Powerful Earthquake: ଏକାଧିକ ଥର ଦୋହଲିଲା ଦେଶ; ଘର ଓ ରାସ୍ତା ଘାଟ କ୍ଷତିଗ୍ରସ୍ତ, ଲୋକେ ଭୟଭୀତ

Oct 10, 2026 - 12:36
Powerful Earthquake: ଏକାଧିକ ଥର ଦୋହଲିଲା ଦେଶ; ଘର ଓ ରାସ୍ତା ଘାଟ କ୍ଷତିଗ୍ରସ୍ତ, ଲୋକେ ଭୟଭୀତ

ମଧ୍ୟ ଆମେରିକୀୟ ଦେଶ ପାନାମାରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଏହାର ତୀବ୍ରତା ୭.୭ ବୋଲି ରେକର୍ଡ କରିଛି। ଭୂମିକମ୍ପ ପରେ ସୁନାମି ଆସିବାର ଆଶଙ୍କା ଥିବାରୁ ପ୍ରାରମ୍ଭରେ ଚେତାବନୀ ଜାରି ହୋଇଥିଲା। ତେବେ ପରବର୍ତ୍ତୀ ଆକଳନ ପରେ ସୁନାମି ବିପଦ ଟଳିଥିବା ଘୋଷଣା କରାଯାଇଛି। 

ପାନାମାର ମଧ୍ୟଭାଗରେ ଥିବା ହେରେରା ପ୍ରଦେଶର ପିତାଲୋଜା ଆରିବା ଅଞ୍ଚଳ ନିକଟରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂମିକମ୍ପର ଝଟ୍‌କାରେ ଦେଶର ଅନେକ ଅଞ୍ଚଳ ଦୋହଲି ଉଠିଥିଲା। ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। 

ଭୂମିକମ୍ପ ଯୋଗୁଁ ପାନାମାର କେତେକ ସ୍ଥାନରେ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହୋଇଛି। ରାଜଧାନୀର ଟୋକୁମେନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। ପରେ ପରିସ୍ଥିତିର ସମୀକ୍ଷା କରି ବିମାନବନ୍ଦର ପୁଣି କାର୍ଯ୍ୟକ୍ଷମ କରାଯାଇଛି। ଅନେକ ସ୍ଥାନରେ ଘର ଓ ସରକାରୀ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତାରେ ଫାଟ ସୃଷ୍ଟି ହୋଇଥିବା କେତେକ ଭିଡ଼ିଓରେ ଦେଖାଯାଇଛି। ଭୂମିକମ୍ପ ପରେ ଆଫ୍ଟର୍‌ଶକ୍‌ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ୪୫ରୁ ଅଧିକ ପରବର୍ତ୍ତୀ କମ୍ପନ ରେକର୍ଡ ହୋଇଥିଲା।

ଭୂମିକମ୍ପ ପରେ ସମୁଦ୍ରରେ ବଡ଼ ଲହରି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ପାନାମା ସମେତ କେତେକ ଦେଶର ଉପକୂଳ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା। ପ୍ରାରମ୍ଭିକ ଆକଳନରେ ପାନାମାର କେତେକ ଉପକୂଳରେ ୧ରୁ ୩ ମିଟର ଉଚ୍ଚତାର ଲହରି ଆସିବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ପରେ ଆମେରିକାର ସୁନାମି ଚେତାବନୀ କେନ୍ଦ୍ର ଘୋଷଣା କରିଥିଲା ଯେ, ଏହି ଭୂମିକମ୍ପରୁ ଆଉ ସୁନାମି ବିପଦ ନାହିଁ। ତଥାପି ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବା ଏବଂ ସମୁଦ୍ର ନିକଟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।