Primary School Textbook Under Fire: ହିସାବ ବାହାରେ ପ୍ରାଥମିକ ବହିରେ ତ୍ରୁଟି, ପାଣ୍ଡବ-କୌରବଙ୍କ ଭିତରେ ହୋଇଥିଲା କବାଡ଼ି ଖେଳ

Jun 30, 2026 - 20:01
Primary School Textbook Under Fire: ହିସାବ ବାହାରେ ପ୍ରାଥମିକ ବହିରେ ତ୍ରୁଟି, ପାଣ୍ଡବ-କୌରବଙ୍କ ଭିତରେ ହୋଇଥିଲା କବାଡ଼ି ଖେଳ

ଯୁଆଡେ ଆଡ଼େଇବ ସିଆଡେ ଭୁଲ୍। ଭୁଲ୍ ତ ନୁହେଁ ଅକ୍ଷମଣୀୟ ତ୍ରୁଟି। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହିରେ ବନାନ ସହ ବିଷୟ ଭିତ୍ତିକ ଭୁଲ୍ ତ ରହିଛି। ଏବେ କିନ୍ତୁ ଯେଉଁ କଥା ସାମନାକୁ ଆସିଛି ତାହା ଆହୁରି ଚକିତ କଲାଭଳି।

ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ଲେଖାଯାଇଛି ପାଣ୍ଡବ ଓ କୌରବଙ୍କ ଭିତରେ କବାଡ଼ି ଖେଳ ହୋଇଥିଲା। ଯୁଧିଷ୍ଠିରଙ୍କୁ ଚାପୁଡ଼ା ପକାଇଥିଲେ ଦୁଃଶାସନ। ସେହିପରି ପଞ୍ଚମ ପିଲାଙ୍କ ସାହିତ୍ୟ ପାଠ୍ୟ ପୁସ୍ତକରେ ଅଛି ପଠାଣୀ ସାମନ୍ତ ଆଗୁଆ ନିଜ ମୃତ୍ୟୁ ଦିନ ଆକଳନ କରି ପୁରୀ ଚାଲିଯାଇଥିଲେ ଜଗନ୍ନାଥଙ୍କ ଦର୍ଶନ ପାଇଁ। ଶେଷରେ ନୀଳଚକ୍ରକୁ ଚାହିଁ ତାଙ୍କ ଜୀବନ ଯାଇଥିଲା। 

ଆଉ ସବୁଠୁ ରୋଚକ ବିଷୟ ହେଲା, ଷଷ୍ଠ ଶ୍ରେଣୀ କୌଶଳ ବୋଧ ବା ସ୍କିଲ ଏଜୁକେସନ ବହିରେ ପିଲା ପଢିବେ, ଝାଲ ମୁଢି କେମିତି ପ୍ରସ୍ତୁତ ହୁଏ। ଖାଲି ସେତିକି ନୁହେଁ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିରେ କେନ୍ଦୁଝର-କଟକ ରାସ୍ତାରେ ଥିବା ସୀତିବିଞ୍ଜି ପାହଡ଼ର ଏକ ଗୁମ୍ଫାରେ ଦେବୀ ସୀତା ଦୁଇ ପୁତ୍ର ଲବ ଓ କୁଶଙ୍କୁ ଜନ୍ମ ଦେଇଥିଲେ। ସେହି ଏନ୍ତୁଡିଶାଳରେ ଏବେବି ଦୁଇ ପଥର ପୂଜା ପାଉଛି। ବନ୍ଧ୍ୟା ନାରୀ ସେହି ପଥର କାଖେଇ ଗୁମ୍ଫା ଚାରିପଟେ ବୁଲିଲେ ବନ୍ଧ୍ୟା ଦୋଷ ଦୂର ହୁଏ।

ଏଠି ପ୍ରଶ୍ନ ଯେତେବେଳେ ଆମେ ବିଜ୍ଞାନ ଯୁଗରେ ଅଛେ, ଆଉ ଚନ୍ଦ୍ର ପୃଷ୍ଠକୁ ନିରନ୍ତର ବ୍ୟବଧାନରେ ମଣିଷ ଯାଉଛି ସେତେବେଳେ ଏସବୁ ବୈଜ୍ଞାନିକ ସମ୍ମତ ନଥିବା ଲୋକ କଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦେବାର ଉଦ୍ଦେଶ୍ୟ କଣ ?… 

ସେପଟେ ନୂଆ ସଂଶୋଧିତ ପାଠ୍ୟ ପୁସ୍ତକ ବଦଳରେ କେବଳ ସଂଶୋଧିତ ପୁସ୍ତିକା ପିଡିଏଫ୍ ଆକାରରେ ଯୋଗାଇ ଦିଆଯାଇଛି। ଯାହାକୁ ଡାଉନଲୋଡ୍ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ତ୍ରୁଟି ଯୁକ୍ତ ପୁସ୍ତକରେ ପେନ୍ ଯୋଗେ କାଟି ସଠିକ୍ ବାକ୍ୟ ଲେଖୁଛନ୍ତି। ଯେଉଁଥିପାଇଁ ଶିକ୍ଷକମାନଙ୍କ ଉପରେ ଅଧିକ ଚାପ ପଡୁଛି। ଗୋଟିଏ ପଟେ ପାଠ ପଢାଇବେ, ଏହାସହ ଅନ୍ୟପଟେ ପାଠ୍ୟ ପୁସ୍ତକରେ ଥିବା ଭୁଲ୍ କୁ ପେନ୍ ରେ କାଟି ତ୍ରୁଟି ସୁଧାରିବେ। ଏଭଳି ତ୍ରୁଟି ସମ୍ପନ୍ନ ବହିକୁ ନେଇ ଶିକ୍ଷକମାନଙ୍କ ଭିତରେ ଯଥେଷ୍ଟ ଅସନ୍ତୋଷ ଦେଖାଦେଇଛି। ଶିକ୍ଷାବିତଙ୍କ ମତ ହେଲା ପାଠପଢା ଆରମ୍ଭ ହୋଇଯାଇ ଥିବାରୁ ବର୍ତ୍ତମାନ ସମୟରେ ନୂଆ ବହି ପ୍ରିଣ୍ଟ ସମ୍ଭବ ନୁହେଁ। କିନ୍ତୁ ସଂଶୋଧିତ ବହିକୁ ପ୍ରତି ପିଲାଙ୍କୁ ଦିଆଯାଉ।

ଚର୍ଚ୍ଚା ହେଉଛି ଯେ, ପାଠ୍ୟ ପୁସ୍ତକ ସମୀକ୍ଷା ପାଇଁ ଗଠିତ କୋର୍ କମିଟିରେ ଅନେକ ଏକ୍ସପର୍ଟଙ୍କ ନାଁ ଛପା ଯାଇଥିଲେ ସୁଦ୍ଧା ସେମାନଙ୍କ ଭୂମିକା ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ନଥିଲା। ଯଦି ଏହା ସତ ହୋଇଥାଏ, ତାହାଲେ ସବୁଠୁ ସାଂଘାତିକ କଥା ଆମ ଶିକ୍ଷା ବ୍ୟବସ୍ଥା ପ୍ରତି।..... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।