଝିଲେଣି। ଏମିତି ନହେଉ କି ପୁରୀର ପରିଚୟ ଖଜା, ଦିନେ ଭକ୍ତଙ୍କ ବିଶ୍ବାସ ନହରାଉ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।