Prithvi Shaw Akriti Patch-Up: ବ୍ରେକ୍ଅପ୍ ପରେ ପୁଣି ପ୍ରେମର ନୂଆ ଅଧ୍ୟାୟ! ପୃଥ୍ୱୀଙ୍କ ପାଖକୁ ଫେରିଲେ ଆକୃତି
ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟର୍ ପୃଥ୍ୱୀ ଶ’ ଓ ଅଭିନେତ୍ରୀ ତଥା ଇନ୍ଫ୍ଲୁଏନ୍ସର୍ ଆକୃତି ଅଗ୍ରୱାଲଙ୍କ ପ୍ରେମ କାହାଣୀ। କିଛି ସପ୍ତାହ ପୂର୍ବରୁ ନିର୍ବନ୍ଧ ଭାଙ୍ଗି ଅଲଗା ହୋଇଥିବା ଏହି ଯୋଡ଼ି ପୁଣି ଥରେ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି। ନିଜେ ଆକୃତି ସୋସିଆଲ ମିଡିଆରେ ଏକ ବିବୃତି ସେୟାର କରି ଏହି ଖବର ସ୍ପଷ୍ଟ କରିଛନ୍ତି। ଏଥିସହ ନିର୍ବନ୍ଧ ଭାଙ୍ଗିବା ପଛର କାରଣ ସମ୍ପର୍କରେ ମଧ୍ୟ ଖୋଲାଖୋଲି ମତ ରଖିଛନ୍ତି। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସେ ଭୁଲ୍ ନିଷ୍ପତ୍ତି ନେଇଥିବା ସ୍ୱୀକାର କରିଛନ୍ତି।
ଅନ୍ୟମାନଙ୍କ କଥାରେ ପଡ଼ି ଭାଙ୍ଗିଥିଲେ ନିର୍ବନ୍ଧ!
ଆକୃତି ନିଜ ଇନ୍ଷ୍ଟାଗ୍ରାମ୍ରେ ‘A Personal Clarification’ ଶୀର୍ଷକରେ ଏକ ବିବୃତି ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ତାଙ୍କ ନିକଟତର ଲୋକଙ୍କ ମତାମତ ପୃଥ୍ୱୀ ଶ’ ଓ ତାଙ୍କ ସମ୍ପର୍କକୁ ନେଇ ଥିବା ଧାରଣାକୁ ପ୍ରଭାବିତ କରିଥିଲା। ଫଳରେ ଦୁହିଁଙ୍କ ମଧ୍ୟରେ ଖୋଲାଖୋଲି ଆଲୋଚନା ନକରି ସେ ନିର୍ବନ୍ଧ ଭାଙ୍ଗିବା ଭଳି ବଡ଼ ନିଷ୍ପତ୍ତି ନେଇଥିଲେ।
ଆକୃତି ନିଜ ପୋଷ୍ଟରେ ଲେଖିଛନ୍ତି, “ଯେତେବେଳେ ମୁଁ ନିର୍ବନ୍ଧ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲି, ସେତେବେଳେ ମୋ ନିକଟତର ଲୋକଙ୍କ ମତାମତ ମୋ ଭାବନାକୁ ପ୍ରଭାବିତ କରିଥିଲା। ମୋତେ ଲାଗିଥିଲା ଯେ ସେମାନେ ଆମ ସମ୍ପର୍କ ବିଷୟରେ ଆମଠାରୁ ଅଧିକ ଜାଣିଛନ୍ତି। ମୁଁ ଭୁଲ୍ ଦିଗରେ ପରିଚାଳିତ ହୋଇଥିଲି ଏବଂ ଆମେ ଯେଉଁ ସଚ୍ଚୋଟ ଆଲୋଚନା କରିବା ଉଚିତ ଥିଲା, ତାହା ନକରି ନିଷ୍ପତ୍ତି ନେଇଥିଲି।”
