Priest Murdered After Prediction Gone Wrong: ପୁଅ ବଦଳରେ ହେଲା ଝିଅ! ରାଗରେ ମନ୍ଦିରରେ ପୂଜକଙ୍କୁ ଗୁଳି କରି ହତ୍ୟା
ଉତ୍ତରପ୍ରଦେଶର ମୁଜାଫରନଗରରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୁଅ ହେବ ବୋଲି ଭବିଷ୍ୟବାଣୀ କରିଥିଲେ ମନ୍ଦିରର ପୂଜକ। କିନ୍ତୁ ଦମ୍ପତିଙ୍କର ହେଲା ଝିଅ। ଆଉ ଏହାକୁ ନେଇ ବିବାଦ ପରେ ୮୧ ବର୍ଷୀୟ ପୂଜକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପୋଲିସ କହିଛି।
ମୃତ ପୂଜକଙ୍କ ନାଁ ସ୍ୱାମୀ ଦେବାନନ୍ଦ ଭାରତୀ। ଅକ୍ଟୋବର ୧୩ ତାରିଖ ରାତିରେ ଏକ ଶିବ ମନ୍ଦିରରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରୁ ପୋଲିସ ଏକ ସ୍ଥାନୀୟ ବ୍ୟକ୍ତିଙ୍କ ଫଟୋ ମଧ୍ୟ ଜବତ କରିଥିଲା।
ଘଟଣାର ତଦନ୍ତ କରି ପୋଲିସ ହାସିମ ଓ ତାଙ୍କ ପୁଅ ଜିଶାନଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ବାଇକ୍, ଦୁଇଟି ଦେଶୀ ବନ୍ଧୁକ ଓ ଗୁଳି ଜବତ ହୋଇଛି।
ପୋଲିସର କହିବା ଅନୁସାରେ, ଜିଶାନଙ୍କ ପତ୍ନୀ ପ୍ରାୟ ଦେଢ଼ ମାସ ପୂର୍ବରୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ପୂଜକ ପୁଅ ହେବ ବୋଲି କହିଥିବାରୁ ଏହାକୁ ନେଇ ବାପ-ପୁଅଙ୍କ ସହ ତାଙ୍କର ବିବାଦ ହୋଇଥିଲା ବୋଲି ଅଭିଯୁକ୍ତମାନେ ପଚରାଉଚରା ବେଳେ କହିଥିବା ପୋଲିସ ସୂଚନା ଦେଇଛି।
ତେବେ ହତ୍ୟା ପଛରେ ଆଉ ଏକ ଷଡ଼ଯନ୍ତ୍ର ଥିବା ମଧ୍ୟ ପୋଲିସ କହିଛି। ଅନ୍ୟ ଜଣେ ଗ୍ରାମବାସୀଙ୍କ ସହ ଥିବା ବିବାଦକୁ ନେଇ ତାଙ୍କୁ ଫସାଇବା ପାଇଁ ଅଭିଯୁକ୍ତମାନେ ଘଟଣାସ୍ଥଳରେ ଜଣେ ପଡ଼ୋଶୀଙ୍କ ଫଟୋ ଛାଡ଼ିଥିବା ଅଭିଯୋଗ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।