Powerful Earthquake Hits Colombia: ଭୟଙ୍କର ଭୂକମ୍ପରେ ଶତାଧିକ ମୃତ, ମାଟି ତଳେ ହଜାର ହଜାର ଲୋକ, ଛାରଖାର ଅନେକ ସହର
କଲମ୍ବିଆରେ ଭୟଙ୍କର ଭୂକମ୍ପ (Earthquake)। ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆ (Colombia) ଗତକାଲି ଏକ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଥିଲା। ଏଥିରେ ପ୍ରାୟ ୧୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଲଗାତାର ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ୧ ହଜାର ଟପିପାରେ ବୋଲି ଅନୁମାନ କରାଯାଉଛି। ପ୍ରାୟ ୨୦୦୦ ଲୋକ ଏବେ ସୁଦ୍ଧା ନିଖୋଜ ଥିବା ଜଣାପଡ଼ିଛି।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସ୍ଥାନୀୟ ସମୟ ପ୍ରାୟ ସକାଳ ୭:୩୪ ରେ ଭୂମିକମ୍ପ ରେକର୍ଡ କରିଛି। ଏହାର କେନ୍ଦ୍ରସ୍ଥଳ ଚୋକୋର ସାନ ଜୋସ୍ ଡେଲ୍ ପାଲମାର ନିକଟରେ ୧୦୭ କିଲୋମିଟର ଗଭୀରତାରେ ଥିଲା।
୭.୪ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପର ପ୍ରଭାବ କଲମ୍ବିଆ ସମେତ ପଡ଼ୋଶୀ ଭେନେଜୁଏଲା, ପାନାମା ଓ ଇକ୍ୱେଡରରେ ଅନୁଭୂତ ହୋଇଥିଲା। ଭୂମିକମ୍ପରେ ଅନେକ ବଡ଼ ବଡ଼ ବିଲ୍ଡିଂ ଭୁଶୁଡି ପଡ଼ିଛି। ଦଶନ୍ଧି ମଧ୍ୟରେ କଲମ୍ବିଆରେ ଏହା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ଜଣାପଡ଼ିଛି। ଏଥିରେ କଲମ୍ବିଆର ସବୁଠାରୁ ଗରିବ ଅଞ୍ଚଳ ଚୋକୋ ଏବଂ କଫି ଆକ୍ସିସରେ ବ୍ୟାପକ କ୍ଷତିକ୍ଷତି ଘଟାଇଛି। ଚୋକୋର କିଛି ଅଂଶରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି, ଯାହା ଉଦ୍ଧାର କାର୍ଯ୍ୟକୁ ଆହୁରି ଜଟିଳ କରୁଛି।
କଲମ୍ବିଆରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ରାଷ୍ଟ୍ରପତି ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ୬୧ରୁ ଅଧିକ କୋଠା ଭୁଶୁଡ଼ି ଯାଇଛି ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ୧୫୭୭ଟି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିରେ ୩୭ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୬୦ରୁ ଅଧିକ କୋଠା ଭୁଶୁଡ଼ି ପଡ଼ିଛି, ଯେତେବେଳେ ୧୮ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୫୨ଟି ସ୍କୁଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏକ ହସ୍ପିଟାଲ ଭୁଶୁଡି ପଡ଼ିଥିବାରୁ ରୋଗୀମାନେ ମଧ୍ୟ ଧ୍ୱଂସାବଶେଷ ତଳେ ଚାପି ହୋଇ ଯାଇଥିଲେ।
ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଭଗ୍ନାଂଶ ତଳେ ଅନେକ ଲୋକ ଏବେ ବି ଫସି ରହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଭଗ୍ନାବଷେଷ ତଳୁ ଲୋକଙ୍କୁ ଖୋଜାଚାଲିଛି। ୫ଟି ବିମାନବନ୍ଦରରେ ଯାତ୍ରୀ ସେବାକୁ ବନ୍ଦ କରି ଦିଆଯାଇଛି। ସେପଟେ ସ୍ଥିତି ଉପରେ ଜାତିସଂଘ ବି ନଜର ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।