Punishment: ଦେଶରେ କେଉଁଠି ଦିଆଯାଏ ଫାଶୀ ଏବଂ କେଉଁଠାରେ ପ୍ରସ୍ତୁତ ହୁଏ ଫାଶୀର ରସି? ଜାଣନ୍ତୁ ରୋଚକ ତଥ୍ୟ
ନୂଆଦିଲ୍ଲୀ: ଭାରତରେ ଅପରାଧୀମାନଙ୍କୁ କୋର୍ଟଙ୍କ ଦ୍ୱାରା ମୃତ୍ୟୁଦଣ୍ଡ ବା ଫାଶୀ ଦିଆଯିବା ନେଇ ଆଇନଗତ ବ୍ୟବସ୍ଥା ରହିଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଦେଶର କେଉଁ କେଉଁ ଜେଲରେ ଫାଶୀ ଦିଆଯାଏ ଏବଂ ଏଥିପାଇଁ ବ୍ୟବହୃତ ହେଉଥିବା ରସି କେଉଁଠାରେ ପ୍ରସ୍ତୁତ କରାଯାଏ?
ଫାଶୀ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା:
ଦେଶର ପ୍ରତ୍ୟେକ ଜେଲରେ ଫାଶୀ ଦେବାର ବ୍ୟବସ୍ଥା ନଥାଏ। ଆବଶ୍ୟକୀୟ ଭିତ୍ତିଭୂମି ଥିବା କିଛି ନିର୍ଦ୍ଦିଷ୍ଟ ଜେଲରେ ହିଁ ଫାଶୀ କାର୍ଯ୍ୟକାରୀ କରାଯାଇଥାଏ।
ତିହାର ଜେଲ (ଦିଲ୍ଲୀ): ଦେଶର ସବୁଠାରୁ ଚର୍ଚ୍ଚିତ ଜେଲଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଚର୍ଚ୍ଚିତ ନିର୍ଭୟା ମାମଲାର ଦୋଷୀମାନଙ୍କୁ ୨୦୨୦ ମସିହାରେ ଏହି ଜେଲରେ ହିଁ ଫାଶୀ ଦିଆଯାଇଥିଲା।
ୟେରୱାଡା ସେଣ୍ଟ୍ରାଲ ଜେଲ (ପୁଣେ, ମହାରାଷ୍ଟ୍ର): ଏହି ଜେଲ ପରିସରରେ ମଧ୍ୟ ଫାଶୀ ୟାର୍ଡ ରହିଛି। ୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ଅଜମଲ କସାବକୁ ୨୦୧୨ ନଭେମ୍ବରରେ ଏଠାରେ ହିଁ ଫାଶୀ ଦିଆଯାଇଥିଲା।
ଏହାବ୍ୟତୀତ କର୍ଣ୍ଣାଟକର ହିନ୍ଦଲଗା ଜେଲ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗର କିଛି ବଛାବଛା ସେଣ୍ଟ୍ରାଲ ଜେଲରେ ଫାଶୀ କୋଠା ବା ଫାଶୀ ଘର ରହିଛି।
ଆହୁରି ପଢନ୍ତୁ: BDA: ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ୧,୮୧୫ ଏକରରେ ଆଉ ୧୦ ଟିପି ଯୋଜନା
ବକ୍ସର ଜେଲ ଏବଂ ଫାଶୀର ରସି
ଫାଶୀ ଦେବା ପାଇଁ ବ୍ୟବହୃତ ହେଉଥିବା ରସି ସାଧାରଣ ରସିଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ଏହାକୁ ଅତ୍ୟନ୍ତ ମଜବୁତ ଏବଂ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରାଯାଏ। ଦେଶରେ ଫାଶୀ ଦେବା ପାଇଁ ବ୍ୟବହୃତ ହେଉଥିବା ସ୍ୱତନ୍ତ୍ର ରସି କେବଳ ବିହାରର ବକ୍ସର କେନ୍ଦ୍ରୀୟ କାରାଗାରରେ ହିଁ ପ୍ରସ୍ତୁତ କରାଯାଏ। ଇତିହାସ କହେ ଯେ, ୧୮୪୪ ମସିହାରେ ବ୍ରିଟିଶ ଶାସକମାନଙ୍କ ସମୟରେ ବକ୍ସର ଜେଲରେ ଫାଶୀର ରସି ପ୍ରସ୍ତୁତ କରିବା ପାଇଁ କାରଖାନା ସ୍ଥାପନ କରାଯାଇଥିଲା। ସେବେଠାରୁ ଦେଶରେ ଯେତେବେଳେ ମୃତ୍ୟୁଦଣ୍ଡର ନିର୍ଦ୍ଦେଶ ଜାରି ହୁଏ, ସେତେବେଳେ ବକ୍ସର ଜେଲରେ ହିଁ ଏହି ସ୍ୱତନ୍ତ୍ର ରସି ତିଆରି ହୋଇଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।