ନିଜ ନିଷ୍ପତ୍ତି ଏବଂ ଏହା ଯୋଗୁଁ ହୋଇଥିବା କଷ୍ଟ ପାଇଁ ଆକୃତି ଦାୟିତ୍ୱ ନେଇଛନ୍ତି। ତେବେ ପରେ ଦୁହେଁ ଖୋଲାଖୋଲି ଆଲୋଚନା କରି ପରସ୍ପରକୁ ବୁଝିଥିଲେ। ଏହାପରେ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଉଭୟ ରାଜି ହୋଇଥିବା ସେ ଜଣାଇଛନ୍ତି।
‘ଆମେ ଦୁହେଁ ପରସ୍ପର ପାଇଁ ଯଥେଷ୍ଟ’
ପୁଣି ଥରେ ସମ୍ପର୍କ ଆରମ୍ଭ କରିବା ପରେ ଆକୃତି କହିଛନ୍ତି ଯେ, ଏଥର ନିଜ ଭବିଷ୍ୟତକୁ ନେଇ ଦୁହେଁ ନିଷ୍ପତ୍ତି ନେବେ। ଅନ୍ୟମାନଙ୍କ ମତାମତ ସେମାନଙ୍କ ସମ୍ପର୍କକୁ ଆଉ ପ୍ରଭାବିତ କରିବାକୁ ଦେବେ ନାହିଁ।
ସେ ଲେଖିଛନ୍ତି, “ଆମେ ଦୁହେଁ ପରସ୍ପର ପାଇଁ ଯଥେଷ୍ଟ ଏବଂ ଆମକୁ ଅନ୍ୟ କାହାର ଆବଶ୍ୟକତା ନାହିଁ। ଏଥର ଆମ ଭବିଷ୍ୟତ ଆମର ବୁଝାମଣା, ବିଶ୍ୱାସ ଓ ଭଲପାଇବା ଆଧାରରେ ନିର୍ଦ୍ଧାରଣ କରିବାକୁ ଚାହୁଁଛୁ। ଆମେ ଏକ ନୂଆ ଆରମ୍ଭ କରୁଛୁ। ତେଣୁ ଦୟାକରି ଆମ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ।”
ଆକୃତିଙ୍କ ଏହି ବିବୃତିକୁ ପୃଥ୍ୱୀ ଶ’ ମଧ୍ୟ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରିଛନ୍ତି। ଫଳରେ ଦୁହେଁ ପୁଣି ଏକାଠି ହୋଇଥିବା ଖବରକୁ ଆହୁରି ସ୍ପଷ୍ଟତା ମିଳିଛି।
ମାର୍ଚ୍ଚରେ ନିର୍ବନ୍ଧ, ସେପ୍ଟେମ୍ବରରେ ବ୍ରେକ୍ଅପ୍
ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲ ୮ ମାର୍ଚ୍ଚ ୨୦୨୬ରେ ନିର୍ବନ୍ଧ କରିଥିଲେ। ସେତେବେଳେ ଦୁହେଁ ସୋସିଆଲ ମିଡିଆରେ ନିର୍ବନ୍ଧର ଫଟୋ ସେୟାର କରି ନିଜ ସମ୍ପର୍କକୁ ସାର୍ବଜନୀନ କରିଥିଲେ। କିନ୍ତୁ ସେପ୍ଟେମ୍ବର ୧୭ରେ ଆକୃତି ଅଲଗା ହେବା ନେଇ ଘୋଷଣା କରିଥିଲେ। ଭବିଷ୍ୟତକୁ ନେଇ ଭିନ୍ନ ଲକ୍ଷ୍ୟ ଓ ପରିସ୍ଥିତି ଯୋଗୁଁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଥିଲା।
ହେଲେ ଅକ୍ଟୋବର ୧୨ରେ ଆକୃତିଙ୍କ ନୂଆ ବିବୃତି ପରେ ଏହି ପ୍ରେମ କାହାଣୀରେ ପୁଣି ନୂଆ ମୋଡ଼ ଆସିଛି। ପୂର୍ବରୁ ଅଲଗା ହୋଇଥିବା ଏହି ଯୋଡ଼ି ଏବେ ସମ୍ପର୍କକୁ ଆଉ ଏକ ସୁଯୋଗ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।