Power Bank Catches Fire Mid-Air: ଇଣ୍ଡିଗୋ ବିମାନରେ ନିଆଁ, ହାଇଦ୍ରାବାଦରେ ଜରୁରୀ ଅବତରଣ

Oct 11, 2026 - 18:36
Power Bank Catches Fire Mid-Air: ଇଣ୍ଡିଗୋ ବିମାନରେ ନିଆଁ, ହାଇଦ୍ରାବାଦରେ ଜରୁରୀ ଅବତରଣ

ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ବିମାନଟିକୁ ଜରୁରୀକାଳୀନ ଭାବେ ହାଇଦ୍ରାବାଦରେ ଅବତରଣ କରାଯାଇଛି। ରବିବାର ଘଟିଥିବା ଏହି ଘଟଣାରେ ବିମାନରେ ଧୂଆଁ ଦେଖାଯିବା ପରେ ଯାତ୍ରୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା। ତେବେ ବିମାନ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଇଣ୍ଡିଗୋର 6E 6115 ବିମାନଟି ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। ଯାତ୍ରା ସମୟରେ ଜଣେ ଯାତ୍ରୀଙ୍କ ଲଗେଜରେ ଥିବା ପାୱାରବ୍ୟାଙ୍କରୁ ଧୂଆଁ ବାହାରିବା ସହ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହା ଦେଖି ବିମାନର କ୍ୟାବିନ୍ କ୍ରୁ ତୁରନ୍ତ ପଦକ୍ଷେପ ନେଇଥିଲେ। ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଲିଭାଯାଇଥିଲା। ଏହାପରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପାଇଲଟ୍ ବିମାନଟିକୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଆଡ଼କୁ ନେଇଥିଲେ। ସେଠାରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଜଣେ ଯାତ୍ରୀଙ୍କ ବ୍ୟକ୍ତିଗତ ଇଲେକ୍ଟ୍ରୋନିକ୍ ଉପକରଣରୁ ଧୂଆଁ ବାହାରିବା ପରେ ନିର୍ଦ୍ଧାରିତ ସୁରକ୍ଷା ପ୍ରକ୍ରିୟା ଅନୁସାରେ ବିମାନକୁ ହାଇଦ୍ରାବାଦରେ ଅବତରଣ କରାଯାଇଥିଲା। ପରେ ଯାତ୍ରୀମାନେ ଚେନ୍ନାଇ ଯାତ୍ରା ଜାରି ରଖିପାରିବେ ବୋଲି ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।